ଭୁବନେଶ୍ୱର,୨୪/୦୭: ରାଜ୍ୟ ପୁଲିସ ମୁଖ୍ୟ ୧୯୯୦ ବ୍ୟାଚର ଆଇପିଏସ୍ ୱାଇ ବି ଖୁରାନିଆ ଆସନ୍ତା ଅଗଷ୍ଟ ୧୬ରେ ଅବସର ନେବେ । ରାଜ୍ୟ ସରକାର ତାଙ୍କୁ ଅବସର ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ବର୍ଷ ପୂରଣ କରି ସରକାରୀ ଚାକିରିରୁ ଅବସର ନେବାର ଥିଲା । ପୁଲିସ ଡିଜି ଭାବେ ୨ବର୍ଷ କାର୍ଯ୍ୟକାଳ ପୂରଣର ପ୍ରାବଧାନ ପାଇଁ ତାଙ୍କ କାର୍ଯ୍ୟକାଳ ୨୦୨୬ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ବଢ଼ାଇଥିଲେ ରାଜ୍ୟ ସରକାର ।
ୟୁପିଏସସି ଗାଇଡ୍ଲାଇନ୍ ଅନୁସାରେ ଡିଜିପି ଚୟନ ପାଇଁ ଗତ ମେ’ ୧୪ ତାରିଖରେ ୧୧ ଜଣ ବରିଷ୍ଠ ଆଇପିଏସ୍ଙ୍କ ନାଁ ୟୁପିଏସସିକୁ ପଠାଇଛନ୍ତି ରାଜ୍ୟ ସରକାର । ସେମାନେ ହେଲେ ୧୯୯୦ ବ୍ୟାଚର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚର ଆଇପିଏସ୍ ସୁଶାନ୍ତ ନାଥ ଓ ୧୯୯୩ ବ୍ୟାଚର ଆଇପିଏସ ଆର୍ ପି କୋଚେ । ୧୯୯୪ ବ୍ୟାଚର ଏଡିଜି ସଞ୍ଜୀବ ପଣ୍ଡା, ୧୯୯୪ ବ୍ୟାଚର ୟଶୱନ୍ତ କୁମାର ଜେଠୱା, ୧୯୯୫ ବ୍ୟାଚର ରିତୁ ଅରୋରା, ୧୯୯୫ ବ୍ୟାଚ୍ର ସୌମେନ୍ଦ୍ର ପ୍ରିୟଦର୍ଶୀ, ୧୯୯୫ ବ୍ୟାଚର ସନ୍ତୋଷ ବାଲା, ୧୯୯୫ବ୍ୟାଚର ପି ଏସ୍ ରଣପିସେ, ୧୯୯୬ ବ୍ୟାଚର ଅରୁଣ ବୋଥ୍ରା, ୧୯୯୬ ବ୍ୟାଚର ଆଇପିଏସ୍ ସୁନୀତା କାକରାନ ।
ଗଣମାଧ୍ୟମର ଆକଳନ ଅନୁଯାୟୀ, ଅଗ୍ନିଶମ ଡିଜି ଶ୍ରୀ ଷଡଙ୍ଗୀ ଏବଂ ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ କୋଚେ ଡିଜିପି ରେସ୍ରେ ସବୁଠାରୁ ଆଗରେ ଥିବା ବେଳେ ଏଡିଜି ଶ୍ରୀ ପଣ୍ଡା ଓ ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଜେଠୱା ମଧ୍ୟ ଦୃଢ଼ ଦାବିଦାର ଭାବେ ଉଭା ହୋଇଛନ୍ତି । ସେପଟେ ଏହି ୧୧ ଜଣଙ୍କର ବ୍ୟକ୍ତିଗତ ତଥ୍ୟ ବା ବାୟୋଡାଟା ଗତ ମାସଠାରୁ ଗୃହ ବିଭାଗ ନେଇଥିଲା । ଏକାଡେମିକ ଆଚିଭମେଣ୍ଟ ସହ ବାୟୋଡାଟାକୁ ରାଜ୍ୟ ସରକାର ୟୁପିଏସ୍ସିକୁ ପଠାଇ ଦେଇଥିଲେ ।
ୟୁପିଏସ୍ସି ଗାଇଡ୍ଲା ଇନ୍ ଅନୁସାରେ ଡିଜିପି ପାଇଁ ଚାକିରି କାର୍ଯ୍ୟକାଳ ୨୫ରୁ ୩୦ ବର୍ଷ ହୋଇଥିବ । ଚାକିରିକାଳର ଭଲ ରେକର୍ଡ ଏବଂ ଅଭିଜ୍ଞତା ଥିବା ଆବଶ୍ୟକ । ଅବସର ପୂର୍ବରୁ ଅଧିକାରୀଙ୍କର ସେବାର ଅବଶିଷ୍ଟତା ଅତି କମରେ ୬ ମାସ ରହିବା ଆବଶ୍ୟକ । ଏମ୍ପ୍ୟାନେଲମେଣ୍ଟ କମିଟିରେ କେନ୍ଦ୍ର ଗୃହ ସଚିବ, ରାଜ୍ୟର ମୁଖ୍ୟ ସଚିବ ଏବଂ ବର୍ତ୍ତମାନର ଡିଜିପିଙ୍କ ସମେତ ଜଣେ ୟୁପିଏସ୍ସି ସଦସ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ପ୍ୟାନେଲ ଚୟନ କରାଯିବ । ୟୁପିଏସ୍ସି ତିନି ଜଣ ଅଧିକାରୀଙ୍କୁ ଚୟନ କରିବେ । ସେମାନଙ୍କ ମଧ୍ୟରୁ ରାଜ୍ୟ ଜଣଙ୍କୁ ନିଯୁକ୍ତ କରିବ । ଆସନ୍ତା ୭ ତାରିଖରେ ଏମ୍ପ୍ୟାନେଲମେଣ୍ଟ କମିଟିରେ ବସିବ ବୋଲି ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ :- Bahuda Yatra: ବାହୁଡ଼ା, ସୁନାବେଶ ଲାଗି ପୁଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ,୨୦୫ ପ୍ଲାଟୁନ୍ ଫୋର୍ସ ମୁତୟନ, ୩ ରଥ ଲାଗି ୨ କର୍ଡନ
ବରିଷ୍ଠତା ଭିତ୍ତିରେ ଶ୍ରୀ ନାଥଙ୍କ ଉପରେ ୧୯୯୨ ବ୍ୟାଚର ସ୍ୱପ୍ନା ତିୱାରୀ ଅଛନ୍ତି । ଶ୍ରୀ କୋଚେଙ୍କ ଉପରେ ଅଛନ୍ତି ୧୯୯୩ ବ୍ୟାଚ୍ର ଆଇପିଏସ୍ ବିନୋୟତୋଷ ମିଶ୍ର । ତେବେ ଶ୍ରୀମତି ତିୱାରୀ ଏବେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ବେଳେ ଶ୍ରୀ ମିଶ୍ର ଏବେ କ୍ରାଇମ୍ବ୍ରାଞ୍ଚ ଡିଜି ଅଛନ୍ତି । ଆଉ ଅଳ୍ପ କିଛି ମାସ ମଧ୍ୟରେ ଶ୍ରୀ ମିଶ୍ର ଓ ଶ୍ରୀମତି ତିୱାରୀ ଅବସର ନେବେ । ତା’ଛଡା ୧୯୯୫ ବ୍ୟାଚ୍ର ଆଇପିଏସ୍ ଆର. କେ ଶର୍ମା ୨୦୨୬ ଶେଷ ସୁଦ୍ଧା ଅବସର ନେଉଛନ୍ତି । ଗାଇଡ୍ଲାଇନ୍ ଅନୁସାରେ ଏହି ୩ ଜଣଙ୍କ ନାଁ ଡିଜିପି ଦୌଡରୁ ବାଦ୍ ରହିଛି ।