କଟକ,୨୧/୦୮: ଚଳିତ ବର୍ଷ ସ୍ୱାୟତ୍ତ ଶାସନ ଦିବସକୁ ବେଶ୍‌  ଧୂମ୍‌ଧାମ୍‌ରେ ପାଳନ କରିବ କଟକ  ମହାନଗର ନିଗମ (ସିଏମ୍‌ସି) । ତେବେ  ଏଥର ଦୀର୍ଘ ୧୫ ଦିନ ଧରି ପାଳନ  କରାଯାଉଛି । ଏଥିପାଇଁ କାଉନ୍‌ସିଲ୍‌ ପକ୍ଷରୁ  ସମ୍ପୂର୍ଣ୍ଣ ସ୍ୱାୟତ୍ତ ଶାସନ ଦିବସ ଖର୍ଚ୍ଚ ପାଇଁ  ୨୩ ଲକ୍ଷ ୫୦ ହଜାର ଟଙ୍କାର ବଜେଟ୍‌  ପ୍ରସ୍ତୁତ ହୋଇସାରିଛି । ସବୁଠୁ ବଡ କଥା  ହେଉଛି ଯେ, ଗତବର୍ଷ ଭଳି ଏଥର ମଧ୍ୟ  ସିଏମ୍‌ସି ସହିଦ୍‌ ଭବନ ବନ୍ଦ ଆଳରେ ଘରୋଇ ମଣ୍ଡପରେ ଏହି ଦିବସ ପାଳନ  କରିବ । ଏଥିପାଇଁ ଘରୋଇ ମଣ୍ଡପକୁ  ଏକ ଲକ୍ଷ ଟଙ୍କା ଭଡ଼ା ଗଣିବା ସହିତ ଏହାର ସାଜସଜ୍ଜା ବାବଦକୁ ୩ ଲକ୍ଷ  ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି । 

ପ୍ରତିବର୍ଷ ଅଗଷ୍ଟ ମାସ ୩୧  ତାରିଖକୁ ରାଜ୍ୟର ଅନ୍ୟ ମହାନଗର  ନିଗମ ସମେତ ସିଏମ୍‌ସିରେ ମଧ୍ୟ ସ୍ୱାୟତ୍ତ  ଶାସନ ଦିବସ ପାଳନ କରାଯାଇଥାଏ ।  ଏହି ଉପଲକ୍ଷେ ସହରବାସୀଙ୍କୁ ବଡବଡ  ପ୍ରକଳ୍ପ ଭେଟି ସ୍ୱରୂପ ଦିଆଯାଇଥାଏ ।  ଏବର୍ଷ ମାତ୍ର ହାତରେ ଦିନ କେଇଟା  ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରକଳ୍ପ ତାଲିକା  ଚୂଡାନ୍ତ ହୋଇପାରୁ ନ ଥିବା ଜଣାପଡିଛି ।  

ଏସବୁ ମଧ୍ୟରେ ସ୍ୱାୟତ୍ତ ଶାସନ ଦିବସ  ପାଳନ ପାଇଁ ୨୩ ଲକ୍ଷ ୫୦ ହଜାରର  ବଜେଟ୍‌ ହୋଇଛି । ସେଥିରେ ମେୟର୍‌  ଓ ଡେପୁଟି ମେୟର୍‌ଙ୍କ ସମେତ  କର୍ପୋରେଟରଙ୍କୁ ସମ୍ବର୍ଦ୍ଧନା ପାଇଁ ୪  ଲକ୍ଷ ଟଙ୍କା, ଘରୋଇ ମଣ୍ଡପ ବୁକିଂ  ପାଇଁ ଲକ୍ଷେ ଓ ସାଜସଜ୍ଜା ପାଇଁ ୩  ଲକ୍ଷ ଟଙ୍କା, ଡ୍ରାମା ପାଇଁ ୩ ଲକ୍ଷ, ବିଭିନ୍ନ  ପ୍ରତିଯୋଗିତା ଆୟୋଜନ ପାଇଁ ଖର୍ଚ୍ଚ  ଦେଢ ଲକ୍ଷ, ପତାକା ଉତ୍ତୋଳନ ପରେ  ମିଠା ଓ ଟିଫିନ୍‌ ବଣ୍ଟନ ପାଇଁ ୪୦ ହଜାର,  ଫଟୋଗ୍ରାଫ୍‌ ପାଇଁ ୪୦ ହଜାର, ସହିଦ୍‌  ଭବନଠାରେ ସ୍ୱାଗତ ସଂଗୀତ ପରିବେଷଣ  ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯିବ ।  

ସବୁଠୁ ବଡ କଥା ହେଉଛି ଯେ, ଗତ ବର୍ଷ ସହିଦ୍‌ ଭବନ ପୁନରୁଦ୍ଧାର  ଆଳରେ ଘରୋଇ ମଣ୍ଡପରେ  ଆୟୋଜନକୁ ନେଇ ଅସନ୍ତୋଷ ପ୍ରକାଶ  ପାଇଥିଲା । ଏଥର ମଧ୍ୟ କାମ ଶେଷ  ପର୍ଯ୍ୟାୟରେ ଥିଲେ ମଧ୍ୟ ଏହାକୁ  ଶୁଭାରମ୍ଭ କରିବାକୁ ମଧ୍ୟ କର୍ତ୍ତୃପକ୍ଷଙ୍କ  ଆନ୍ତରିକତା ଅଭାବ ପରିଲକ୍ଷିତ ହୋଇଛି ।  ଯାହାଫଳରେ ଏଥର ମଧ୍ୟ ସରକାରୀ  ପାଣ୍ଠିରୁ ଭଡା ଗଣିବେ କର୍ତ୍ତୃପକ୍ଷ ।