କଟକ,୧୧/୧୧: ଚଳିତ ବର୍ଷ  ବାଲିଯାତ୍ରାକୁ ବେଶ୍‌ ସଫଳତାର ସହ ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ  ପକ୍ଷରୁ ପ୍ରସ୍ତୁତି କରାଯାଉଛି। ସେହିକ୍ରମରେ ମେଳାକୁ ଆସୁଥିବା ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ମଧ୍ୟ ସିଏମ୍‌ସି ପକ୍ଷରୁ ଗୁରୁତ୍ୱ  ଦିଆଯାଇଛି । ଏଥିପାଇଁ ସିଏମ୍‌ସି ଖାଦ୍ୟ ସୁରକ୍ଷା ବିଭାଗ ଓ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗର ମିଳିତ ଉଦ୍ୟମରେ ସବୁ ଖାଦ୍ୟ  ବ୍ୟବସାୟୀଙ୍କ ଉପରେ ନଜର ରଖାଯିବ ।  କୌଣସି ଖାଦ୍ୟ ନିମ୍ନମାନର ଥିବା  ଜଣାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଆବଶ୍ୟକ ପଡିଲେ ଷ୍ଟଲ୍‌କୁ ସିଲ୍‌ କରାଯିବ ବୋଲି ମଧ୍ୟ  ଖାଦ୍ୟ ସୁରକ୍ଷା ବିଭାଗ ନିଷ୍ପତ୍ତି ନେଇଛି । 

ବାଲିଯାତ୍ରାରେ ବିଭିନ୍ନ ସ୍ଥାନରୁ ଖାଦ୍ୟ  ବ୍ୟବସାୟୀମାନେ ଆସି ପସରା ମେଲାଇଥାନ୍ତି ।  ଛୋଟ ଦୋକାନରୁ ଆରମ୍ଭ କରି ବଡ ବଡ  ଷ୍ଟଲ୍‌ରେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ  ବିକ୍ରି ହୋଇଥାଏ । ଲୋକମାନେ ମେଳା  ବୁଲାବୁଲି ସହିତ ଖାଇବା ପିଇବା କରି ଘରକୁ  ଫେରିଥାନ୍ତି । ତେବେ ଅଧିକ ଲାଭ ଆଶାରେ  କିଛି ବ୍ୟବସାୟୀ ନିମ୍ନମାନର ଖାଦ୍ୟ ତଥା ବାସି  ଖାଦ୍ୟ ବିକ୍ରି କରିଥାନ୍ତି । ଯାହା ଲୋକଙ୍କ ପାଇଁ  ବିପଦ ପାଲଟିଥାଏ । ଏସବୁ ପାଇଁ ସିଏମ୍‌ସି  ଖାଦ୍ୟ ସୁରକ୍ଷା ବିଭାଗ ଦ୍ୱାରା ସ୍ୱତନ୍ତ୍ର ଯୋଜନା  କରାଯାଇଛି । ମେଳା ପାଇଁ ଭ୍ରାମ୍ୟମାଣ ଖାଦ୍ୟ  ପରୀକ୍ଷାଗାର ପଡ଼ିଆରେ ବୁଲିବ । ଏହା ସହିତ  ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ  ମହାପାତ୍ରଙ୍କ ନେତୃତ୍ୱରେ ୪ଟି ଟିମ୍‌ ଗଠନ  ହୋଇଛି । ଏବେ ଖାଦ୍ୟ ବ୍ୟବସାୟୀଙ୍କୁ ଅସ୍ଥାୟୀ  ଲାଇସେନ୍ସ ପ୍ରଦାନ କରାଯାଉଥିଲା ବେଳେ  ଯେଉଁମାନେ କରିନାହାନ୍ତି ମାଇକ୍‌ ପ୍ରଚାର  କରାଯାଇ ଲାଇସେନ୍ସ ନେବା ପାଇଁ କରିବାକୁ  ସଚେତନ କରାଯିବ । ମେଳା ସମୟରେ  ସବୁ ଦିନ ଯାଞ୍ଚ୍‌ କରାଯାଇ ନିୟମ ଉଲ୍ଲଂଘନ  କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି  ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।