ଭୁବନେଶ୍ୱର, ୩୧/୫: କଲେଜ ପଢୁଆ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ଦାବି କରିଛି କଂଗ୍ରେସ । ଯାହାଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ । ସେମାନଙ୍କୁ ନିଃଶୁଳ୍କ ପରିବହନ ସେବା ମିଳୁ ବୋଲି ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଯେଉଁ ଗରିବ ଛାତ୍ରଛାତ୍ରୀମାନେ ଗାଁରୁ ସହରକୁ ଆସି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ପଢୁଛନ୍ତି, ସେମାନେ ଦୈନିକ ଖର୍ଚ୍ଚ କରି ଯାତାୟାତ କରିବା ଅସମ୍ଭବ । ଏହାଦ୍ୱାରା କଲେଜରେ ଡ୍ରପ ଆଉଟ୍ ବଢ଼ୁଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି ।
କେବଳ ସେତିକି ନୁହେଁ, ଯେଉଁମାନେ କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର ଭଳି ଜିଲ୍ଲାରୁ ଭୁବନେଶ୍ୱରକୁ ବସ୍ ଭଡା ଏକ ହଜାର ଟଙ୍କା ହୋଇଗଲାଣି । ଯାହା ଦେବା ଗରିବ ଛାତ୍ରଛାତ୍ରୀ ଓ ପରୀକ୍ଷାର୍ଥୀଙ୍କ ପକ୍ଷେ ସମ୍ଭବ ହେଉନି । ତେଣୁ ଗାଁରୁ ଯେଉଁ ସରକାରୀ ବସ୍ ଓ ଟ୍ରେନ୍ ଚଳାଚଳ କରୁଛି, ସେଥିରେ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀଙ୍କ ଯାତାୟାତ ଖର୍ଚ୍ଚ ମାଗଣା କରନ୍ତୁ ଓ ସେମାନେ କଲେଜ ପରିଚୟ ପତ୍ର ଦେଖାଇ ମାଗଣା ଯାତ୍ରା କରନ୍ତୁ ବୋଲି ଉଦିତ ପ୍ରଧାନ ଦାବି କରିଛନ୍ତି । ଯଦି ଜୁନ୍ ୧୦ ତାରିଖ ସୁଦ୍ଧା ସରକାର ଏହା ଉପରେ ଗୁରୁତ୍ୱ ନଦେବେ, ତେବେ ଛାତ୍ର କଂଗ୍ରେସ ଆନ୍ଦୋଳନ କରିବ । ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାଶୀର ନବାଜ, ମନୋଜ ବିଶ୍ୱାଳ ଓ ନିହାର ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।