କେସିଙ୍ଗା,୦୬/୦୮: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସିର ବିଭିନ୍ନ ଉନ୍ନୟନମୂଳକ କାମରେ ଅନିୟମିତତା ସହିତ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଛି । ବିଭିନ୍ନ ଉନ୍ନୟନମୂଳକ କାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା ନିମ୍ନମାନର ହେଉଥିବା ଯୋଗୁଁ କାମର ସ୍ଥାୟୀତ୍ବ ରହୁନାହିଁ । ଯାହାକୁ ନେଇ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ୫ଜଣ କାଉନସିଲର ଏଭଳି ଅଭିଯୋଗ ଆଣିଛନ୍ତି । ଦୁଇ ଗୋଟି ପ୍ରକଳ୍ପର କାମ ଅତି ନିମ୍ନମାନର ହୋଇଥିବା ଦର୍ଶାଇ କଳାହାଣ୍ଡି ଜିଲ୍ଲାପାଳ ଏବଂ ଭିଜିଲାନ୍ସ ବିଭାଗକୁ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗରୁ ପ୍ରକାଶ ଯେ, କେସିଙ୍ଗା ଏନ୍ଏସି ଓ୍ବାର୍ଡ ନମ୍ବର ୧ ବଗାଡ ସ୍ଥିତ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ସ୍ଲଟର ହାଉସ୍ ନିର୍ମାଣ କାମ ଏବଂ ୧୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ଏକ ପେଭର ବ୍ଲକ୍ ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲାପାଳ ଏବଂ ଭିଜିଲାନ୍ସ ବିଭାଗକୁ ଲିଖିତ ଅଭିଯୋଗ କରାଯାଇଛି । କେସିଙ୍ଗା ଏନ୍ଏସିରେ ବିଜେଡି ଦଳର ୪ ଜଣ କାଉନସିଲର ଏଭଳି ଅଭିଯୋଗ ଆଣିଛନ୍ତି । ଓ୍ବାର୍ଡ ନମ୍ବର ୩ର କଂଗ୍ରେସ କାଉନସିଲର ରୋହିତ ଜୈନଙ୍କ ସମେତ ବିଜେଡି ଦଳର ୪ ଜଣ କାଉନସିଲର ମଞ୍ଜୁଲା ସାହୁ, ଭୁପିନ୍ଦ୍ର ଘିଭେଲା, ମଞ୍ଜୁ ମାଝୀ ଏବଂ ରମାକାନ୍ତ ଜେନାଙ୍କ ଦସ୍ତଖତରେ ଜିଲ୍ଲାପାଳ ଏବଂ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଛନ୍ତି ।
ଅଭିଯୋଗ ଉପରେ ପ୍ରତିକ୍ରିୟା ନେବାକୁ ଏନ୍ଏସିର କନିଷ୍ଠ ଯନ୍ତ୍ରୀ ନାରାୟଣ ମହାରଣା ଓ ନଗରପାଳ ନୃପରାଜ ଯାଦବଙ୍କୁ ଫୋନ୍ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ । ତେବେ ଏନ୍ଏସିର ୫ ଜଣ କାଉନସିଲରଙ୍କ ଅଭିଯୋଗ ପରେ ଏନ୍ଏସି ପ୍ରଶାସନ ପାଇଁ ଏକ ଅଡୁଆ ପରିସ୍ଥିତି ଦେଖାଦେଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।