ନୂଆଦିଲ୍ଲୀ: 'ଅପରେସନ୍ ସିନ୍ଦୂର' ପରେ, ବିଶ୍ୱ ମଞ୍ଚରେ ଭାରତର ପକ୍ଷ ଉପସ୍ଥାପନ କରିବା ପାଇଁ ଗଠିତ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ସରକାର ପ୍ରକାଶ କରିଥିବା ନେତାଙ୍କ ତାଲିକା ଉପରେ କଂଗ୍ରେସ ଆପତ୍ତି ଉଠାଇଛି। କଂଗ୍ରେସ ପକ୍ଷରୁ ଚାରି ଜଣ ନେତା - ଆନନ୍ଦ ଶର୍ମା, ଗୌରବ ଗୋଗୋଇ, ସୟଦ ନାସିର ହୁସେନ ଏବଂ ରାଜା ବ୍ରାରଙ୍କ ନାମ ଦିଆଯାଇ ଥିଲା । ଶଶି ଥରୁରଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ନଥିଲା। ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କୁ ଚିଠି ଲେଖି ଏହି ୪ ନେତାଙ୍କ ନାଁ ସୁପାରିଶ କରିଥିଲେ । କିନ୍ତୁ ଚୂଡ଼ାନ୍ତ ପ୍ରତିନିଧିମଣ୍ଡଳୀ ତାଲିକାରେ ଶଶି ଥରୁରଙ୍କ ନାଁ ସାମିଲ ରହିଛି । ଏହାକୁ ନେଇ କଂଗ୍ରେସ ଏବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ।




ସୂଚନାଯୋଗ୍ୟ ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ହୋଇଥିବା 'ଅପରେସନ୍ ସିନ୍ଦୂର' ପରେ ଆକ୍ରମଣାତ୍ମକ କୂଟନୈତିକ ଅଭିଯାନ ଅଧୀନରେ ସରକାର ୭ଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରତିନିଧିମଣ୍ଡଳୀଗୁଡ଼ିକ ଆସନ୍ତା ସପ୍ତାହରୁ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସମେତ ପ୍ରମୁଖ ଅଂଶୀଦାର ଦେଶଗୁଡ଼ିକୁ ଗସ୍ତ କରିବେ। ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତାର ଦୃଢ଼ ବାର୍ତ୍ତା ବିଶ୍ୱକୁ ପହଞ୍ଚାଇବା ଏବଂ ପାକିସ୍ତାନର ଆତଙ୍କବାଦର ପର୍ଦ୍ଦାଫାସ କରିବା  ହିଁ ସେମାନଙ୍କର ଲକ୍ଷ୍ୟ ରହିବ।

୧. ବିଜେପି ସାଂସଦ ରବି ଶଙ୍କର ପ୍ରସାଦ

୨. ବିଜେପି ସାଂସଦ ବୈଜୟନ୍ତ ପଣ୍ଡା

୩. କଂଗ୍ରେସ ସାଂସଦ ଶଶି ଥରୁର

୪. ଜେଡିୟୁ ସାଂସଦ ସଞ୍ଜୟ ଝା

୫. ଡିଏମକେ ସାଂସଦ କାନିମୋଝି

୬. ଏନସିପି (ସପା) ସାଂସଦ ସୁପ୍ରିୟା ସୁଲେ

୭. ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ

ପ୍ରତିନିଧି ଦଳରେ ଚାରି ଜଣ ନେତା ଶାସକ NDAର ହୋଇଥିବା ବେଳେ ତିନି ଜଣ ବିରୋଧୀ I.N.D.I.A. ମେଣ୍ଟର। ସୂତ୍ର ଅନୁଯାୟୀ, ପ୍ରତ୍ୟେକ ପ୍ରତିନିଧିମଣ୍ଡଳୀ ପ୍ରାୟ ୫ଟି ଦେଶ ଗସ୍ତ କରିବେ। ତେବେ ଆମେରିକା ଗସ୍ତ କରିବାକୁ ଥିବା ଟିମ୍‌ର ନେତୃତ୍ବ ନେବେ କଂଗ୍ରେସ ନେତା ଶଶି ଥରୁର । ଥରୁରଙ୍କ ପ୍ରତିନିଧିମଣ୍ଡଳୀର ସଦସ୍ୟଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ଥରୁର ନିଜେ ଏହି ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ।

ଆମେରିକା ଯାଉଥିବା ପ୍ରତିନିଧିମଣ୍ଡଳୀର ସଦସ୍ୟଙ୍କ ନାମ 

ଶଶି ଥରୁର (ମୁଖ୍ୟ)

ଶାମ୍ଭବୀ ଚୌଧୁରୀ

ସରଫରାଜ ଅହମ୍ମଦ

ସୁଦୀପ ବନ୍ଦୋପାଧ୍ୟାୟ

ହରିଶ ବାଲାଯୋଗୀ

ଶଶାଙ୍କ ମଣି ତ୍ରିପାଠୀ

ଭୁବନେଶ୍ୱର କାଲିତା

ମିଲିନ୍ଦ ଦେଓରା

ତରନଜିତ ସିଂହ ସାନ୍ଧୁ, ଆମେରିକାର ରାଷ୍ଟ୍ରଦୂତ

ବରୁଣ ଜେଫ୍, ନିର୍ଦ୍ଦେଶକ (IOR) - ପ୍ରତିନିଧିମଣ୍ଡଳୀର ଯୋଗାଯୋଗ ଅଧିକାରୀ

ସେପଟେ ଶିଶି ଥରୁରଙ୍କୁ ପ୍ରତିନିଧିମଣ୍ଡଳୀରେ ସାମିଲ କରାଯିବାକୁ ନେଇ କେନ୍ଦ୍ରର ବିଜେପି ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଥରୁରଙ୍କ ନାଁ ସୁପାରିଶ୍‌ ହୋଇନଥିବା ବେଳେ ତାଙ୍କୁ ତାଲିକାରେ କିଭଳି ସାମିଲ କରାଗଲା ବୋଲି ପ୍ରଶ୍ନ କରିଛି ଦଳ ।