ନୂଆଦିଲ୍ଲୀ,୦୨/ ୦୪: ଲୋକସଭାରେ ଉପସ୍ଥାପିତ ହେବ ବହୁ ପ୍ରତୀକ୍ଷିତ ୱାକଫ ସଂଶୋଧନ ବିଲ୍ । ପ୍ରଶ୍ନକାଳ ପରେ ବିଲ୍ ଉପସ୍ଥାପନ କରାଯିବ । ବିଲ୍ ଉପରେ ୮ ଘଣ୍ଟା ଚର୍ଚ୍ଚା ହେବ । ଏହା ପୂର୍ବରୁ ବିଲ୍‌କୁ ଜୋରଦାର ବିରୋଧ କରିଛନ୍ତି ବିରୋଧୀ । ସଂସଦ ଆଗରେ ବିକ୍ଷୋଭ କରିଛନ୍ତି । କଂଗ୍ରେସ କଳା କୁର୍ତ୍ତା ପିନ୍ଧି ସଂସଦ ବାହାରେ ହଙ୍ଗାମା କରିଛନ୍ତି । ସେପଟେ ବିଲ୍‌କୁ ସମର୍ଥନ କରିଛି ଜନସେନା ।

କଂଗ୍ରେସର ବିରୋଧ- ୱାକଫ ସଂଶୋଧନ  ବିଲ୍‌କୁ ବିରୋଧ କରିଛି କଂଗ୍ରେସ । କଳା କୁର୍ତ୍ତା ପିନ୍ଧି ବିରୋଧ କରିଛି କଂଗ୍ରେସ । ସାଂସଦ ଇମରାନ୍ ପ୍ରତାପଗ୍ରାହୀ ସଂସଦ ମକର ଦ୍ବାର ନିକଟରେ ହାତରେ ରିଜେକ୍ଟ ୱାକଫ୍ ବିଲ୍ ଲେଖାଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଲେ ଦଳ ବିଲ୍ ବିରୋଧରେ ଭୋଟ୍ ଦେବ ।

'ନାଗପୁର  ଆଇନ ଥୋପିବାକୁ ଯୋଜନା'-  ୱାକଫ୍ ସଂଶୋଧନ ବିଲ୍‌କୁ ନେଇ ଆରଜେଡ଼ି ନେତା ତେଜସ୍ବୀ ଯାଦବ କହିଛନ୍ତି, ଏହା ଅସମ୍ବିଧାନିକ ବିଧେୟକ । ଆମେ ସମ୍ବିଧାନ ମାନିବା ଲୋକ ।  ଭାଜପା ଲୋକ ନାଗପୁର ଆଇନ୍ ଥୋପିବାକୁ ଚାହୁଁଛନ୍ତି । ଏହା ଆମକୁ ମଞ୍ଜୁର ନୁହେଁ ।''


ଦୁର୍ଭାଗ୍ୟଜନକ କହିଲେ ପ୍ରଶାନ୍ତ କିଶୋର- ଜନ ସୁରଜ ପାର୍ଟି ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିଲ୍‌କୁ ଦୁର୍ଭାଗ୍ଯଜନକ କହିଛନ୍ତି । ଏହାକୁ ମୁଁ ହିନ୍ଦୁ ମୁସଲିମ ବିରୋଧରେ ଦେଖୁନାହିଁ । ରାଜନୀତି ପାଇଁ  ତରବରିଆ ଭାବେ ଏହି ଆଇନ୍ ଆଣିଛନ୍ତି  ଭାଜପା ସରକାର ।

'ପ୍ଲାନିଂ କରି ବିଲ୍‌କୁ ଆଣାଯାଉଛି'- ୱାକଫ୍ ବିଲ୍ ଉପସ୍ଥାପିତ ହେବା ପୂର୍ବରୁ ଅଲ ଇଣ୍ଡିଆ ମୁସଲିମ ପର୍ସନଲ ଲ ବୋର୍ଡ ପ୍ରେସ୍ କନଫେରେନ୍ସ କରିଛି ।  ବୋର୍ଡ ସମ୍ପାଦକ ରହିମ କହିଛନ୍ତି, ଆଜି ୱାକଫ ବିଲ୍ ସଂସଦରେ ଉପସ୍ଥାପିତ ହେବ । ଏକ ପ୍ଲାନିଂ ସହିତ ବିଲ୍ ଅଣାଯାଉଛି । ଜେପିସିରେ ବି ଏହାର ବିରୋଧ ହୋଇଥିଲା । ୫ କୋଟି ବିରୋଧରେ ଇମେଲ ଆସିଥିଲା ଯାହାର ବିଚାର କରାଯାଇନାହିଁ । ଏହା ମୁସଲମାନ ବିରୋଧୀ ବିଲ୍  ।

ଜନସେନାର ସମର୍ଥନ- ୱାକଫ ବିଲ୍‌କୁ ଏନଡ଼ିଏ ସହଯୋଗୀ ଦଳ ଜନସେନା ସମର୍ଥନ କରିଛି । ସମର୍ଥନ ନେଇ ଘୋଷଣା କରିଛନ୍ତି ଜନସେନା ସଭାପତି ପୱନ କଲ୍ୟାଣ । ଆଲୋଚନାରେ ଭାଗ ନେବା ସହ ସପକ୍ଷରେ ଭୋଟ୍ ଦେବାକୁ ନିଜ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଲର ବିରୋଧ ମୁସଲମାନ ବିରୋଧୀ- ୱାକଫ ବିଲ୍‌କୁ  ବିରୋଧ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ''ଏହି ବିଲ୍ ସମ୍ବିଧାନିକ । ମୁସଲମାନଙ୍କ ହିତରେ ବିଲ୍ ପ୍ରସ୍ତୁତ ହୋଇଛି । ଗରିବଙ୍କ ହିତ୍ ବିଲର ଉଦ୍ଦେଶ୍ୟ । ଯେଉଁମାନେ ବିଲ୍‌କୁ ବିରୋଧ କରୁଛନ୍ତି ସେମାନେ ମୁସଲିମ ବିରୋଧୀ ବୋଲି ।''