ଭୁବନେଶ୍ୱର, ୦୯/୦୭: ସର୍ବଭାରତୀୟ ବନ୍ଦ ଡାକରା ଦେଇଛି ଶ୍ରମିକ ସଂଗଠନ ଓ ବାମପନ୍ଥୀ ଦଳ । ଚକ-ଅଖ ସବୁକିଛି ବନ୍ଦ ରହିଛି । ସରକାରଙ୍କ ସାମ୍ନାରେ ୧୦ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ୧୭ ଦଫା ଦାବି ରଖିଛି । ଏହି ଭାରତ ବନ୍ଦ ଆନ୍ଦୋଳନକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିଛି । କଂଗ୍ରେସର କର୍ମକର୍ତ୍ତାମାନେ ବିଭିନ୍ନ ଜିଲ୍ଲାରେ ବନ୍ଦରେ ସାମିଲ ହୋଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । 

ସେ ଆହୁରି ମଧ୍ୟ କହିଛନ୍ତି, ଆସନ୍ତା ୧୧ ତାରିଖରେ   ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି । ସେ ସାଲିସ୍ ବିହୀନ ସଂଗ୍ରାମ କରୁଛନ୍ତି। କୌଣସି ପ୍ରତିକୂଳ ପରିସ୍ଥିତି ସାମ୍ନାରେ ଦବି ଯାଇନାହାନ୍ତି । ରାହୁଲ ଗାନ୍ଧି ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। ବର୍ତ୍ତମାନ ସମୟରେ ଓଡିଶାକୁ ରାହୁଲଙ୍କ ଗସ୍ତ ମହତ୍ତ୍ୱ ବହନ କରୁଛି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡି ପଡିଛି। ଅଦାନୀଙ୍କ ପାଇଁ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି। ଏ ସବୁର ହିସାବ ମାଗିବେ ରାହୁଲ। ଏହା ଆରମ୍ଭ ମାତ୍ର ଆଗକୁ ବାରମ୍ବାର ଓଡ଼ିଶା ଆସିବେ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ରାହୁଲ ଗାନ୍ଧିଙ୍କ ସହ ଏଆଇସିସି ଅଧକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ମଧ୍ୟ ଆସୁଛନ୍ତି। ତେଣୁ ଆମେ ସେମାନଙ୍କୁ ସ୍ବାଗତ କରୁଛୁ। ଓଡିଶାର କଂଗ୍ରେସ କର୍ମୀଙ୍କ ଜୋସ ଭରି ରହିଛି ବୋଲି ଭକ୍ତ କହିଛନ୍ତି।

  ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ, ରାହୁଲ ଗାନ୍ଧି ସାରା ଭାରତରେ ସାମାଜିକ ନ୍ୟାୟର ବାର୍ତ୍ତା ବାଣ୍ଟୁଛନ୍ତି। ଓଡିଶାରେ ମଧ୍ୟ ସାମାଜିକ ନ୍ୟାୟ ମିଳିପାରିନି। ରାହୁଲଙ୍କ ଗସ୍ତ ବେଳେ ଏ ନେଇ ଆଲୋଚନା ହେବ ବୋଲି ଶ୍ରୀକାନ୍ତ ଜେନା କହିଛନ୍ତି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ପିସିସି ଉପସଭାପତି ତାରା ବାହିନୀପତି, ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି, ପିସିସି ଗଣମାଧ୍ୟମ ଅଧକ୍ଷ ଅରବିନ୍ଦ ଦାସ, ଯୁବକଂଗ୍ରେସ ସଭାପତି ରଂଜିତ ପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।