ନୂଆଦିଲ୍ଲୀ,୨୫।୧୦:  ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି ବିରୋଧରେ କଂଗ୍ରେସର ବଡ଼ ଅଭିଯୋଗ।କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି କୋଟି କୋଟି ପଲିସିଧାରୀଙ୍କ ଟଙ୍କା ଅପବ୍ୟବହାର କରିଛି ଏଲଆଇସି। ୩୦ କୋଟି ପଲିସିଧାରୀଙ୍କ ପ୍ରାୟ ୩୩ ହଜାର କୋଟି ଟଙ୍କା ଆଦାନୀ ଗ୍ରୁପକୁ ମିଳିଛି। ସେ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିବା ବେଳେ ଜେପିସି ଓ ପିଏସି ତଦନ୍ତ ଦାବି କରିଛନ୍ତି।

ଏଲଆଇସି ପଲିସିଧାରୀଙ୍କ ଟଙ୍କା  ଅପବ୍ୟବହାର କରିଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି। ଏହାକୁ ସେ ଏକ ‘ମହା ସ୍କାମ୍’ ବୋଲି କହିଛନ୍ତି। ଜୟରାମ ଏହି ମାମଲାରେ ମିଳିତ ସଂସଦୀୟ କମିଟି ଓ  ପବ୍ଲିକ୍ ଆକାଉଣ୍ଟସ୍ କମିଟି  ତଦନ୍ତ ଦାବି କରିଛନ୍ତି। ସେପଟେ ଏହି ଅଭିଯୋଗକୁ ଏଲଆଇସି ସମ୍ପୂର୍ଣ୍ଣ ଖଣ୍ଡନ କରିଛି। କମ୍ପାନୀ ଏହାକୁ ମିଥ୍ୟା ଓ  ଭିତ୍ତିହୀନ ବୋଲି କହିଛି।  ଏଲଆଇସି କହିଛି ‘ଓ୍ବାଶିଂଟନ ପୋଷ୍ଟ’ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ମିଛ। ଆଦାନୀ ଗ୍ରୁପ୍‌ରେ ଏଲଆଇସି ଟଙ୍କା ବିନିଯୋଗ ହୋଇନାହିଁ। ଆମର ସବୁ ନିବେଶର ନିଷ୍ପତ୍ତି ବୋର୍ଡ ଦ୍ବାରା ମଞ୍ଜୁର ନୀତି ଅନୁସାରେ କରାଯାଏ।

ଜୟରାମ ଏକ୍ସରେ ଲେଖିଛନ୍ତି, ‘ମୋଦାନୀ ଜଏଣ୍ଟ ଭେଞ୍ଚର' କିପରି  LIC ଏବଂ ଏହାର ୩୦ କୋଟି ସଞ୍ଚୟକୁ ରୀତିମତ ଭାବରେ ଅପବ୍ୟବହାର କରିଥିଲା ​​ସେ ବିଷୟରେ ଗଣମାଧ୍ୟମରେ କିଛି ରିପୋର୍ଟ ପ୍ରକାଶ ପାଇଛି।ଦସ୍ତାବିଜ କହୁଛି ଭାରତୀୟ ଅଧିକାରୀ ମଇ ୨୦୨୫ ରେ ଏଭଳି ପ୍ରସ୍ତାବ ତିଆରି କରିଥିଲେ। ଏହା ଅନୁସାରେ ଏଲଆଇସିର ପ୍ରାୟ ୩୩ ହଜାର କୋଟି ଟଙ୍କା ଆଦାନୀ ଗ୍ରୁପ୍‌ର ବିଭିନ୍ନ କମ୍ପାନୀରେ ନିବେଶ କରାଯାଇଛି।ଉଲ୍ଲେଖନୀୟ ଯେ, ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଓ୍ବାଶିଂଟନ୍ ପୋଷ୍ଟର ଏକ ଏକ୍ସକ୍ଲୁସିଭ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଦାବି କରାଯାଇଥିଲା ଅନ୍ତରୀଣ ଦସ୍ତାବିଜରୁ ଖୁଲାସା ହୋଇଛି ଯେ, ଏଲଆଇସିରୁ ଆଦାନୀ ଗ୍ରୁପର ସେୟାରକୁ ସାର୍ବଜନୀକ ଟଙ୍କା ଲଗାଇବାର ଏକ ଯୋଜନାବଦ୍ଧ ଚେଷ୍ଟା କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଆଦାନୀ ଗ୍ରୁପ୍ ସେୟାରରେ LICର ନିବେଶ ଏହାର ମୋଟ ସମ୍ପତ୍ତିର ୧%ରୁ କମ୍ ରହିଛି। ଏହା ବ୍ୟତୀତ, ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀଙ୍କ ସେୟାର ହ୍ରାସ ପାଇଥିଲା। ଏହାପରେ LIC ନିବେଶ କରିଥିଲା। ପରେ, ସମସ୍ତ ଅଭିଯୋଗ ଖାରଜ ହେବା ପରେ ସେୟାର ବୃଦ୍ଧି ପାଇଥିଲା ଓ LIC ଯଥେଷ୍ଟ ଲାଭ କରିଥିଲା LIC ସ୍ପଷ୍ଟ ଭାବରେ କହିଛି ଯେ ଏହାର ନିବେଶ ନିଷ୍ପତ୍ତି ସ୍ୱାଧୀନ ଏବଂ ସ୍ୱଚ୍ଛ ରହିଛି। ୱାଶିଂଟନ ପୋଷ୍ଟ ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭ୍ରାମକ।