ନୂଆଦିଲ୍ଲୀ ୧୭/୦୪: ୧୦୦ ବର୍ଷ ପରେ ପ୍ରଥମ ଥର ଏକ ବିଶାଳ ସ୍କ୍ୱିଡ୍‌ ଆବିଷ୍କୃତ  ହୋଇଛି । ଦକ୍ଷିଣ ଆଟ୍‌ଲାଣ୍ଟିକ୍‌ ମହାସାଗରରେ ସାଉଥ୍‌ ସାଣ୍ଡୱିଚ୍‌ ଦ୍ୱୀପ ନିକଟରେ ୬୦୦ ମିଟର (୧,୯୬୮ ଫୁଟ)  ଗଭୀରରେ ଏହି ଛୁଆ ସ୍କ୍ୱିଡ୍‌ କ୍ୟାମେରାରେ ଧରାପଡ଼ିଛି ।  ଏହାର ଲମ୍ବ ୩୦ ସେମି । ୟୁନିଭର୍ସିଟି ଅଫ୍‌ ଏସେକ୍ସ  ଏକାଡେମିକ୍‌ ନେତୃତ୍ୱାଧୀନ ବୈଜ୍ଞାନିକଙ୍କର ଏକ ଟିମ୍‌  ଗତ ମାର୍ଚ୍ଚରେ ନୂଆ ସାମୁଦ୍ରିକ ଜୀବ ଅନ୍ୱେଷଣର ୩୫  ଦିନିଆ ଅଭିଯାନରେ ସ୍କ୍ୱିଡ୍‌ର ଭିଡିଓ ରେକର୍ଡ କରିଥିଲେ ।  ବିଶେଷଜ୍ଞଙ୍କ ବିଶ୍ୱାସ, ଏହି ବିଶାଳ ସ୍କ୍ୱିଡ୍‌ ୭ ମିଟର ଲମ୍ବ  ଯାଏ ବଢ଼ିପାରେ ଏବଂ ତା’ର ଓଜନ ୫୦୦ କିଲୋ  ହୋଇପାରେ । ସେଥିପାଇଁ ଏହାକୁ ପୃଥିବୀର ସବୁଠୁ  ବିଶାଳ ଅମେରୁଦଣ୍ଡୀ ଜୀବ କୁହାଯାଏ ।  

ସ୍କମିଡ୍‌ଟ ଓସନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଫାଲ୍‌କର ଜାହାଜରେ  ସାମୁଦ୍ରିକ ଜୀବ ଅନ୍ୱେଷଣରେ ଥିବା ବୈଜ୍ଞାନିକ ଟିମ୍‌  ସ୍କ୍ୱିଡ୍‌ ଚିହ୍ନଟ ଲାଗି ଏକ ରିମୋଟ୍‌-କଣ୍ଟ୍ରୋଲ ଯାନ  ପ୍ରୟୋଗ କରିଥିଲେ । ଅନ୍ୱେଷଣର ମୁଖ୍ୟ ବୈଜ୍ଞାନିକ  ମିଶେଲ ଟେଲର କହିଛନ୍ତି, ସ୍କ୍ୱିଡ୍‌ କ’ଣ ବୈଜ୍ଞାନିମାନେ  ପ୍ରଥମେ ଜାଣିନଥିଲେ। କିନ୍ତୁ ଖୁବ୍‌ ସୁନ୍ଦର ଓ ଅସାଧାରଣ  ଦିଶୁଥିବାରୁ ତା’ର ଭିଡିଓ ରେକର୍ଡ କଲେ । ତା’ପରେ  ଭିଡିଓକୁ ବୈଜ୍ଞାନିକ କ୍ୟାଟ୍‌ ବୋଲଷ୍ଟାଡ୍‌ ଯାଞ୍ଚ୍‌ କଲେ ଏବଂ  କହିଲେ ଯେ ପୂର୍ବରୁ ମୁଖ୍ୟତଃ ତିମି ଓ ସମୁଦ୍ରପକ୍ଷୀଙ୍କ  ପେଟରେ ଅବଶେଷ ଭାବେ ସ୍କ୍ୱିଡ୍‌ଙ୍କୁ ଚିହ୍ନଟ  କରାଯାଇଥିଲା । ବିଶାଳ ସ୍କ୍ୱିଡ୍‌ଙ୍କ ଜୀବନ ଚକ୍ର ବିଷୟରେ  ଖୁବ୍‌ କମ୍‌ ତଥ୍ୟ ରହିଛି । 

ଏହି ପ୍ରଜାତିର ଏକ ଲୁକ୍କାୟିତ  ବୈଶିଷ୍ଟ୍ୟ ହେଉଛି ସେମାନଙ୍କ ୮ଟି ବାହୁର ମଝିରେ  ହୁକ ରହିଛି । ମାଛ ଧରାଳିମାନେ ପୂର୍ବରୁ ମୃତ ବୟସ୍କ  ସ୍କ୍ୱିଡ୍‌ଙ୍କ ଭିଡିଓ ରେକର୍ଡ କରିଛନ୍ତି । କିନ୍ତୁ ଏତେ ଗଭୀରରେ  ସେମାନଙ୍କୁ କେବେ ଦେଖାଯାଇନାହିଁ । ନାଚୁରାଲ ହିଷ୍ଟ୍ରୀ  ମ୍ୟୁଜିୟମ୍‌ ଅନୁସାରେ, ବିଶ୍ୱରେ ବିଶାଳ ସ୍କ୍ୱିଡ୍‌ଙ୍କ ସଂଖ୍ୟା  ଆକଳନ କରିବା କଷ୍ଟକର । ବୈଜ୍ଞାନିକମାନେ ଗତ  ଜାନୁଆରୀରେ ପ୍ରଥମ ଥର ପାଇଁ ଏକ ଗ୍ଲାସିଆଲ୍‌ ଗ୍ଲାସ୍‌  ସ୍କ୍ୱିଡ୍‌କୁ କ୍ୟାମେରାରେ ରେକର୍ଡ କରିଥିବା ସ୍ପଷ୍ଟ କରିଥିଲେ।