ନୂଆଦିଲ୍ଳୀ,୨୩।୫: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯକାନ୍ତଙ୍କ ଟିପ୍ପଣୀରୁ ଆରମ୍ଭ ହୋଇଥିବା ସୋସିଆଲ ମିଡିଆ ଟ୍ରେଣ୍ଡ ଏବେ ସରକାରଙ୍କ ବିରୋଧରେ ଅଭିଯାନ ପାଲଇଛି। ପ୍ରଥମେ ‘କକ୍ରୋଚ୍ ଜନତା ପାର୍ଟି’ର ଏକ୍ସ ଆକାଉଣ୍ଟ ବନ୍ଦ ହୋଇଯାଇଥିଲା। ଏବେ ସରକାର ଆଉ ଏକ ଆକ୍ସନ ନେଇଛନ୍ତି। ଏହାର ସୋସିଆଳ ମିଡିଆ ପାର୍ଟିର ଓ୍ବେବସାଇଟ୍କୁ ବନ୍ଦ କରିଦେଇଛନ୍ତି। ପାର୍ଟିର ସଂସ୍ଥାପକ ଅଭିଜିତ ଦିପକେ ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦୀ ଶାସନ ବୋଲି ଘୋଷଣା କରିଛନ୍ତି।
କକରୋଚ୍ ଜନତା ପାର୍ଟିର ନାଁରେ ଅଭିଯାନ ଜଳାଇଥିବା ଅଭିଜିତ ଦିପକେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପାର୍ଟିର ଓ୍ବେବସାଇଟ୍ ବନ୍ଦ କରିବାର ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, କେନ୍ଦ୍ର ସରକାର ଆମ ଓ୍ବେବସାଇଟକୁ ବନ୍ଦ କରିଦେଇଛନ୍ତି। ଆମର ଓ୍ବେବସାଇଟ୍ରେ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ କକ୍ରୋଚେସ୍ ପାର୍ଟିର ସଦସ୍ୟ ଭାବରେ ନିଜର ପଞ୍ଜିକରଣ କରିଥିଲେ। କେବଳ ସେତିକି ନୁହେଁ ଓ୍ବେବସାଇଟରେ ପ୍ରାୟ ୬ ଲକ୍ଷ ଅଧିକ ଲୋକ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ମାଗିଥିବା ଅଭିଯାନ ଉପରେ ସାକ୍ଷର କରିଥିଲେ।’
ଅଭିଜିତ କହିଛନ୍ତି ସରକାର ତାଙ୍କ ପାର୍ଟିକୁ କାହିଁକି ଏତେ ଡରୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଏକଛତ୍ରବାଦ ନୀତି ଭାରତର ଯୁବପୀଢିଙ୍କ ଆଖି ଖୋଲି ଦେଇଛି। ଆମର ଦୋଷ କେବଳ ଏତିକି ଯେ, ଆମ ନିଜର ଭଲ ଭବିଷ୍ୟତର ଦାବି କରୁଛି। ଆପଣ ଏତେ ସହଜରେ ଆମଠାରୁ ରକ୍ଷା ପାଇବେନି। ଆମେ ଏବେ ନୂଆ ଘରର ତଲାସରେ ଅଛୁ। କକ୍ରୋଚ୍ ବା ଅସରପା କେବେ ମରନ୍ତି ନାହିଁ।’