ଭୁବନେଶ୍ୱର,୧୦/୧୦: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମାଝୀ ଶୋକବାର୍ତ୍ତାରେ କହିଛନ୍ତି ରତନ ଟାଟାଙ୍କ ଦେଶର ଶିଳ୍ପ ବିକାଶରେ ପ୍ରମୁଖ ଅବଦାନ ରହିଛି । ତାଙ୍କ ଆଦର୍ଶ ଓ କାର୍ଯ୍ୟାବଳୀ ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ । 

ଚାଲିଗଲେ ଇଣ୍ଡିଆ ଇଙ୍କ୍‌ ଟାଇଟାନ୍‌: 

ଧର୍ମେନ୍ଦ୍ର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି ଭାରତ ନିର୍ମାଣର ଟାଇଟାନ୍‌ ଚାଲିଗଲେ । ସ୍ୱର୍ଗତ ରତନ ଟାଟା ସୁନାର ହୃଦୟର ମଣିଷ ଥିଲେ । ଦେଶର ଶିଳ୍ପ ବିକାଶ ଓ ସମାଜସେବାରେ ତାଙ୍କ ଯୋଗଦାନ ସବୁବେଳେ ମନେ ରହିବ । ସିଏ ଏପରି ଜଣେ ଶିଳ୍ପପତି ଯିଏ ସମାଜକୁ କିଛି ଦେବାରେ ବିଶ୍ୱାସ କରୁଥିଲେ । କୋଟି କୋଟି ଯୁବକଙ୍କୁ ସେ ସର୍ବଦା ପ୍ରେରଣା ଦାୟୀ ହୋଇ ରହିବେ । ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶ୍ରୀ ପ୍ରଧାନ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । 

ମା’ ଦୁର୍ଗାଙ୍କ ଟାଇଗର ଚାଲିଗଲେ :

ସମଗ୍ର ଦେଶ ମା’ ଦୁର୍ଗାଙ୍କ ପୂଜା ପାଇଁ ଉତ୍ସବମୁଖର । ଅଚାନକ ପଦ୍ମବିଭୂଷଣ ରତନ ନଭଲ ଟାଟାଙ୍କ ପରଲୋକ ଖବର ପାଇ ରାଜନୈତିକ ମହଲ, ଖେଳ ଦୁନିଆ, ବଲିଉଡ, ଉଦ୍ୟୋଗ ଜଗତ ସବୁଠି ଶୋକର ଛାୟା । କେତେକ ତାଙ୍କ ଶୋକ ବାର୍ତ୍ତାରେ ଏହି କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କୁ ମା’ ଦୁର୍ଗାଙ୍କ ଟାଇଗର ଭାବେ ବର୍ଣ୍ଣନା କରିଛନ୍ତି । କହିଛନ୍ତି, ମା’ଙ୍କ ପୂଜା ବେଳେ ତାଙ୍କ ଟାଇଗର ଚାଲିଗଲେ । 

‘ମୋ ପାଇଁ ଭାବୁଥିବାରୁ ଧନ୍ୟବାଦ’ 

ପରଲୋକରେ ରତନ ଟାଟା । କିନ୍ତୁ ତାଙ୍କ ଶେଷ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଅନେକଙ୍କ ଆଖିରେ ଏବେ ଲୁହ ଆଣିଛି । ଦୁଇ ଦିନ ତଳେ ରତନ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଏହି ଖବର ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି କରିଥିବା ବେଳେ ସ୍ୱାସ୍ଥ୍ୟ ଯାଞ୍ଚ ପରେ ରତନ ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ ‘ଥ୍ୟାଙ୍କ୍‌ ୟୁ ଫର୍‌ ଥିଙ୍କିଙ୍ଗ ଅଫ୍‌ ମି (ମୋ ପାଇଁ ଭାଗୁଥିବାରୁ ଧନ୍ୟବାଦ)’ । ଏହା ଥିଲା ତାଙ୍କର ଶେଷ ପୋଷ୍ଟ ।