ଭୁବନେଶ୍ୱର,୩୦/୦୩: ଏଲପିଜି ସିଲିଣ୍ଡର ବୁକିଂ କଲେ ମଧ୍ୟ ମିଳୁନି । ବୁକିଂ ନମ୍ବର ଲାଗୁନି । ଗ୍ୟାସ୍ ଏଜେନସୀ ପାଖକୁ ଗଲେ ଲମ୍ବା ଲାଇନ୍ । ଘରୋଇ ଏଲପିଜି ଉପଭୋକ୍ତା ଏବେ ଗୁହାରି କାହାକୁ କରିବେ ଜାଣିପାରୁ ନାହାନ୍ତି ।

ସେପଟେ ବ୍ୟବସାୟିକ ଏଲପିଜି ଗ୍ୟାସ୍ ଦର ଆକାଶଛୁଆଁ ହେଲାଣି । ଛୋଟ ଉଠା ଦୋକାନୀ ଓ ଅନେକ ହୋଟେଲ୍ ବନ୍ଦ ହେଲାଣି । ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କିନ୍ତୁ କହୁଛନ୍ତି ରାଜ୍ୟରେ ଏଲପିଜି ସିଲିଣ୍ଡର ସଙ୍କଟ ନାହିଁ । ଯଥେଷ୍ଟ ମହଜୁଦ ରହିଛି । ତେବେ ଉଭୟ ଘରୋଇ ଓ ବ୍ୟବସାୟିକ ଗ୍ରାହକ ଏବେ ସମସ୍ୟାରେ । ଏହି ସଙ୍କଟର ମୁକାବିଲା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । କିନ୍ତୁ ଆମ ରାଜ୍ୟ ଓ ଜିଲ୍ଲାସ୍ତରରେ ଏ ପର୍ଯ୍ୟନ୍ତ ଜାରି ହୋଇନି କୌଣସି ମାର୍ଗଦର୍ଶିକା । ସ୍ଥିତିର ମୁକାବିଲା ପାଇଁ ହେଲ୍ପଲାଇନ୍ ନମ୍ବର ନାହିଁ । କୌଣସି କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲିନି । ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ କେବଳ ରନ୍ଧନ ଗ୍ୟାସର କଳାବଜାରୀ ରୋକିବାକୁ ଗୁରୁତ୍ୱ ଦେଉଛନ୍ତି । ଛୁଟି ଦିନରେ ଚଢ଼ଉ ବନ୍ଦ ରହୁଛି ।

ଅଧିକ ପଢ଼ନ୍ତୁ : - ନନ୍ଦନକାନନରେ ଗ୍ରୀଷ୍ମ ମଉଜ: ହାତୀ ମୁଣ୍ଡରେ ଜଡ଼ା ତେଲ, ସିମ୍ପାଞ୍ଜିକୁ ପସନ୍ଦ କୁଲର, ଚାଲିଛି ଆଇସକ୍ରିମ, ତରଭୁଜ ଭୋଜି

ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ପେଟ୍ରୋଲ୍, ଡିଜେଲ ସମେତ ରନ୍ଧନ ଗ୍ୟାସ ସ୍ଥିତି ଉଦବେଗଜନକ । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ବୈଠକ କରିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହାକୁ ଆମ ରାଜ୍ୟ ତଥା ଜିଲ୍ଲାର ପ୍ରଶାସନିକ ସ୍ତରରେ ଠିକ ଭାବେ ପାଳନ ହେଉନଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ନିକଟରୁ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବମାନଙ୍କୁ ଚିଠି କରାଯାଇଛି । ପ୍ରତିଦିନ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ସାମ୍ବାଦିକ ସମ୍ମିଳନୀ କରି ଲୋକମାନଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି ।

୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ଜାରି କରିବା ସହିତ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ କୌଣସି ଗଣମାଧ୍ୟମ କିମ୍ବା ସାମାଜିକ ଗଣମାଧ୍ୟମରେ ରନ୍ଧନ ଗ୍ୟାସ ସଙ୍କଟ ନେଇ ଗୁଜବ କିମ୍ବା ଭୁଲ ଖବର ପ୍ରଚାର ହୋଇଥିଲେ, ତାହାର ଖଣ୍ଡନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ରନ୍ଧନ ଗ୍ୟାସର କଳାବଜାରି ରୋକିବାକୁ ଯୋଗାଣ ବିଭାଗର ସହାୟତାରେ ପ୍ରତିଦିନ ଚଢ଼ଉ କରିବାକୁ ମଧ୍ୟ କୁହାଯାଇଛି । ରାଜ୍ୟ ଭିତରେ ବାଣିଜ୍ୟିକ ରନ୍ଧନ ଗ୍ୟାସ ବାବଦରେ ସୂଚୀ ଜାରି କରିବା ଆବଶ୍ୟକ ବୋଲି ମତ ଦେଇଛି କେନ୍ଦ୍ର । ସେହିପରି ରାଜ୍ୟରେ ପାଇପ ଯୋଗେ ରନ୍ଧନ ଗ୍ୟାସ ଯୋଗାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ଏମିତି କି ଏହି କାର୍ଯ୍ୟ ୨୪ ଘଣ୍ଟା ଜାରି ରଖିବାକୁ ଅନୁମତି ଦେବାକୁ ପରାମର୍ଶ ଦିଆଯାଇଛି । ଏ ସମ୍ପର୍କିତ କାର୍ଯ୍ୟର ପ୍ରଗତି ପାଇଁ ସ୍ୱତନ୍ତ୍ର ନୋଡାଲ୍ ଅଧିକାରୀ ନିଯୁକ୍ତି କରିବା ଆବଶ୍ୟକ । ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ହେଉଥିବା ବେଳେ ଆମ ରାଜ୍ୟରେ ଏହା ହେଉନଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।