ପାଟଣାଗଡ଼,୧୫/୧୧ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଡାଙ୍ଗବାହାଳ ପଞ୍ଚାୟତ ଗଡ଼ିଆଯୋର ଗ୍ରାମରେ ବିଧାୟକଙ୍କ ନିଜସ୍ଵ ପାଣ୍ଠିରୁ ୩ଲକ୍ଷ ଟଙ୍କା ଅଟକଳ ମୁଲ୍ୟର ଚାଲିଥିବା ରାସ୍ତାକାମ ନିମ୍ନମାନର ହେଉଥିବା ନେଇ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନିଲକାନ୍ତ ବାଗଙ୍କଠାରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ବାଗ ଶୁକ୍ରବାର ଉକ୍ତ ଗ୍ରାମକୁ ପହଞ୍ଚି ଜେଇଙ୍କ ଉପସ୍ଥିତିରେ ହେଉଥିବା ରାସ୍ତାକାମର ତଦାରଖ କରିଥିଲେ । ତଦାରଖ ପରେ ଉକ୍ତ ରାସ୍ତା କାମରେ ବାଲି, ସିମେଣ୍ଟ ଓ ମେଟାଲ ଠିକ୍ ସେ ନ ଦେଉଥିବା ସହ ମାପ ଠିକ୍ ନ ଥିବାରୁ କାମଟି ନିମ୍ନମାନର ହେଉଥିବା ଜାଣିବାକୁ ପାଇଥିଲେ ।

ପରେ ଏହି ଘଟଣାକୁ ନେଇ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜେଇଙ୍କୁ ତାଗିଦ୍ କରି ଏହି କାମକୁ ବନ୍ଦ କରାଯାଉ ଓ ପୁନର୍ବାର ଏହି କାମକୁ ନୂତନ ଭାବେ ନିର୍ମାଣ କରାଯାଉ ବୋଲି କହିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ।