କଟକ ୧୭/୦୬: କଟକ ଜିଲ୍ଲାରେ ବଢ଼ୁଛି ଝାଡ଼ାବାନ୍ତି । ସାରା ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ ହେଲେଣି । ବୟାଳିଶମୌଜା, ବାଙ୍କୀ ପରେ ଟାଙ୍ଗୀ ଓ ନରସିଂହପୁର ବ୍ଲକ୍କୁ ଝାଡ଼ାବାନ୍ତି ବ୍ୟାପିଛି । କଟକ ସହରରେ ଝାଡ଼ାବାନ୍ତି ବ୍ୟାପିବା ଆଶଙ୍କାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ଦ୍ଵାରା ଖାଦ୍ୟ ଚଢ଼ାଉ ଆରମ୍ଭ ହୋଇଛି। ବିଭିନ୍ନ ହୋଟେଲ୍ରେ ସିଏମ୍ସି ଏବଂ ଖାଦ୍ୟ ସୁରକ୍ଷା ବିଭାଗ ଟିମ୍ର ରେଡ୍ କରାଯାଇଛି।
ଖାଦ୍ୟ ସୁରକ୍ଷା ବିଭାଗ ଦ୍ଵାରା ଆଜି କଟକ ରେଳ ଷ୍ଟେସନ ନିକଟରେ ଥିବା ବିଭିନ୍ନ ହୋଟେଲରେ ଚଢ଼ଉ କରାଯାଇଛି। ଏଥିରେ ପାଖାପାଖି ୨୦କେଜିରୁ ଅଧିକ ବାସି ଖାଦ୍ୟ ନଷ୍ଟ କରାଯାଇଛି। ଏଥି ସହିତ ଗୋଟିଏ ହୋଟେଲ୍ ବିନା ଲାଇସେନ୍ସରେ ଚାଲୁଥିବା ନେଇ ସିଲ୍ କରାଯାଇଛି। ପୂର୍ବରୁ ବକ୍ସି ବଜାର, ଦୋଳ ମୁଣ୍ଡାଇ, ରାଣୀହାଟ ଆଦି ସ୍ଥାନରେ ଯାଞ୍ଚ୍ କରାଯାଇଥିଲା। ସହରରେ ବିକ୍ରି ହେଉଥିବା ୧୦ରୁ ଅଧିକ ପାଣି ବୋତଲ ବ୍ରାଣ୍ଡର ନମୁନା ସଂଗ୍ରହ କରାଯାଇଛି। କଟକ ସହରରେ ଥିବା ଫାଷ୍ଟ ଫୁଡ୍ ଦୋକାନ ଉପରେ ନଜର ରଖାଯିବ ସହିତ ସବୁ ସ୍ଥାନରେ ମାଇକ ପ୍ରଚାର କରାଯାଇ ଲୋକଙ୍କୁ ଡାଇରିଆ ସମ୍ପର୍କରେ ସଚେତନ କରାଯାଉଛି। ଏନେଇ କଟକ ମହାନଗର ନିଗମ କମିଶନର ଅନାମ ଚରଣ ପାତ୍ର ସୂଚନା ଦେଉଛନ୍ତି।
ଆଜିର ଏହି ଚଢାଉରେ ନଗର ସ୍ବାସ୍ଥ୍ୟ ଅଧିକାରୀ ଡ. ସତ୍ୟବ୍ରତ ମହାପାତ୍ରଙ୍କ ସମେତ ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।