ଭୁବନେଶ୍ବର,୨।୧ : କମୁଛି ପାରଦ ,ବଢୁଛି ଶୀତ । ଆସନ୍ତା ସପ୍ତାହେ ଯାଏଁ ପାଣିପାଗରେ ବିଶେଷ ପରିବର୍ତ୍ତନ ନାହିଁ । ତେବେ କେତେକ ସ୍ଥାନରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ୬ ଯାଏଁ ଓଡ଼ିଶାରେ ଥଣ୍ଡାର ପ୍ରକୋପ ରହିବ । ଉପକୁଳ ସମେତ ଆଭ୍ୟନ୍ତରିଣ ଓଡିଶାରେ ଅଧିକ ଥଣ୍ଡା ଅନୁଭୂତ ହେବ ।
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସିବ । ଶୀତର ଲହରୀ ସାରା ରାଜ୍ୟରେ ଅନୁଭୂତ ହେବ । ବିଶେଷ ଭାବେ ଶୀତର ପ୍ରକୋପ ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ । ଏଥିସହ ଆସନ୍ତା ୨୪ ଘଣ୍ଟାରେ ଅନୁଗୁଳ, କନ୍ଧମାଳ ଓ ଢେ଼ଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ। ସେହିପରି ୪ ତାରିଖରେ ମଧ୍ୟ ଖୋର୍ଦ୍ଧା ,ନୟାଗଡ଼ ,ଗଞ୍ଜାମ, ଗଜପତି,କେଉଁଝର ,ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ ଘନ କୁହୁଡ଼ି ପରିଲକ୍ଷିତ ହେବ । ଏନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର । ସେପଟେ ଆସନ୍ତା ୬ ତାରିଖ ଯାଏଁ ମୁଖ୍ୟତଃ ପାଗ ଶୁଖିଲା ରହିବ ।
ଅନ୍ୟପକ୍ଷେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଶୀତରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା । ୧୦ ଡିଗ୍ରୀ ତଳେ ରହିବ ପାରଦ । ଉପକୂଳରେ ମଧ୍ୟ ଶୀତର ପ୍ରକୋପ ଦେଖାଦେବ । ଉତ୍ତର -ଉତ୍ତର ଉପକୂଳରୁ ବାୟୁ ପ୍ରବାହିତ ହେଉଛି । ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ।
ଗତ ୨୪ ଘଣ୍ଟାରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଜି. ଉଦୟଗିରିରେ ୪.୮ ଡିଗ୍ରୀ ସେଲସିୟସ , ଭୁବନେଶ୍ଵରରେ ୧୩.୨ ଡିଗ୍ରୀ ଓ କଟକରେ ୧୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ସିମିଳିଗୁଡାରେ ୬.୬ , ଝାରସୁଗୁଡ଼ା ୮.୦ ଓ ଚିପିଲିମା ୮.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।