ନୂଆଦିଲ୍ଲୀ,୧୧/୧୨: ସଂସଦ ଶୀତ ଅଧିବେଶନରେ ଆଜି କିଛି ଅଜବ ଘଟଣା ଦେଖିବାକୁ ମିଳିଛି । ସଂସଦ ପରିସରରେ ନିଆରା ଢଙ୍ଗରେ ପ୍ରତିବାଦ କରିଛି କଂଗ୍ରେସ । ବିକ୍ଷୋଭର ନୂଆ ତରିକା ଆପଣେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଟି-ସାର୍ଟ,ବ୍ୟାଗ ପରେ ଏବେ ଗୋଲାପ ଫୁଲ ଦେଇଛି କଂଗ୍ରେସ । ରାଜନାଥଙ୍କୁ ଗୋଲାପ ଫୁଲ ଓ ତ୍ରିରଙ୍ଗା ଦେଇ ଅଭିନବ ଢଙ୍ଗରେ ବିକ୍ଷୋଭ କରିଛି କଂଗ୍ରେସ । 

ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ପହଞ୍ଚିବା ମାତ୍ର ତାଙ୍କ ହାତକୁ ଗୋଲାପ ଫୁଲ ଓ ତ୍ରିରଙ୍ଗା ଦେଇଥିଲେ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗାଡିରୁ ଓହ୍ଲାଇବା ମାତ୍ର ତାଙ୍କ ଆଡରୁ ତୁରନ୍ତ ଯାଇଥିଲେ ରାହୁଲ ଗାନ୍ଧୀ । ହାତକୁ ଜାତୀୟ ପତାକା ତ୍ରିରଙ୍ଗା ଓ ଗୋଲାପ ଫୁଲ ବଢାଇଥିଲେ । କିଛି ସେକେଣ୍ଡ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲେ ।  ଏହା ପରେ ରାଜନାଥ ସିଂହ ହସି ହସି  ଚାଲିଯାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା କଂଗ୍ରେସ ନେତା ଓ ଅନ୍ୟମାନେ ହସୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଚଳିତ ସଂସଦ ଅଧିବେଶନରେ କଂଗ୍ରେସ ଲଗାତାର ଭାବେ କେନ୍ଦ୍ର ସରକାରଙ୍କୁ ଘେରିବାରେ ଲାଗିଛି । ଆଦାନୀ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ କଂଗ୍ରେସ ପ୍ରତିଦିନ ନୂଆ ଢଙ୍ଗରେ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ବିରୋଧ ପ୍ରଦର୍ଶନ କରାଯାଉଛି ।