ଖୋର୍ଦ୍ଧା,୨୪/୧୧: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରବିବାର ଏକ ସମ୍ବେଦନଶୀଳ ଘଟଣା ଘଟିଛି । ବାଘମାରୀ ଥାନା ଓସ୍ତପୁର ଗ୍ରାମ ନିକଟରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ହେଲେ ନୟାଗଡ଼ ଜିଲ୍ଲା ସୁନାଖଳା ଡିଆଇଇଟି (ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ) କେନ୍ଦ୍ରର ପ୍ରଥମ ବର୍ଷର ଶୁଭଲକ୍ଷ୍ମୀ ଦାସ (୧୮) । ଘର କଟକ ଜିଲ୍ଲା ବାଙ୍କୀ ଥାନା ପଥୁରୀପଡ଼ା ଗ୍ରାମରେ । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ପରିବାର ଲୋକେ ଶୁଭଲକ୍ଷ୍ମୀଙ୍କ ପୁରୁଷବନ୍ଧୁଙ୍କ ଭୂମିକା ଉପରେ ସନ୍ଦେହ କରିଛନ୍ତି । ଏପଟେ ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀଙ୍କ ଏକ ଅଡିଓ ଭାଇରାଲ ପରେ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ବାଘମାରୀ ପୁଲିସ ଘଟଣା ବାଙ୍କୀ ଥାନା ଅଞ୍ଚଳର ହୋଇଥିବାରୁ ବାଙ୍କୀ ଥାନାରେ ଅଭିଯୋଗ କରିବାକୁ ମୃତକଙ୍କ ପରିବାର ଲୋକଙ୍କୁ ପରାମର୍ଶ ଦେଇଛି ।
ମୃତ ଶୁଭଲକ୍ଷ୍ମୀଙ୍କ ଭିଣୋଇ ମାନସ ଦେହୁରୀ କହିଛନ୍ତି, କଟକ ଜିଲ୍ଲା ବାଙ୍କୀ ଥାନା ପଥୁରୀପଡ଼ା ଗ୍ରାମରେ ତାଙ୍କ ଶ୍ୱଶୁର ଘର । ଶ୍ୱଶୁର ଘର ପରିବାର କହିଲେ ବିଧବା ଶାଶୂ ଏବଂ ୪ ଝିଅ । ତନ୍ମଧ୍ୟରୁ ଶୁଭଲକ୍ଷ୍ମୀ ସାନ ଝିଅ । ଦୁଇ ମାସ ହେବ ଶୁଭଲକ୍ଷ୍ମୀ ସୁନାଖଳା ଡିଆଇଇଟିରେ ପ୍ରଥମ ଶିକ୍ଷାବର୍ଷରେ ନାମ ଲେଖାଇଥିଲେ । ଛାତ୍ରୀନିବାସରେ ରହି ପଢୁଥିଲେ। କିନ୍ତୁ ହଠାତ୍ ରବିବାର ପୂର୍ବାହ୍ଣ ୧୧ଟାରେ ବାଘମାରୀ ଥାନା ଓସ୍ତପୁର ଗ୍ରାମ ନିକଟରେ ଶୁଭଲକ୍ଷ୍ମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ବାଇକରେ କେହି ଛାଡ଼ି ଚମ୍ପଟ୍ ମାରିଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ବଡ଼ସଡ଼ୁ ଘଟଣାସ୍ଥଳକୁ ଯାଇଥିଲେ । ବାଇକରେ ଆସିଥିବା ଯୁବକ ଶୁଭଲକ୍ଷ୍ମୀଙ୍କୁ ଛାଡ଼ି ଚମ୍ପଟ୍ ମାରିଥିବା ସେ ସ୍ଥାନୀୟ ଲୋକଙ୍କଠାରୁ ଜାଣିବାକୁ ପାଇଥିଲେ । ପରେ ଏକ ଆମ୍ବୁଲାନ୍ସରେ ଶୁଭଲକ୍ଷ୍ମୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଣାଯାଉଥିଲା । ମାତ୍ର ଆମ୍ବୁଲାନ୍ସରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ସିମରଠାରୁ ଅନ୍ୟ ଏକ ଆମ୍ବୁଲାନ୍ସରେ ଶୁଭଲକ୍ଷ୍ମୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଶୁଭଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟପଟେ ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ ତାଙ୍କ ଭିଣୋଇ ମାନସଙ୍କ ଭଣଜାଙ୍କ ସହ ମୋବାଇଲ୍ କଥାବାର୍ତ୍ତା ହେବା ଅଡିଓ ଅନେକ ପ୍ରଶ୍ନ ଠିଆ କରିଛି । ଅଡିଓରେ ଶୁଭଲକ୍ଷ୍ମୀ ତାଙ୍କ ପୁରୁଷବନ୍ଧୁଙ୍କ ଘରକୁ ଗତ ଶନିବାର ଯାଇଥିବା ବେଳେ ପୁରୁଷବନ୍ଧୁ ତାଙ୍କ ମା’ସମ୍ମୁଖରେ ମାଡ଼ ମାରିଥିବା କହିଛନ୍ତି । ତେଣୁ ରାଗରେ ଘରୁ ଚାଲିଆସିଥିବା ଏବଂ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ସେ ଯେଉଁଠାରେ ଅଛନ୍ତି କେହି ଜାଣି ନ ଥିବା କହିବା ସହ ଜଙ୍ଗଲରେ ମଧ୍ୟରେ ବିଷ ଖାଇଦେଇଥିବା କହିଛନ୍ତି । ଏପଟେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶୁଭଲକ୍ଷ୍ମୀଙ୍କ ପରିବାର ଲୋକମାନେ ମୃତ୍ୟୁ ପାଇଁ ପୁରୁଷବନ୍ଧୁଙ୍କ ଭୂମିକାକୁ ସନ୍ଦେହ କରିଛନ୍ତି ।
ସୁନାଖଳା ଡିଆଇଇଟିର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ଶନିବାର ସନ୍ଧ୍ୟାରେ ଛୁଟି ଆବେଦନ ଦେଇ ଶୁଭଲକ୍ଷ୍ମୀ ଘରକୁ ଯାଇଥିବା କହିଛନ୍ତି । ବାଘମାରୀ ଥାନା ଅଧିକାରୀ ଶମ୍ଭୁନାଥ ନାୟକ ଘଟଣା ବାଙ୍କୀ ଥାନା କୁମୁସର ନୂଆଗାଁ ଅଞ୍ଚଳରେ ଘଟିଥିବାରୁ ବାଙ୍କୀ ଥାନାରେ ଅଭିଯୋଗ କରିବାକୁ ପରିବାର ଲୋକଙ୍କୁ କହିଛନ୍ତି । ବାଙ୍କୀ ଥାନା ଏତଲା ରଖିବାକୁ ଅମଙ୍ଗ ହେଉଥିବାରୁ ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି।