ଭୁବନେଶ୍ୱର, ୧୯/୪ : ଗତ ୧୭ତାରିଖ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ‘କଳା ଦିବସ’ ଥିଲା । ଏହି ଦିନ କଂଗ୍ରେସ ଦଳ ନେତୃତ୍ୱରେ ସମଗ୍ର ବିରୋଧୀଦଳ ମିଳିମିଶି ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର କରି ଦେଇଥିଲେ । ସମ୍ବିଧାନର ୧୩୧ତମ ସଂଶୋଧନକୁ ଲୋକସଭାରେ ପରାଜିତ କରି ହସଖୁସିର ସହ ଉତ୍ସବ ପାଳନ କରିଥିଲେ । ଏହା ଦେଶର ମହିଳାଙ୍କ ପରାଜୟ ନୁହେଁ, ଏହା ବିରୋଧୀଙ୍କ ଅହଂକାରକୁ ଦର୍ଶାଏ । ଏହାର ଉତ୍ତର ଏ ଦେଶର ନାରୀଶକ୍ତି ନିଜ ଭୋଟ ମାଧ୍ୟମରେ ଦେବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ “ନାରୀଶକ୍ତି ବନ୍ଦ ଅଧିନିୟମ” ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଦେଶର ପ୍ରାୟ ୧୪୦କୋଟି ଜନସଂଖ୍ୟାର ଅଧା ହେଉଛନ୍ତି କେବଳ ମହିଳା । ଆଜି ଦେଶର ଝିଅ ଓ ମହିଳାମାନେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, କ୍ରିଡା, ବ୍ୟବସାୟ, ପ୍ରଶାସନ ସବୁ କ୍ଷେତ୍ରରେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଅପରେଶନ ସିନ୍ଦୁର ସମୟରେ ଭାରତୀୟ ‘ନାରୀଶକ୍ତି’ର ଚମତ୍କାର ସାରା ବିଶ୍ୱ ଦେଖିଥିଲା । ମାତ୍ର ବିରୋଧୀଦଳମାନଙ୍କ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ଓ ଏକ ଫେଶନ । ଯେତେବେଳେ ନାରୀମାନଙ୍କୁ ପ୍ରକୃତ ସମ୍ମାନ ଏବଂ ପ୍ରକୃତ ଅଧିକାର ଦେବାର ବେଳ ଆସିଲା, ବିଭିନ୍ନ ଆଳ ଦେଖାଇ ସେମାନେ ସେଥିରୁ ଓହରିଗଲେ । ମହିଳାଙ୍କୁ ନେତୃତ୍ୱ ଦେବା ପାଇଁ ନୁହେଁ, ତାଙ୍କୁ କେବଳ ନିଜ ନିଜ ଦଳରେ ଗୋଡ଼ାଣିଆ ଭାବେ ବ୍ୟବହାର କରିବା ପାଇଁ ଷଡ଼ଯନ୍ତ୍ର କରାଗଲା । ସେମାନଙ୍କ ନାରୀ ସ୍ୱାଧୀନତା ସ୍ଲୋଗାନ ଏବଂ ତାଙ୍କର ଅସଲ ରୂପ ଦୁଇ ଦିନର ଲୋକସଭା ବିତର୍କରେ ପଦାକୁ ଆସିଛି । କଂଗ୍ରେସଠାରୁ ଆରମ୍ଭ କରି ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି, ଡିଏମକେ, ବାମପନ୍ଥୀ ଦଳଗୁଡ଼ିକର ଆଭିମୁଖ୍ୟରୁ ଏହା ସ୍ପଷ୍ଟ ହେଉଛି ଯେ, ସେମାନେ ହେଉଛନ୍ତି ପ୍ରକୃତରେ ମହିଳା ବିରୋଧୀ । ସେମାନେ କେବଳ ମହିଳା ସଶକ୍ତିକରଣର ମୁଖା ପିନ୍ଧି ଅଭିନୟ କରୁଛନ୍ତି । କଂଗ୍ରେସ ଓ ତାଙ୍କ ସହଯୋଗୀ ଦଳମାନେ ପୂର୍ବରୁ ଦୁର୍ନୀତି ଓ ପରିବାରବାଦ ପାଇଁ ଜଣାଶୁଣା ଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ମୁଣ୍ଡରେ ‘ମହିଳା ବିରୋଧୀ’ କଳଙ୍କର ଷ୍ଟାମ୍ପ ଲାଗିଗଲା ।
ସେହିଭଳି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସାଂସଦ ବାଂସୁରୀ ସ୍ୱରାଜ କହିଛନ୍ତି ଯେ, ନାରୀଶକ୍ତି ବନ୍ଦନ ଅଧିନିୟମ ସର୍ବସମ୍ମତିକ୍ରମେ ୨୦୨୩ସେପ୍ଟେମ୍ବରରେ ପାରିତ ହୋଇଥିଲା । ସେତେବେଳେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳଗୁଡ଼ିକ ଏହି ଅଧିନିୟମ ସପକ୍ଷରେ ସହମତି ପ୍ରକାଶ କରିଥିଲେ । ମାତ୍ର ଏହି ଅଧିନିୟମ ଲାଗୁ ହେବାବେଳକୁ କଂଗ୍ରେସ, ଡିଏମ୍କେ, ଟିଏମ୍ସି, ସମାଜବାଦୀ ପାର୍ଟିଙ୍କ ସହ ଇଣ୍ଡି ମେଂଟରେ ଥିବା ସବୁ ବିରୋଧୀଦଳଗୁଡ଼ିକ ମିଳିମିଶି ଏହି ଦେଶର ମାତୃଶକ୍ତି ସହ ବିଶ୍ୱାସଘାତ କରିଛନ୍ତି । ଗତ ୪୦ ବର୍ଷ ଧରି ଦେଶର ମାତୃଶକ୍ତି ନିଜର ଅଧିକାର ପାଇଁ ଅପେକ୍ଷା କରିଥିବାବେଳେ ବିରୋଧୀମାନେ ଜାଣିଶୁଣି ବିଭିନ୍ନ ପ୍ରସଙ୍ଗ ଉଠାଇ ହୀନ ରାଜନୀତି କରି ଏହି ଅଧିନିୟମକୁ ଲାଗୁ କରେଇ ଦେଇନାହାନ୍ତି । ମୋଦି ଓ ଭାରତୀୟ ଜନତା ପାର୍ଟି ପାଇଁ ନାରୀଶକ୍ତି ବନ୍ଦନ ଅଧିନିୟମ ଏକ ସଂକଳ୍ପ । ଏହା ନିଶ୍ଚିତ ପୂରଣ ହେବ । ମୋଦିଙ୍କ ନେତୃତ୍ୱରେ ନାରୀମାନଙ୍କୁ ସେମାନଙ୍କ ଅଧିକାର ନିଶ୍ଚୟ ମିଳିବ ବୋଲି ମୋଦିଜୀ ମାତୃଶକ୍ତିକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ସମେତ ବିରୋଧୀ ଦଳର ମହିଳା ବିରୋଧୀ ଆଭିମୁଖ୍ୟକୁ ନେଇ ବିଜେପି ଜନଜାଗରଣ ସୃଷ୍ଟି କରିବ । ପଂଚାୟତରୁ ପାର୍ଲିଆମେଂଟ ପର୍ଯ୍ୟନ୍ତ ସବୁଠି ସ୍ୱର ଉତ୍ତୋଳନ କରିବ ବୋଲି ବୋଲି ସାଂସଦ ସୁଶ୍ରୀ ସ୍ୱରାଜ ମତବ୍ୟକ୍ତ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂତୋମାର, ରାଜ୍ୟ ଉପସଭାନେତ୍ରୀ କୁସୁମ ଟେଟେ ଓ ରାଜ୍ୟ ସାଧାରଣ ସମ୍ପାଦକ ପୂର୍ଣ୍ଣିମା ପ୍ର୍ରିୟଦର୍ଶନୀ ନାୟକ ଉପସ୍ଥିତ ଥିଲେ ।