ନୂଆଦିଲ୍ଲୀ,୨୧।୯: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ୧୨ ଦିନିଆ ଓ୍ବାଇନାଡ ଗସ୍ତ ଲଗାତାର ଚର୍ଚ୍ଚାରେ ରହିଛି। ସବୁଠାରୁ ଖାସ୍ କଥା ଏହା ଯେ, ଏହି ସମୟରେ ଭିଡ ଥିବା ଅଞ୍ଚଳରେ କାର୍ଯ୍ୟକ୍ରମ ହୋଇନଥିଲା କିମ୍ବା ସ୍ଥାନୀୟ କଂଗ୍ରେସ ତାଙ୍କ ଯାତ୍ରାରେ ସାମିଲ ହୋଇଥିଲା। ଶୁକ୍ରବାର ଏହି ଗସ୍ତରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ବିରୋଧି ଦଳ ନେତା ରାହୁଲ ଗାନ୍ଧି ଯୋଗ ଦେଇଥିଲେ।
ପ୍ରିୟଙ୍କା ୧୧ ସେପ୍ଟେମ୍ବରରୁ ନିଜର ଓ୍ବାଇନାଡ୍ ଲୋକସଭା ଅଞ୍ଚଳରେ ଅଛନ୍ତି। ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସେଠାରେ ରହିବେ। କିନ୍ତୁ ତାଙ୍କର ଅଧିକାଂଶ ସାକ୍ଷାତ କାର୍ଯ୍ୟକ୍ରମ ପାର୍ଟିଠାରୁ ଅଲଗା ରହିଛି। ଓ୍ବାଇନାଡ ଜିଲ୍ଲାର କଂଗ୍ରେସ ମୁଖ୍ୟ ଏନ୍ଡି ଆପ୍ପାଚନ କହିଛନ୍ତି, ଆମକୁ ତାଙ୍କ କାର୍ଯ୍ୟକ୍ରମର ସୂଚନା ଦିଆଯାଇନି। ସବୁକିଛି ତାଙ୍କ କାର୍ଯ୍ୟାଳୟରୁ ସ୍ଥିର କରାଯାଇଥାଏ। ସେ ସ୍ଥାନୀୟ ରାଜନୀତିରେ ସାମିଲ ହେବାକୁ ଚାହାଁନ୍ତି ନାହିଁ।’
କଂଗ୍ରେସ ସୁତ୍ର ମଧ୍ୟ ସ୍ବୀକାର କରିଛନ୍ତି ଯେ, ପ୍ରିୟଙ୍କାଙ୍କ ଏହି ଗସ୍ତ ସମୟ ଦୃଷ୍ଟିରୁ ଠିକ୍ ନୁହେଁ। କାରଣ ବିଧାନସଭା ଅଧିବେଶନ ଚାଲିଛି।ଓ୍ବାଇନାଡର ୭ ବିଧାନସଭା ଆସନରୁ ୫ଟି କଂଗ୍ରେସ ନେତୃତ୍ବାଧିନ ୟୁଡିଏଫ୍ ପାଖରେ ରହିଛି। ବିରୋଧିଙ୍କ ପାଇଁ ଏହି ଅଧିବେଶନ ସରକାରଙ୍କ ଉପରେ ଚାପ ପକାଇବାର ସୁଯୋଗ। ଏଭଳି ସ୍ଥିତିରେ ସ୍ଥାନୀୟ ନେତାଙ୍କ ଧ୍ୟାନ ଓ୍ବାଇନାଡ ଉପରେ ଅଲଗା ହେବା ଦଳ ପାଇଁ ଭଲ ନୁହେଁ ବୋଲି କୁହାଯାଉଛି। ଗତ ସପ୍ତାହରେ ପ୍ରିୟଙ୍କା ଧାର୍ମିକ ନେତା, ଲେଖକ, ଭୂ-ସଂରକ୍ଷକ ଚେରୁଭାୟଲ ରାମନଙ୍କ ଭଳି ପଦ୍ମଶ୍ରୀ ବିଜେତା ଓ ଭୂସ୍ଖଳନ ପୀଡିତଙ୍କୁ ଦେଖା କରିଛନ୍ତି।