ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ କେଜ୍ରିଓ୍ବାଲଙ୍କ ବାସଭବନ ସମ୍ମୁଖରେ ପଞ୍ଜାବର ମହିଳାମାନେ ଆନ୍ଦୋଳନ କରୁଥିବା ବେଳେ ସେ କିନ୍ତୁ ବିଜେପି ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି । ଆନ୍ଦୋଳନରତ ମହିଳାମାନେ ବିଜେପି ଏବଂ କଂଗ୍ରେସର ସମର୍ଥକ ବୋଲି କେଜ୍ରିଓ୍ବାଲ କହିଛନ୍ତି । ଏହା ସହ ପଞ୍ଜାବର ମହିଳାମାନେ ଆପ୍‌କୁ ସମର୍ଥନ କରନ୍ତି ବୋଲି ସେ ଦାବି କରିଛନ୍ତି । ସେପଟେ ବିଜେପି ଏବଂ କଂଗ୍ରେସ ମିଳିତ ଭାବରେ ଦିଲ୍ଲୀରେ ଆପ୍‌କୁ ହରାଇବାକୁ ଚାହୁଁଛନ୍ତି  ଏବଂ ସେମାନେ ନିଜର ଏହି ଅଘୋଷିତ ମେଣ୍ଟକୁ ଆନୁଷ୍ଠାନିକ ଭାବେ ଘୋଷଣା କରିବା ଦରକାର ବୋଲି କହିଛନ୍ତି କେଜ୍ରିଓ୍ବାଲ । 

ସେପଟେ କଂଗ୍ରେସକୁ ଗୁରୁତର ସହ ନନେବାକୁ କହିବା ସହ ଆପ୍‌ ପ୍ରତିଶ୍ରୁତି ଅନୁସାରେ କାର୍ଯ୍ୟ କରୁଛି , ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳୀ ଓ ପାଣି ମିଳୁଛି ବୋଲି ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି । ଏହା ସହ ସାର୍ବାଜନୀନ ଭାବରେ ସେ ଘୋଷଣା କରିଛନ୍ତି, ଯେଉଁମାନେ ବିଜୁଳୀ ବିଲ୍‌ ଭୁଲ ଅଛି ସେମାନେ ବିଲ ନଦେଲେ କିଛି ଅସୁବିଧା ନାହିଁ । ନିର୍ବାଚନ ଲାଗି ଅପେକ୍ଷା କରନ୍ତୁ । ଦିଲ୍ଲୀରେ ପୁଣି ଥରେ ଆପ୍‌ ସରକାର ଗଠନ କରିବ ଏବଂ ଭୁଲ ବିଲ୍‌ ପାଇଥିବା ଲୋକଙ୍କୁ ଆଶ୍ବସ୍ତି ମିଳିବ । 

ସେପଟେ  କେଜ୍ରିଓ୍ବାଲଙ୍କ ବାସଭବନ ସମ୍ମୁଖରେ ଆନ୍ଦୋଳନ କରୁଥିବା ପଞ୍ଜାବ ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ପଞ୍ଜାବର ଆପ୍‌ ସରକାର ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହିଁ । ପଞ୍ଜାବରେ ନିର୍ବାଚନ ପୂର୍ବରୁ ମହିଳାଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦେବ ବୋଲି ଆପ୍‌ ଘୋଷଣା କରିଥିଲା । ସେହିଭଳି ଦିଲ୍ଲୀ ନିର୍ବାଚନ ଲାଗି ଆପ୍‌ ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ଘୋଷଣା କରିଛି । ଏହା ଜରିଆରେ ପ୍ରତି ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ଆପ୍‌ ।