ଭୁବନେଶ୍ୱର,୨୩/୦୨: କିଛି ବର୍ଷ ହୋଇଯିବ ବଜାରରେ ଦେଖିବାକୁ ମିଳୁଛି ରଙ୍ଗୀନ୍‌  କେବି । ଏଥିରେ କୌଣସି ରାସାୟନିକ ରଙ୍ଗ  ପ୍ରଲେପ ହୋଇନି । ବରଂ ଏହା ପ୍ରାକୃତିକ ଭାବେ  ରଙ୍ଗୀନ୍‌ । ଚାଷ ପଦ୍ଧତିରେ ଉନ୍ନତି କାରଣରୁ ଏହିଭଳି କୋବିର ପସରା  ରାଜଧାନୀରେ ଦେଖିବାକୁ  ମିଳୁଛି । ଯାହାକୁ କିଣିବା  ପାଇଁ ଲୋକମାନଙ୍କ ଭିତରେ ବେଶ୍‌ ଉତ୍ସୁକତା  ଦେଖାଯାଉଛି । 

ପୂର୍ବରୁ ଏହି ରଙ୍ଗୀନ୍‌ କୋବି ବାହାର ରାଜ୍ୟରୁ  ଆସୁଥିଲା । ହେଲେ ବର୍ତ୍ତମାନ ଭୁବନେଶ୍ୱର ଉପକଣ୍ଠ  ବାରଙ୍ଗରେ କିଛି ଚାଷୀ ଏହାକୁ ନିଜ କ୍ଷେତରେ ଚାଷ  କରୁଛନ୍ତି । ସାଧାରଣ ଧଳା କୋବିଠାରୁ ଏହାର  ମୂଲ୍ୟ ଅଧିକ ରହୁଛି । ମୁଖ୍ୟତଃ ହଳଦିଆ  କୋବି ଗୋଟାକୁ ୮୦ ଟଙ୍କା, ପିଆଜ ରଙ୍ଗର  କୋବି ମୂଲ୍ୟ ୯୦ଟଙ୍କା, ବ୍ରୋକଲି ୫୦, ବାଇଗଣି  ରଙ୍ଗର ବନ୍ଧାକୋବି ୭୦ ଟଙ୍କା, ଲୋଟସ୍‌ ୮୦ ଟଙ୍କା  ରହୁଛି । ବିଶେଷକରି  ରେସ୍ତୋରାଁଗୁଡ଼ିକରେ  ଏହାର ଚାହିଦା ବେଶ୍‌  ଅଧିକ । ପ୍ରଦର୍ଶନୀ ପଡ଼ିଆ ଯିବା ରାସ୍ତାରେ ରଙ୍ଗିନ୍‌  କୋବି ବିକ୍ରି କରୁଥିବା ଦିଲୀପ ବେହେରା କୁହନ୍ତି,  ଏହି କୋବିର ବେଶ୍‌ ଚାହିଦା ରହିଛି । ହେଲେ  କିଛି ଲୋକ ଭାବୁଛନ୍ତି ଏଥିରେ ଆମେ ରଙ୍ଗ  ଲଗାଇଦେଉଛୁ । ସେଥିପାଇଁ ହାତ ମାରି ପରୀକ୍ଷା  କରୁଛନ୍ତି । ହେଲେ ଏହାର ମହତ୍ତ୍ୱ ଜାଣିଥିବା ଲୋକ  ବିନା ମୂଲଚାଲରେ କିଣିକରି ନେଇଯାଆନ୍ତି । ମୁଁ  ଏହି କୋବି ବାରଙ୍ଗର ଚାଷୀମାନଙ୍କଠାରୁ ଆଣୁଛି ।   

ଏହି କୋବି ଚାଷ କରୁଥିବା ଚାଷୀଙ୍କ  କହିବା କଥା, ଧଳା କୋବି ତୁଳନାରେ ରଙ୍ଗୀନ୍‌  କୋବିର ଯତ୍ନ ଟିକେ ଅଧିକ । ଏହି କୋବି ଅଧିକ  ମିଠା ହୋଇଥିବାରୁ ଏଥିରେ ବହୁତ ଶୀଘ୍ର ପୋକ  ଲାଗେ । ସେଥିପାଇଁ ପ୍ରତି ୨ଦିନରେ ଥରେ ଔଷଧ  ଦେବାକୁ ପଡ଼ିଥାଏ । ୧୦ ଗ୍ରାମ ଧଳା କୋବି ମଞ୍ଜିର  ମୂଲ୍ୟ ୪୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ  ରଙ୍ଗୀନ୍‌ କୋବି ମଞ୍ଜିର ମୂଲ୍ୟ ମଧ୍ୟ ସମାନ । ହେଲେ  ଏହାର ଯତ୍ନ ଓ ଔଷଧରେ ଅଧିକ ଖର୍ଚ୍ଚ ହୋଇଯାଏ ।  ପ୍ରୟ ୨ ରୁ ୩ ଫୁଟ ଦୂରତା ରଖି ଏହି କୋବିକୁ  ଲଗାଯାଇଥାଏ । ଧଳା କୋବି ଫଳିବା ପାଇଁ ୩ ମାସ  ସମୟ ଲାଗୁଥିବା ବେଳେ ରଙ୍ଗୀନ୍‌ ପାଇଁ ଅହୁରି  ୨୦ ଦିନ ଅଧିକ ଲାଗିଥାଏ । ଏହି କୋବି ମୁଖ୍ୟତଃ  ବାୟୋ ଫର୍ଟିଫାଏଡ୍‌ । ଅର୍ଥାତ୍‌ ଭିଟାମିନ୍‌ ଏ ମାତ୍ରା  ଏଥିରେ ଅଧିକ ରହିଛି । ଆମକୁ ଆଉ ଭିଟାମିନ୍‌ ଏ  ପାଇଁ ଅଲଗା କିଛି ଖାଇବାର ଆବଶ୍ୟକତା ନାହିଁ  ବୋଲି କହିଛନ୍ତି ଡ. ଲିଲିମୋନି ତ୍ରିପାଠୀ ।