ଭୁବନେଶ୍ବର, ୨୨/୧୧ : ଇଣ୍ଡିଆନ୍ ରେଡ଼କ୍ରସ ସୋସାଇଟି, ଆଞ୍ଚଳିକ ଶାଖା, କମିଶନରେଟ୍ ପୁଲିସ ପକ୍ଷରୁ ଶନିବାର ପୃଥକ୍ ପୃଥକ୍ ସ୍ଥାନରେ ୩ଟି ରକ୍ତଦାନ ଶିବିର ଆୟୋଜିତ ହେବା ସାଙ୍ଗକୁ ମୋଟ ୧୭୨ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । କଟକସ୍ଥିତ ଖ୍ରୀଷ୍ଟ ମହା ବିଦ୍ୟାଳୟ, ଭୁବନେଶ୍ୱରର ରାଜଧାନୀ ମହାବିଦ୍ୟାଳୟ ଏବଂ ମଦନପୁରସ୍ଥିତ ନିସ୍ ଇନଷ୍ଟିଚ୍ୟୁଟ୍ଠାରେ ଏହି ସବୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ୩ଟି ସ୍ଥାନରୁ ଯଥାକ୍ରମେ ୫୧, ୫୯ ଓ ୬୨ ଲେଖାଏଁ ରକ୍ତ ୟୁନିଟ୍ ସଂଗୃହିତ ହୋଇଛି । ସମସ୍ତ ସ୍ଥାନରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ/ଅଧ୍ୟାପିକାମାନେ ସ୍ୱେଚ୍ଛାକୃତ ଭାବେ ବହୁ ସଂଖ୍ୟାରେ ସାମିଲ୍ ହୋଇ ରକ୍ତଦାନ କରିଥିଲେ।
ଖ୍ରୀଷ୍ଟ ମହାବିଦ୍ୟାଳୟଠାରେ ଆୟୋଜିତ ଶିବିରରେ କଟକ ଡିସିପି ଖିଲାରି ଋଷିକେଶ, ଭା.ପୁ.ସେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମଧୁସ୍ମିତା ପାତ୍ର, ଉପାଧ୍ୟକ୍ଷା କ୍ଷଣପ୍ରଭା ନନ୍ଦ, ଅତିରିକ୍ତ ଡିସିପି ଆରକେ ପୃଷ୍ଟି, ଏସିପି ଜୋନ୍-୨ ଯତୀନ୍ଦ୍ର ନାଥ ସେଠୀ ଏବଂ କ୍ୟାଣ୍ଟନମେଣ୍ଟ୍ ଥାନା ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।
ସେହିଭଳି ନିସ୍ ଇନଷ୍ଟିଚ୍ୟୁଟଠାରେ ଆୟୋଜିତ ରକ୍ତଦାନ ଶିବିର ଏବଂ ସାଇବର ସଚେତନତା ତଥା ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମରେ ସିଲଭେରିଅସ୍ ଟପ୍ପୋ, ଡିସିପି, କମିଶନରେଟ୍ ପୁଲିସ, ମାନସ ରଞ୍ଜନ ଗଡ଼ନାୟକ ଅତିରିକ୍ତ ଡିସିପି, କମିଶନରେଟ୍ ପୁଲିସ, ତାପସ ଚନ୍ଦ୍ର ପ୍ରଧାନ ଏସିପି ଜୋନ୍-୩, ଗୟାନନ୍ଦ ସାହା ଆଇଆଇସି ଇନଫୋଭ୍ୟାଲି ଥାନା, ସବ୍-ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ସାଇବର ଏକ୍ସପର୍ଟ, ସାଇବର ଥାନା ଭୁବନେଶ୍ୱର ସବ୍-ଇନ୍ସପେକ୍ଟର ଶିବାନୀ ନନ୍ଦ, ସୁଭାଶ ଚନ୍ଦ୍ର ନାୟକ, ଚେୟାରମ୍ୟାନ୍-କମ୍-ସେକ୍ରେଟାରୀ, ନିସ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ ରାଜେଶ ସେନ୍, ପ୍ରିନ୍ସପାଲ୍ (ଏନଆଇବିଏ)ଏବଂ ଅଜିତ ନାରାୟଣ ମହାନ୍ତି, ପ୍ରିନ୍ସପାଲ୍ (ନିସ୍) ପ୍ରମୁଖ ଯୋଗଦେଇଥିଲେ।
ଟ୍ୱିନସିଟିରେ ରକ୍ତର ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ କମିଶନରେଟ୍ ପୁଲିସ, ଭୁବନେଶ୍ୱର-କଟକ ନିୟମିତ ବ୍ୟବଧାନରେ ଏଭଳି ରକ୍ତଦାନ ଶିବିରର ଆୟୋଜନ କରି ଆସୁଛି।