ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବରେ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ ଏବଂ ତାଙ୍କ କାରରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ନେଇଯାଇଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କ ପାଇଁ ଏକ ବ୍ୟକ୍ତିଗତ ରାତ୍ରୀଭୋଜନର ଆୟୋଜନ କରିଥିଲେ। ଏହା ପରେ ଆଜି (ଶୁକ୍ରବାର) ପୁଟିନ ରାଷ୍ଟ୍ରପତି ଭବନ ପରିଦର୍ଶନ କରିଥିଲେ ଏବଂ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହା ପରେ ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା ଏବଂ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ହୋଇଥିବା ଖବର ଆସିଛି । ଏହି କ୍ରମରେ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଭ୍ଲାଦିମିର ପୁଟିନଙ୍କ ପାଇଁ ଏକ ରାତ୍ରୀଭୋଜନର ଆୟୋଜନ କରାଯାଇଛି। ହେଲେ ଏହି ରାତ୍ରୀ ଭୋଜନ ପାଇଁ ବିରୋଧୀ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କିମ୍ବା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିମନ୍ତ୍ରଣ ମିଳିନଥିବା ସୂଚନା ରହିଛି । ରିପୋର୍ଟ ଅନୁଯାୟୀ, କଂଗ୍ରେସ ସାଂସଦ ଶଶି ଥରୁର ରାତ୍ରୀଭୋଜନରେ ଯୋଗଦେବେ ବୋଲି ସୂତ୍ର କହୁଛି ।
କାହିଁକି ନିମନ୍ତ୍ରଣ ପାଇଲେ ଥରୁର୍ ?
ସୂତ୍ର ଅନୁଯାୟୀ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ରାଷ୍ଟ୍ରପତି ଭବନରେ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ ମିଳିନାହିଁ। ସୂତ୍ର ଅନୁଯାୟୀ, ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବରେ ଶଶି ଥରୁରଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି।
ବର୍ଷିଲେ ରାହୁଲ ଗାନ୍ଧୀ...
ଗୁରୁବାର ଦିନ, କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, "ସାଧାରଣତଃ ଏହା ଏକ ପରମ୍ପରା ଯେ ବାହାରୁ ଆସୁଥିବା ଯେକୌଣସି ବ୍ୟକ୍ତି ବିରୋଧୀ ଦଳ ନେତାଙ୍କ ସହ ସାକ୍ଷାତ କରନ୍ତି। ଏହା ବାଜପେୟୀ ଏବଂ ମନମୋହନ ସିଂହ ସରକାରଙ୍କ ସମୟରେ ଏକ ଅଭ୍ୟାସ ଥିଲା। ଏହା ଏକ ପରମ୍ପରା। କିନ୍ତୁ ଆଜିକାଲି, ସରକାର ସେମାନଙ୍କୁ ବିରୋଧୀ ଦଳ ନେତାଙ୍କ ସହ ସାକ୍ଷାତ ନକରିବାକୁ ପରାମର୍ଶ ଦେଉଛନ୍ତି। ଏହା ସେମାନଙ୍କର ନୀତି, ଏବଂ ସେମାନେ ସବୁବେଳେ ଏହା କରନ୍ତି। ଆମେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରୁ। ଏହା ଏକ ସରକାର ନୁହେଁ, ଯିଏ ଏଭଳି କରନ୍ତି…। ସରକାର ଚାହୁଁନାହାଁନ୍ତି ଯେ, ବିରୋଧୀ ଦଳ ବାହାର ଲୋକଙ୍କ ସହିତ ସାକ୍ଷାତ କରୁ। ତେବେ ଏହି ସମୟରେ, ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇ ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି କି, "ବିରୋଧୀ ନେତା ମାନଙ୍କ ସହିତ ବିଦେଶୀ ଅତିଥି ମାନଙ୍କ ସାକ୍ଷାତରେ ସରକାରଙ୍କର କୌଣସି ମତ ନାହିଁ, ଏବଂ ଏହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି।"