କଟକ,୩୦/୦୩: ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀର ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି । ବିଜେଡିରୁ ବହିଷ୍କାର ପରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ନିଜ ସଂଗଠନକୁ ଏକଜୁଟ୍ କରୁଥିବାବେଳେ ବିଜେଡି ଶୀର୍ଷ ନେତୃତ୍ୱ କର୍ପୋରେଟର୍ଙ୍କୁ ବୁଝାଶୁଝା ଜାରି ରଖିଛନ୍ତି । ଏଭଳି ସ୍ଥିତିରେ ଆଜି ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର କର୍ପୋରେଟର୍ ଗୋଷ୍ଠୀଙ୍କୁ ଶଙ୍ଖ ଭବନରୁ ଡାକରା ଆସିଛି । ସେଠାରେ ଦଳୀୟ ସଂଗଠନ ବାବଦରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ଯୋଜନା ରହିଛି ।
ତେବେ ଏହାର କିଛି ଘଣ୍ଟା ପୂର୍ବରୁ କଟକ ସାହିତ୍ୟ ସରୋବର ପୁସ୍ତକ ମେଳାର ଅନ୍ତିମ ତଥା ଉଦ୍ଯାପନୀ ସନ୍ଧ୍ୟାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସହ ବିଜେଡିର ୧୨ ଜଣ କର୍ପୋରେଟରଙ୍କୁ ଏକାଠି ଦେଖିବାକୁ ମିଳିଛି । ଯଦିଓ ଏହି କାର୍ଯ୍ୟକ୍ରମ ସହିତ ଦଳୀୟ ବ୍ୟାପାରର କୌଣସି ସମ୍ପର୍କ ନାହିଁ ତଥାପି ଏ ଦୃଶ୍ୟ କଟକ ରାଜନୀତିକୁ ପ୍ରଭାବିତ କରିଛି । ପ୍ରଭାତଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ବରିଷ୍ଠ କର୍ପୋରେଟର୍ ପ୍ରଦୀପ୍ତ ଖୁଣ୍ଟିଆ କିନ୍ତୁ ଏହି ଗୋଷ୍ଠୀରେ ନ ଥିଲେ ।
ପ୍ରଭାତ ଦଳରୁ ବାହାରିବା ପରେ କର୍ପୋରେଟର୍ମାନେ ନିଜ ନେତାଙ୍କ ସହ ଅଛନ୍ତି ନା’ ଦଳ ସହ ରହିବେ ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି । ଉଭୟ ପକ୍ଷରୁ ଏନେଇ କସରତ ଚାଲିଥିବା ବେଳେ ୧୨ଜଣ କର୍ପୋରେଟର୍ ଆଜି କଟକ ସାହିତ୍ୟ ସରୋବରରେ ସୌଭିକଙ୍କ ସହ ଏକାଠି ହେବା, ଅଫିସ୍ ଭିତରେ ଏକାଠି ବସିବା ଓ ସେଠାରୁ ଏକାସଙ୍ଗେ ବାହାରି ମଞ୍ଚ ସାମ୍ନାରେ ବସି ହସଖୁସି କରିବାର ଚିତ୍ର ଏବେ ବିଜେଡି କ୍ୟାମ୍ପ୍କୁ ବ୍ୟତିବ୍ୟସ୍ତ କରିଛି । କାର୍ଯ୍ୟକ୍ରମ ମଞ୍ଚରେ ସୌଭିକ ମଧ୍ୟ ମାପଚୁପ ଭାବେ ଉପସ୍ଥିତ କର୍ପୋରେଟର୍ ଓ ଦର୍ଶକଙ୍କୁ ମଣିଷପଣିଆର ପାଠ ପଢ଼ାଇଛନ୍ତି । ମଣିଷ ଯେବେ ମଣିଷର ହାତ ଛାଡ଼ିଦିଏ ସେ ସ୍ୱାର୍ଥପର ହୋଇଯାଏ ବୋଲି ସୌଭିକ କଟାକ୍ଷ କରିଥିଲେ ।
ଅଧିକ ପଢ଼ନ୍ତୁ :- ରନ୍ଧନ ଗ୍ୟାସ ସଙ୍କଟର ମୁକାବିଲା: ମାର୍ଗଦର୍ଶିକା ନାହିଁ, କଣ୍ଟ୍ରୋଲ ରୁମ୍ ଖୋଲିନି
ଅନ୍ୟପକ୍ଷରେ ଆଜି କର୍ପୋରେଟର୍ମାନେ ଶଙ୍ଖଭବନ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ କାଲି ବୈଠକକୁ କେତେ ଜଣ କର୍ପୋରେଟର୍ ଯିବେ ସେ ବାବଦରେ ଏବେ ଯାଏ ଠୋସ୍ ଭାବେ ଜଣାପଡ଼ିନାହିଁ । ଯେଉଁମାନେ ପ୍ରଭାତଙ୍କ ଅତି ନିକଟତର ସେମାନେ ଶଙ୍ଖଭବନକୁ ଯାଇ ନପାରନ୍ତି ବୋଲି କୁହାଯାଉଛି । ଆଜି ଶଙ୍ଖଭବନର ବୈଠକ ବେଶ୍ ଗୁରୁତ୍ୱ ରଖୁଛି। ପ୍ରଭାତ ଓ ସୌଭିକଙ୍କୁ ସାଂଗଠନିକ ସ୍ତରରେ ଟକ୍କର ଦେବାକୁ ଏଠାରେ କେଉଁ ନୂଆ ନେତୃତ୍ୱଙ୍କୁ ସୁଯୋଗ ଦିଆଯାଉଛି ତାର ଆଭାସ ବୈଠକରୁ ମିଳିବ ବୋଲି ଆଶା କରାଯାଉଛି ।