ନୂଆଦିଲ୍ଲୀ: (Women Reservation Bill) ସଂସଦର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ବି ମହିଳା ସଂରକ୍ଷଣ ବିଲ ଉପରେ ଜାରି ରହିଛି ଆଲୋଚନା। ଏହି ସମୟରେ ଲୋକସଭାରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଜେଜେମା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇ ଏକ ବ୍ୟକ୍ତିଗତ ଅଭିଜ୍ଞତା ବଖାଣିଛନ୍ତି। ସେ କହିଛନ୍ତି ଯେ, କିପରି ପିଲାବେଳେ ତାଙ୍କ ଜେଜେମା ତାଙ୍କୁ ଘରୁ ବାହାର କରି କିଛି ସମୟ ପାଇଁ ଏକା ଛାଡି ଦେଇଥିଲେ। ସେଠାରେ କୁକୁର ଏବଂ କିଛି ଲୋକ ଉପସ୍ଥିତ ଥିଲେ, ଯାହା ତାଙ୍କୁ ଭୟଭୀତ କରିଥିଲା। ପରେ, ଯେତେବେଳେ ଇନ୍ଦିରା ଗାନ୍ଧୀ ଫେରି ଆସି ତାଙ୍କୁ ପଚାରିଲେ, ସେ ବୁଝାଇଲେ ଯେ ତାଙ୍କୁ ଡର ଲାଗୁଥିଲା। ତାଙ୍କ ଜେଜେମା ଉତ୍ତର ଦେଇଥିଲେ ଯେ, ଏହି ଭୟ ତାଙ୍କ ମନରେ ଥିଲା।
"ଜେଜେ ମା’ ମୋତେ ଭୟ ସହିତ ଲଢ଼ିବା ଶିଖାଇଥିଲେ"
ରାହୁଲ ଗାନ୍ଧୀ କହିଥିଲେ ଯେ ତାଙ୍କ ଜେଜେମା ତାଙ୍କୁ ଭୟର ସମ୍ମୁଖୀନ ହେବା ଶିଖାଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନରେ ମହିଳା ମାନଙ୍କ ଠାରୁ ବହୁତ କିଛି ଶିଖନ୍ତି, ଜଣେ ମା ଭାବରେ, ଜଣେ ଭଉଣୀ ଭାବରେ କିମ୍ବା ଅନ୍ୟ କୌଣସି ଭୂମିକାରେ। ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ କହିଥିଲେ, "ସତ୍ୟ କଠିନ ହୋଇପାରେ, କିନ୍ତୁ ଏହାର ସମ୍ମୁଖୀନ ହେବାକୁ ପଡିବ।" ସେ ଅଭିଯୋଗ କରିଥିଲେ ଯେ ବର୍ତ୍ତମାନ ପ୍ରସ୍ତାବିତ ବିଲ୍ ପ୍ରକୃତରେ ମହିଳା ବିଲ୍ ନୁହେଁ। ସେ କହିଥିଲେ ଯେ ଯେତେବେଳେ ୨୦୨୩ ରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଥିଲା, ସେତେବେଳେ ଶାସକ ଦଳର ସହଯୋଗୀ ମାନେ କହିଥିଲେ ଯେ ଏହା ୧୦ ବର୍ଷ ପରେ କାର୍ଯ୍ୟକାରୀ ହେବ।
"ନିର୍ବାଚନ ମାନଚିତ୍ର ପରିବର୍ତ୍ତନ କରିବାର ପ୍ରୟାସ"
ରାହୁଲ ଗାନ୍ଧୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନ ଭାରତର ନିର୍ବାଚନ ମାନଚିତ୍ର ପରିବର୍ତ୍ତନ କରିବାର ପ୍ରୟାସ ଚାଲିଛି, ଏବଂ ଏହି ପ୍ରସଙ୍ଗ ମହିଳା ସଂରକ୍ଷଣ ଠାରୁ ଭିନ୍ନ। ସେ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା ମାଧ୍ୟମରେ "ଭୟ ସହିତ ଲଢ଼ିବା"ର ବାର୍ତ୍ତା ଦେଇଥିଲେ, କିନ୍ତୁ ମହିଳା ସଂରକ୍ଷଣ ବିଲର ପ୍ରକୃତି ଏବଂ ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠା ଇଥିଲେ ।
ମହିଳା ସଂରକ୍ଷଣ ଏବଂ ଜାତି ଜନଗଣନା ଉପରେ ଲୋକସଭାରେ ଭାଷଣ ଦେଇ ରାହୁଲ ଗାନ୍ଧୀ ସରକାରଙ୍କୁ ଅନେକ ପ୍ରଶ୍ନ ଏବଂ ସର୍ତ୍ତ ରଖିଛନ୍ତି। ସେ କହିଛନ୍ତି ଯେ ଗୃହମନ୍ତ୍ରୀ ଜାତି ଜନଗଣନାର ଉଲ୍ଲେଖ କରିଥିଲେ ମଧ୍ୟ, ଏହାର ତଥ୍ୟ ସଂରକ୍ଷଣ ନିର୍ଣ୍ଣୟ କରିବା ପାଇଁ ବ୍ୟବହାର କରାଯିବ କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି। ସେ କହିଛନ୍ତି ଯେ ଯଦି ସରକାର ଜାତି ଜନଗଣନା ଉପରେ ଆଧାରିତ ପ୍ରକୃତ ପ୍ରତିନିଧିତ୍ୱ ପ୍ରଦାନ କରିବାକୁ ଇଚ୍ଛୁକ, ତେବେ କଂଗ୍ରେସ ଏହାକୁ "ସମ୍ପୂର୍ଣ୍ଣ ସମର୍ଥନ" କରିବ ।
ସରକାରଙ୍କ ଉପରେ "ଭୟ"ର ଅଭିଯୋଗ...
ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ସରକାର ଭୟର ରାଜନୀତି କରୁଛନ୍ତି ଏବଂ ଭାରତୀୟ ରାଜନୀତିର ପ୍ରକୃତି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ ଛୋଟ ରାଜ୍ୟ ଗୁଡ଼ିକୁ ଏହି ବାର୍ତ୍ତା ଦିଆଯାଉଛି ଯେ କ୍ଷମତା ବଜାୟ ରଖିବା ପାଇଁ ସେମାନଙ୍କର ରାଜନୈତିକ ଅଂଶଗ୍ରହଣକୁ ହ୍ରାସ କରାଯାଇ ପାରିବ, ଯାହାକୁ ବିରୋଧୀ ଗ୍ରହଣ କରିବେ ନାହିଁ। ସେ କହିଛନ୍ତି ଯେ ଦଳିତ ଏବଂ ଓବିସି ସମ୍ପ୍ରଦାୟକୁ କେବଳ ନାମକୁ "ହିନ୍ଦୁ" କୁହାଯାଏ, କିନ୍ତୁ ସେମାନଙ୍କୁ ପର୍ଯ୍ୟାପ୍ତ ରାଜନୈତିକ ପ୍ରତିନିଧିତ୍ୱ ଦିଆଯାଉନାହିଁ। ରାହୁଲ ଗାନ୍ଧୀ ଜୋର ଦେଇ କହିଛନ୍ତି ଯେ ତାଙ୍କ ଦଳ ଏହି ବର୍ଗର ଅଧିକାରକୁ ଛଡ଼ାଇ ନେବାକୁ ଦେବ ନାହିଁ ।