ନୂଆଦିଲ୍ଲୀ ୦୬/୦୧: ଜମ୍ମୁ-କାଶ୍ମୀର ଏବଂ ହିମାଚଳ  ପ୍ରଦେଶରେ ବରଫପାତ ଯୋଗୁ ପୂର୍ବ ଭାରତରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ପ୍ରବଳ ଶୀତ ଯୋଗୁ ଗତ ୨୪  ଘଣ୍ଟାରେ ଉତ୍ତରପ୍ରଦେଶରେ ୮ ଏବଂ ବିହାରରେ ୨ ଜଣଙ୍କ  ମୃତ୍ୟୁ ଘଟିଛି । ଅରୁଣାଚଳ ପ୍ରଦେଶର ସେଲା ହ୍ରଦର ଏକ  ଭିଡିଓ ସାମ୍‌ନାକୁ ଆସିଛି । ବରଫ ପାଲଟିଥିବା ହ୍ରଦରେ  ଚାଲୁଥିବାବେଳେ ଏହା ଧସିଯିବା ଯୋଗୁ ୪ ପର୍ଯ୍ୟଟକ  ସେଠାରେ ଫସି ଯାଇଥିଲେ । ପରେ ସେମାନଙ୍କୁ ଉଦ୍ଧାର  କରାଯାଇଥିଲା । ଦେଶର ୧୪ ରାଜ୍ୟରେ ଘନ କୁହୁଡ଼ି  ଜାରିରହିଛି । ଦୃଶ୍ୟତା କମିବା ଯୋଗୁ ଦିଲ୍ଲୀରେ ରବିବାର  ୧୬୦ ବିମାନ ଉଡ଼ାଣ ବିଳମ୍ବ ହୋଇଛି । ୭ ବିମାନର ଉଡ଼ାଣ  ବାତିଲ କରାଯାଇଥିଲା । 

ସେହିପରି ୬୦ରୁ ଊଦ୍ଧ୍ୱର୍ ଟ୍ରେନ୍‌ ମଧ୍ୟ  ବିଳମ୍ବ ହୋଇଛି । କୁହୁଡ଼ି ଯୋଗୁ ଦିଲ୍ଲୀରେ ୩ ଦିନରେ  ୯୦୦ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି । ଅନ୍ୟପକ୍ଷରେ  କାଶ୍ମୀର ଏବଂ ଚିନାବ ଉପତ୍ୟାକାରେ ପ୍ରବଳ ବରଫପାତର  ଅନୁମାନ କରିଛି ପାଣିପାଗ ବିଭାଗ । ହିମାଚଳ ପ୍ରଦେଶର  ୭ ଜିଲ୍ଲାରେ ମଧ୍ୟ ବରଫପାତର ପୂର୍ବାନୁମାନ କରାଯାଇଛି ।  କାଶ୍ମୀରରେ ଶୋପିଆନ୍‌ ଜିଲ୍ଲାର ହିରପୋରା ଗ୍ରାମ ସବୁଠୁ  ଥଣ୍ଡା ଅଞ୍ଚଳ ହୋଇଛି । ଏଠାରେ ପ୍ରାୟ ୨ ଫୁଟର ବରଫ  ଜମିଛି । ଦିନବେଳା ଏଠାରେ ତାପମାତ୍ରା ବିଯୁକ୍ତ ୧୩ ଡିଗ୍ରୀକୁ  ଖସୁଥିବାବେଳେ ରାତି ତାପମାତ୍ରା ବିଯୁକ୍ତ ୨୦ ଡିଗ୍ରୀ ପର୍ଯ୍ୟନ୍ତ  ହ୍ରାସ ପାଉଛି । ରାସ୍ତାଘାଟ ବରଫରେ ଆଚ୍ଛାଦିତ ହୋଇଛି ।