ଭୁବନେଶ୍ୱର,୨୮/୧୧ : ହୁତୁହୁତୁ ହୋଇ ଜଳିଉଠିଲା ୮ ନଭଶ୍ଚୁମ୍ବୀ ଅଟ୍ଟାଳିକା । ଆଖି ପିଛୁଳାକେ ଜଳିପୋଡ଼ି ସବୁକିଛି ଅଙ୍ଗାର ହୋଇଗଲା । ଲିଭିଗଲା ୭୫ଜଣଙ୍କ ଜୀବନ ଦୀପ । ଆହତଙ୍କ ସଂଖ୍ୟା ହଜାରେ ଟପିଗଲାଣି । ହଂକଂରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ପରେ ଏବେ ଓଡ଼ିଶାରେ ଚିନ୍ତା ବଢ଼ିଛି । କାହିଁକି ନା, ରାଜ୍ୟରେ ଅଧିକାଂଶ ଆପାର୍ଟମେଣ୍ଟର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ । କେତେକ କୋଠାରେ ଅଗ୍ନି ନିରାପତ୍ତା ଯନ୍ତ୍ର ଖଣ୍ଡେ ଖଞ୍ଜାଯାଇନି । ଏମିତି ଢଙ୍ଗରେ ଅନେକ ଉଚ୍ଚ ବିଲ୍ଡିଂ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଗଢ଼ାଯାଇଛି, ଯେଉଁଠିକି ଦମକଳ ପଶିବାକୁ ବାଟ ନାହିଁ । ଅଗ୍ନିଶମ ବାହିନୀର ଅନେକ ଚେତାବନୀ ସତ୍ତ୍ଵେ ନିରାପତ୍ତା ବ୍ୟବସ୍ଥା କରୁ ନାହାନ୍ତି ଆପାର୍ଟମେଣ୍ଟ ମାଲିକ ।

ବିଡିଏ ଓ ବିଏମ୍ସି ପକ୍ଷରୁ ରାଜଧାନୀରେ ପ୍ରାୟ ୨୨୦୦ରୁ ଅଧିକ ଆପାର୍ଟମେଣ୍ଟ ପାଇଁ ଅନୁମତି ମିଳିଛି । ବ୍ରହ୍ମପୁରରେ ୭୦୦ରୁ ୮୦୦, ସମ୍ବଲପୁରରେ ୪୦୦ରୁ ୫୦୦, ରାଉରକେଲାରେ ୫୦୦ରୁ ଅଧିକ ଆପାର୍ଟମେଣ୍ଟ ଥିବ। ସାରା ରାଜ୍ୟରେ ଅନୁମତିପ୍ରାପ୍ତ ୪ ହଜାର ଆପାର୍ଟମେଣ୍ଟ ଥିବା ଆକଳନ କରାଯାଇଛି । ଏହାବାଦ ହଜାର ହଜାର ଛୋଟମୋଟ ଆପାର୍ଟମେଣ୍ଟ ବେଆଇନ ଭାବେ ଗଢିଉଠିଛି । ଏସବୁ ବଡ଼ ବଡ଼ ବିଲ୍ଡିଂରେ ହଜାର ହଜାର ଅନ୍ତେବାସୀ ବିପଜ୍ଜନକ ସ୍ଥିତିରେ ଜୀବନ ବିତାଉଛନ୍ତି । ରିଅଲ୍ ଇଷ୍ଟେଟ୍ ବିଶେଷଜ୍ଞ ବିମଳେନ୍ଦୁ ପ୍ରଧାନଙ୍କ କହିବା ମୁତାବକ, ହଂକଂରେ ଜଳିଥିବା ସବୁତକ ଆପାର୍ଟମେଣ୍ଟ ୩୫ ମହଲା ବିଶିଷ୍ଟ । ରାଜ୍ୟରେ ଏଭଳି ବିଲ୍ଡିଂ ପ୍ରାୟତଃ ନାହିଁ । ତଥାପି ଏଠି ୧୫ ମିଟର ଉଚ୍ଚତାରୁ କମ୍ ଓ ୧୫ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ଦୁଇପ୍ରକାର ଆପାର୍ଟମେଣ୍ଟ ରହିଛି । ୧୫ ମିଟର ଉପରକୁ ଅର୍ଥାତ୍ ୫ ତାଲାରୁ ଅଧିକ ଥିବା ବିଲ୍ଡିଂ ପାଇଁ ଅଗ୍ନିଶମ ଡିଜି ହିଁ ଫାୟାର ସାର୍ଟିଫିକେଟ ଦେଇପାରିବେ । ୧୦୪୬ଟି ଆପାର୍ଟମେଣ୍ଟର ଅଗ୍ନି ନିରାପତ୍ତା ପାଇଁ ଆବେଦନ କରାଯାଇଛି । ମାତ୍ର ୪୬୩ଟିକୁ ମିଳିସାରିଛି । ଅଧାରୁ ଅଧିକ ଆପାର୍ଟମେଣ୍ଟକୁ ଏଯାଏ ସାର୍ଟିଫିକେଟ ମିଳିନାହିଁ ।

୨୦୨୫ ଫେବ୍ରୁଆରୀରେ ଅଗ୍ନିଶମ ବିଭାଗ ନିରାପତ୍ତା ଦୃଷ୍ଟିରୁ ଅଗ୍ନିଶମ ସାର୍ଟିଫିକେଟ୍ ପାଇଁ ପୁରୁଣା ନିୟମକୁ ବଦଳାଇଛନ୍ତି । ୨୦୧୭ ପୂର୍ବରୁ ନିର୍ମାଣ ହୋଇଥିବା ଉଚ୍ଚ ବିଲ୍ଡିଂ ମଧ୍ୟ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଦେବା ବାଧ୍ୟତାମୂଳକ କରାଯାଇଛି । ଅନେକ ଆପାର୍ଟମେଣ୍ଟ ମାଲିକ ଆବେଦନ କରିବାର ୬୦ ଦିନ ଭିତରେ ସାର୍ଟିଫିକେଟ୍ ଦେବା ନିୟମ ରହିଛି । କିନ୍ତୁ ଅଗ୍ନିଶମ ବାହିନୀର ବିଳମ୍ବ ଯୋଗୁ ଆପାର୍ଟମେଣ୍ଟଗୁଡି଼କ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ନିୟମ ରହିଛି, ଆପାର୍ଟମେଣ୍ଟ ନିର୍ମାଣ ପରେ ବିଡିଏ କିମ୍ବା ବିଏମ୍ସି ନିକଟରେ ଓସି(ଅକ୍ୟୁପାନ୍ସି ସାର୍ଟିଫିକେଟ) ଆବେଦନ କରିବା ପୂର୍ବରୁ ମାଲିକମାନେ ଅଗ୍ନିଶମ ସାଟିଫିକେଟ୍ ଆବେଦନପତ୍ରରେ ଯୋଡ଼ିବାକୁ ବାଧ୍ୟ । କିନ୍ତୁ ସରକାରୀ ଅଧିକାରୀମାନେ ହାତଗୁଞ୍ଜା ନେଇ ବିନା ଅଗ୍ନି ନିରାପତ୍ତାରେ ଓସି ଧରାଇଦେଇ ବିପଦକୁ ଡାକୁଛନ୍ତି ।

ଆବାସିକ ଆପାର୍ଟମେଣ୍ଟ ପାଇଁ ୫ବର୍ଷ, ବ୍ୟାବସାୟିକ ଉଚ୍ଚ ବିଲ୍ଡିଂ ପାଇଁ ୨ ବର୍ଷକୁ ଥରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନବୀକରଣ କରାଯିବା ନିୟମ ରହିଛି । କିନ୍ତୁ ଆପାର୍ଟମେଣ୍ଟ ମାଲିକ ଥରେ ପ୍ରମାଣପତ୍ର ହାତେଇଦେଲେ, ନବୀକରଣ କଥା ଭୁଲି ଯାଉଛନ୍ତି । ବିଗତ ଦିନରେ ବିଡିଏ ପକ୍ଷରୁ ନିଜସ୍ୱ ୬୮ଟି ଆପାର୍ଟମେଣ୍ଟ, ବ୍ୟାବସାୟିକ ପ୍ରତିଷ୍ଠାନ ତଥା ସଫି ମଲ୍ ନିର୍ମାଣ ହୋଇଛି । ଏସବୁ ବିଲ୍ଡିଂର ଅଗ୍ନି ନିରାପତ୍ତା ମଧ୍ୟ ଯାଞ୍ଚ ହେବା ଦରକାର । ଅଗ୍ନିଶମ ଅଧିକାରୀଙ୍କ କହିବା କଥା, ନିଆଁକୁ ସୁହାଉଛି ଦହନଶୀଳ ଇଣ୍ଟେରିୟର୍ । ପ୍ଲାଏ, ଆର୍କିଲିକ୍ ଓ ସନମାଇକା ଭଳି ଅନେକ ସାମଗ୍ରୀ ଫ୍ଲାଟ୍ରେ ଖଞ୍ଜାଯାଉଛି । ଏଗୁଡ଼ିକରେ ନିଆଁ ଲାଗିଲେ, ଆଖି ପିଛୁଳାକେ ନିଆଁ ଚତୁର୍ଦିଗକୁ ବ୍ୟାପିଯିବ । ଅଗ୍ନିକାଣ୍ଡକୁ ଆୟତ୍ତ କରିବା ବି କାଠିକର ପାଠ । ଘର ଡିଜାଇନ୍ କରିବା ବେଳେ ଦହନଶୀଳ ସାମଗ୍ରୀ ବ୍ୟବହାର ନ କରିବା ଭଲ।