ନୂଆଦିଲ୍ଲୀ,୨।୧୦: ଦିଲ୍ଲୀବାସୀଙ୍କୁ ନିଶାରେ ବୁଡାଇବାର ଭୟଙ୍କର ଯୋଜନା, ଯାହାକୁ  ପୋଲିସର ସ୍ପେଶାଲ ସେଲ୍ କରିଛି ପର୍ଦାଫାଶ। ପାର୍ବଣ ପୂର୍ବରୁ ରାଜଧାନୀରୁ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ତସ୍କରଙ୍କ ଗ୍ୟାଙ୍ଗକୁ  ଧରିଛି ପୋଲିସ। ଚଢାଉ ବେଳେ  ପ୍ରାୟ ୫୬୦ କିଲୋଗ୍ରାମ ଓଜନ କୋକିନ୍ ଜବତ ହୋଇଛି, ଯାହାର ମୂଲ୍ୟ ୨ ହଜାର କୋଟିରୁ ଅଧିକ। ଏହା ସହ ପୋଲିସ ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। 

ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ଏହି କୋକେନ୍‌ର ମୂଲ୍ୟ ୨୦୦୦ କୋଟି ଟଙ୍କାରୁ ଅଧିକ । ଏତେ ଅଧିକ ପରିମାଣରେ ମାଦକ ଦ୍ରବ୍ୟ ଜବତ ହେବାପରେ ମାମଲାକୁ ନାର୍କୋ ଟେରର ଆଙ୍ଗେଲରୁ ଯାଞ୍ଚ କରାଯାଉଛି। ଗିରଫ ହୋଇଥିବା ଲୋକଙ୍କୁ ପୋଲିସ ପଚରା ଉଚରା କରୁଛି। ଏହି ଡ୍ରଗ୍ସ କାହାକୁ ଡେଲିଭରି କରାଯିବାର ଥିଲା ଓ ଗ୍ୟାଙ୍ଗରେ ଆଉ କିଏ କିଏ ଅଛନ୍ତି ତା’ର ଉତ୍ତର ଖୋଜିବାକୁ ଚେଷ୍ଟା କରୁଛି। ଏହା ଦିଲ୍ଲୀ କୋକେନ୍‌ର ଏପର୍ଯ୍ୟନ୍ତର ସବୁଠାରୁ ବଡ ସିଜର। କୋକେନ୍‌ ହାଇ ପ୍ରୋଫାଇଲ ପାର୍ଟିରେ ବ୍ୟବହାର ହେଉଥିବା ଡ୍ରଗ୍ସ। ତେଣୁ ବହୁ କିଛି ପ୍ରଭାବଶାଳୀ ଲୋକଙ୍କର ମଧ୍ୟ ଏହା ପଛରେ ହାତ ରହିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।