ରାୟଗଡ଼ (ଗଜପତି)୨୪।୧୧:- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କୁମୁଳସିଂ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଭାରପ୍ରାପ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନନାଗା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ ମହାନ୍ତି,ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ବୀରାଜ ମଣ୍ଡଳ ଅଭିଯୋଗ ଶୁଣିଥିଲେ।
କୁମୁଳସିଂ ଗ୍ରାମ ପଞ୍ଚାୟତ ସମେତ ରାୟଗଡ, ସାନତୁଣ୍ଡି ଓ ମାର୍ଲବା ଗ୍ରାମ ପଞ୍ଚାୟତର ମୋଟ ୮୮ ଗୋଟି ଅଭିଯୋଗ ଶୁଣାଣି କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୩୭ ଟି ଓ ଗ୍ରାମ୍ୟଭିତ୍ତିକ ସମସ୍ୟା ୫୧ ଟି ଅଭିଯୋଗ ଆସିଥିଲା । ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି । ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ବିଭାଗ ତରଫରୁ ୫ ଜଣଙ୍କୁ ପେନସନ୍ କାର୍ଡ ବଣ୍ଟନ କରାଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସୀ ଯୋଜନା,ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ, ସ୍ଵାସ୍ଥ୍ୟ ଓ ରାସ୍ତା ସମସ୍ୟା ଭଳି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା ।
ଜନ ଅଭିଯୋଗ ଶୁଣାଣୀ ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଡଃ ମାୟାଧର ସାହୁ, ରାୟଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୂର୍ଣ୍ଣବାସି ନାୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ବାରିକ, ତହସିଲଦାର ସୁକାନ୍ତ ପ୍ରଧାନ, ସହକାରୀ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସରପଞ୍ଚ ସୁକୁ ଶବରଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଓ ବ୍ଲକ୍ ସ୍ତରୀୟ ଅଧିକାରୀଗଣ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ। ଏହି ଅବସରରେ ପଞ୍ଚାୟତ ପରିସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବାସଗୃହ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅତିରିକ୍ତ ଶ୍ରେଣୀ ଗୃହର ଉଦଘାଟନ କରାଯାଇଥିଲା I