ମାଲକାନଗିରି, ୨୫/୧(ଆପ୍ର ): ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମାଲକାନଗିରି ଗସ୍ତ ରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ସ୍ଥାନୀୟ ସର୍କିଟ ହାଉସଠାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ପରିବହନ ମନ୍ତ୍ରୀ ଜିଲ୍ଲାର ପରିବହନ କାର୍ଯ୍ୟକ୍ରମ କଡାକଡି ଭାବରେ ଯାଞ୍ଚ କରିବା , ଦୁର୍ଘଟଣା ସ୍ଥିତି ଆଦି ଉପରେ ଆଲୋଚନା କରିଥିଲେ l ଜିଲ୍ଲା ଖଣିଜ ଅଧିକାରୀଙ୍କ ସହିତ ଜିଲ୍ଲାର କ୍ଷୁଦ୍ର ଓ ବୃହତ ଖଣିଜ କ୍ଷେତ୍ର ଉପରେ ପଚାରି ବୁଝିଥିଲେ ଏବଂ ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସଡକ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରୀ ଦୁର୍ଘଟଣା ସହାୟତା ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଧିକରୁ ଅଧିକ ଅଥରାଇଜ୍ଡ ପଲୁସନ୍ ସେଣ୍ଟର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ସେହିପରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ଜନସାଧାରଣଙ୍କ ସହାୟତା ନିମନ୍ତେ ହେଲ୍ପ ଡେସ୍କ ଖୋଲି ଜଣେ ଅଧିକାରୀଙ୍କୁ ନିୟୋଜିତ କରିବା ପାଇଁ କୁହାଯାଇଛି। ଓଏସଆରଟିସି ଅଧିକାରୀଙ୍କୁ ସମସ୍ତ ଗାଡ଼ି ର ରିରୁଟିଂ କରିବା ପାଇଁ ମଧ୍ଯ କୁହାଯାଇଛି।
ଜିଲ୍ଲାରେ ଅମାନିଆ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ଗୋବିନ୍ଦପାଲି ରୁ ମୋଟୁ ପର୍ଯ୍ୟନ୍ତ ରାସ୍ତାରେ ଆଇ ଏମ୍ ଏସ୍ (ଇସିଡେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସ୍) ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଓଏସଆରଟିସି ଡ଼ିପୋରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି ନା ନାହିଁ ପଚାରି ବୁଝିଥିଲେ ମନ୍ତ୍ରୀ। ମାଲକାନଗିରି ସହର ବସ୍ ଷ୍ଟାଣ୍ଡ ନିମନ୍ତେ ଉନ୍ନତ ମାନର ସମସ୍ତ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଖଣି କ୍ଷେତ୍ରରେ ନିୟମିତ ତଦାରଖ କରିବା ପାଇଁ ତହସିଲଦାର, ଖଣି ଅଧିକାରୀ ଓ ପଲୁସନ୍ ତଦାରଖ ଦାୟିତ୍ଵ ରେ ଥିବା ଅଧିକାରୀଙ୍କୁ ନେଇ ଏକ ଏନଫୋର୍ସମେଣ୍ଟ ଟିମ୍ ଗଠନ କରିବାକୁ ଜିଲ୍ଲାପାଳ ଙ୍କୁ କୁହାଯାଇଛି। ସେହିପରି ନୂଆ ଏମଏସପିରୁ ଅଧିକ ଦରରେ କେହି ବାଲି ବିକ୍ରୀ କରି ପାରିବେ । ମିଳିତ ଭାବେ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବା ପାଇଁ ସମସ୍ତ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।
ଏହି ବୈଠକରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ବିଧୟଜ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଂଗୁ ଖିଲ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଉପସ୍ଥିତ ଥିଲେ। ପରିବହନ ଓ ଖଣି ବିଭାଗର ସମସ୍ତ ଅଧିକାରୀ ମଧ୍ଯ ଉପସ୍ଥିତ ଥିଲେ।