ନୂଆଦିଲ୍ଲୀ,୦୪/୦୧: ଆସନ୍ତା ଫେବୃଆରୀରେ ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏ ନେଇ ନିର୍ବାଚନୀ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜନୈତିକ ଦଳ । ଜନତା ଜନାର୍ଦ୍ଦନଙ୍କ ପାଇଁ ଯୋଜନା ପରେ ଯୋଜନା ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ଏହାରି ଭିତରେ କଂଗ୍ରେସ କ୍ଷମତାକୁ ଆସିଲେ ୫ ଗ୍ୟାରେଣ୍ଟୀ ପୂରା କରିବ ବୋଲି ପ୍ରତିଶ୍ରୁତି ଦେଇପାରେ । ଖୁବଶୀଘ୍ର ନିର୍ବାଚନୀ ଇସ୍ତାହାର ଜାରି କରିବ ଦଳ ।

କ୍ଷମତାସୀନ ଆପର ମୁକାବିଲା କରି କଂଗ୍ରେସ ବି ନିର୍ବାଚନ ରଣନୀତି କରିଛି । ଜନତାଙ୍କ ପାଇଁ ପ୍ରତିଶ୍ରୁତି ପେଡି ପ୍ରସ୍ତୁତ କରିଛି ଦଳ । ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ୫ ଗ୍ୟାରେଣ୍ଟୀ ପୁରଣ କରିବ ବୋଲି ଇସ୍ତାହାର ପ୍ରସ୍ତୁତ କରିଥିବା ଜଣାପଡିଛି । ମହିଳା ଓ ଯୁବଗୋଷ୍ଠୀଙ୍କୁ ଫୋକସରେ ରଖିଛି ଦଳ । ଆସନ୍ତା ୬ ତାରିଖରେ ନିର୍ବାଚନୀ ଇସ୍ତାହାର ଜାରି କରିବ କଂଗ୍ରେସ ।

କଂଗ୍ରେସର ୫ ଗ୍ୟାରେଣ୍ଟୀ

.ମହିଳା ମତଦାତାଙ୍କୁ ଅଧିକ ଫୋକସ କରିଛି ଦଳ । ଏ ନେଇ ମହିଳା ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର(ଡିବିଟି) ଯୋଜନା ଆଣିବାକୁ ପ୍ରତିଶ୍ରୁତି ଦେଇପାରେ । ଏହି ଯୋଜନାରେ ମହିଳାଙ୍କ ଖାତାକୁ ମାସକୁ ୨୫୦୦ରୁ ୩୦୦୦ ଟଙ୍କା ଯିବ

.ସ୍ବାସ୍ଥ୍ୟବୀମାକୁ ନେଇ ମଧ୍ୟ ଦଳ ପ୍ରତିଶ୍ରୁତି ଦେଇପାରେ । ପ୍ରତି ବର୍ଗଙ୍କୁ ଏହି ଯୋଜନାର ଲାଭ ମିଳିବ ।

.ଯୁବ ଭୋଟରଙ୍କ ପାଇଁ ନିଯୁକ୍ତି ଗ୍ୟାରେଣ୍ଟି ଦେଇପାରେ ।

. ଲେବର କ୍ଲାସ ଇନକମ ଗ୍ୟାରେଣ୍ଟି ସ୍କିମ ଆଣିପାରେ ।

. ସମସ୍ତଙ୍କ ପାଇଁ ରାସନ କାର୍ଡ ଘୋଷଣା  କରିପାରେ ।

ଖୁବଶୀଘ୍ର ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବ । ଏହା ପୂର୍ବରୁ ଶାସକ ଆପ୍ , ବିଜେପି, କଂଗ୍ରେସ ତାଙ୍କର ଘୋଷଣା ପତ୍ର ପ୍ରସ୍ତୁତି କାମରେ ଲାଗି ପଡିଛନ୍ତି । କଂଗ୍ରେସ ଦିଲ୍ଲୀ ଜନତାଙ୍କୁ ୫ ଗ୍ୟାରେଣ୍ଟି ଦେଇପାରେ । ଖୁବଶୀଘ୍ର ଏହାର ଘୋଷଣା କରିବ । ଆମ ଆଦମୀ ପାର୍ଟି ୭୦ ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛି । ଆପ୍ ସୁପ୍ରିମୋ ଲଗାତାର ଦିଲ୍ଲୀବାସୀଙ୍କୁ ନୂଆ ନୂଆ ପ୍ରତିଶ୍ରୁତି ଦେଉଛନ୍ତି ।