ନୂଆଦିଲ୍ଲୀ,୩୧।୫: ଅପରେସନ୍ ସିନ୍ଦୂରକୁ ନେଇ ଭାରତ ଦୁନିଆ ଆଗରେ ନିଜର କଥା ରଖିଛି। ବିଶ୍ବର ଅଲଗା ଅଲଗା ଦେଶକୁ ଯାଇଥିବା ସର୍ବଦଳୀୟ ପ୍ରତିନିଧିମଣ୍ଡଳୀଙ୍କୁ ମିଳିଛି ବଡ଼ ସଫଳତା। ୭ ମଇରେ ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ଅପରେସନ୍ ସିନ୍ଦୂରରେ ଆତଙ୍କୀଙ୍କ ମୃତ୍ୟୁ ଉପରେ ସମବେଦନା ବ୍ୟକ୍ତ କରିଥିବା କଲୋମ୍ବିଆ ନିଜର ବୟାନକୁ ଏବେ ବଦଳାଇବାକୁ ପ୍ରସ୍ତୁତ ଅଛି।
କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ସଫଳତା। ଅପରେସନ୍ ସିନ୍ଦୂର ପ୍ରସଙ୍ଗରେ ଏବେ ସେ କଲୋମ୍ବିଆକୁ ବୁଝାଇବାରେ ସଫଳ ହୋଇଛନ୍ତି। ଫଳରେ କଲୋମ୍ବିଆ ନିଜର ବୟାନ ବଦଳାଇଛି। ପୂର୍ବରୁ ଆତଙ୍କବାଦୀଙ୍କ ମୃତ୍ୟୁକୁ ନେଇ ଶୋକ ବ୍ୟକ୍ତ କରୁଥିବା ଦେଶ ଏବେ ସତ କ’ଣ ବୁଝିପାରିଛି। ପ୍ରତିନିଧି ମଣ୍ଡଳୀର ନେତୃତ୍ବ ନେଉଥିବା ଥରୁର କହିଛନ୍ତି, କଲୋମ୍ବିଆ ନିଜର ବୟାନ ପ୍ରତ୍ୟାହାର କରିଛି। ଯାହାକୁ ନେଇ ଆମେ ପୂର୍ବରୁ ନିରାଶ ହୋଇଥିଲୁ। ଏବେ ସେ ଆମ ସମର୍ଥନରେ ଏକ ବୟାନ ଜାରି କରିବ।’ଥରୁରଙ୍କ ଏହି ବୟାନ ତାଙ୍କ ଗତ ବୟାନର ଦିନକ ପରେ ଆସିଛି, ଯେଉଁଥିରେ ସେ କହିଥିଲେ ‘ଅପରେସନ୍ ସିନ୍ଦୂର’ ଉପରେ କଲୋମ୍ବିଆର ଆଭିମୁଖ୍ୟ ନେଇ ନିରାଶା ବ୍ୟକ୍ତ କରିଥିଲେ।
ଆମେରିକାରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଓ ବିଜେପି ନେତା ତରନଜିତ୍ ସିଂହ ସନ୍ଧୁ କହିଛନ୍ତି କଲୋମ୍ବିଆ ସରକାରଙ୍କ ଆଗରେ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ‘ଅପରେସନ୍ ସିନ୍ଦୂର’ ଉପରେ ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ପକ୍ଷ ରଖିଛି। ପ୍ରତିନିଧି ମଣ୍ଡଳୀ ବିସ୍ତୃତ ସ୍ପଷ୍ଟୀକରଣ ଦେଇ କାର୍ଯ୍ୟନିର୍ବାହୀ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଚର୍ଚ୍ଚା କରିଥିଲେ। ପୁରା ଟିମ୍ ତାଙ୍କୁ ସମୟ ସୀମା ବୁଝାଇ ପୁରା ଘଟଣାର ସୂଚନା ଦେଇଛନ୍ତି। ତେଣୁ ଏହା ପୂର୍ବରୁ ସେ ଦେଇଥିବା ବୟାନରେ ଘଟଣାକ୍ରମର କିଛି ମୁଖ୍ୟ ବିନ୍ଧୁ ରହିଯାଇଥିଲା। ଏହି କାରଣରୁ ସେ ଏଭଳି ବୟାନ ଦେଇଥିଲା। କଲୋମ୍ବିଆ ଦ୍ବାରା ଏହି ପ୍ରସଙ୍ଗ ଉପରେ ନିଜର ବୟାନ ବଦଳାଇବାର ମହତ୍ବ ଏଥିପାଇଁ ଅଧିକ, କାରଣ ସେ ଖୁବ୍ ଶୀଘ୍ର ସୁରକ୍ଷା ପରିଷଦର ସଦସ୍ୟ ହେବାକୁ ଯାଉଛି।’ କଲୋମ୍ବିଆର ଉପ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଏହି ସ୍ପଷ୍ଟୀକରଣ ଉପରେ ଆମକୁ ପୁରା ବିଶ୍ବାସ ଅଛି । ଏହି ପ୍ରସଙ୍ଗ ଉପରେ ଯେଉଁ ସ୍ପଷ୍ଟୀକରଣ ମିଳିଛି ତାହା ବାସ୍ତବିକ ସ୍ଥିତି, ସଂଘର୍ଷ ଓ କାଶ୍ମୀରରେ ଯାହା କିଛି ଚାଲିଛି ସେ ବିଷୟରେ ପର୍ଯ୍ୟାପ୍ତ ସୂଚନା ଦେଉଛି। ଏ ବିଷୟରେ ଆମେ ଆହୁରି ଆଲୋଚନା ଜାରି ରଖି ପାରିବୁ।