କଟକ,୨୯/୦୫ : ଦୁଇ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ହୋଇଥିବା ଶାରୀରିକ ସମ୍ପର୍କକୁ ପରେ ବଳାତ୍କାର ମାମଲାର ରୂପ ଦିଆଯାଇପାରିବ ନାହିଁ। ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା କହିଛନ୍ତି । ଅଭିଯୁକ୍ତ ପଙ୍କଜ ଚୌଧୁରୀଙ୍କ ପକ୍ଷରୁ ଆଗତ ରିଟ୍ ଅପିଲ୍ର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍.କେ. ପାଣିଗ୍ରାହୀ ଏହି ରାୟ ଦେଇଛନ୍ତି । ଏହି ଅବସରରେ ଉଚ୍ଚ ନ୍ୟାୟାଳୟ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ରଦ୍ଦ କରିବା ସହ ଅଭିଯୁକ୍ତକୁ ଛାଡ଼ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁଯାୟୀ, ଜଣେ ମହିଳାଙ୍କ ସ୍ୱାମୀ ୨୦୨୨ ମେ’ ୨୧ ବାଲିଯାତ୍ରା ଦେଖିବାକୁ ଯାଇଥିବା ସମୟରେ ଅଭିଯୁକ୍ତ ପଙ୍କଜ ଚୌଧୁରୀ ଘରେ ପଶି ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ପୀଡ଼ିତାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଥିଲେ । ଏହି ଏତଲା ଆଧାରରେ ପୁଲିସ୍ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଥିଲା । ଅଭିଯୁକ୍ତ ବିରୋଧରେ ବଳାତ୍କାର ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହି ମାମଲାରେ ଜୟପୁରର ଅତିରିକ୍ତ ସେସନ୍ସ ଜଜ୍(ଫାଷ୍ଟ ଟ୍ରାକ) ସ୍ପେସାଲ କୋର୍ଟ ୨୦୨୫ ଜୁଲାଇରେ ପଙ୍କଜଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର କାରାଦଣ୍ଡ ଶୁଣାଇଥିଲେ ।
ଆହୁରି ପଢନ୍ତୁ- କକ୍ରୋଚ୍ ପାର୍ଟି ନାଁରେ ଏପିକେ ଫାଇଲ୍ ପଠାଇ ଖାଲି କରୁଥିଲେ ଆକାଉଣ୍ଟ, ପୁଲିସ ପୁଅ ସହ ୪ ସାଇବର୍ ଠକ ଗିରଫ
ଏହି ଦଣ୍ଡାଦେଶ ବିରୋଧରେ ପଙ୍କଜ ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ବିଭିନ୍ନ ପକ୍ଷଙ୍କୁ ଶୁଣିବା ପରେ କହିଛନ୍ତି ଯେ, ମାମଲାର ପରିସ୍ଥିତିରୁ ଏହା ପରସ୍ପର ସହମତିରେ ହୋଇଥିବା ସମ୍ପର୍କ ପରି ଜଣାପଡ଼ୁଛି । ସହମତିରେ ହୋଇଥିବା ଶାରୀରିକ ସମ୍ପର୍କକୁ ପରବର୍ତ୍ତୀ ସମୟରେ ବଳାତ୍କାର ଆଖ୍ୟା ଦିଆଯାଇପାରିବ ନାହିଁ । ପୀଡ଼ିତାଙ୍କ ଶରୀରରେ କୌଣସି ଚିହ୍ନ କିମ୍ବା ଆଘାତ ମିଳିନଥିଲା ବୋଲି ମେଡିକାଲ ଅଫିସରଙ୍କ ସାକ୍ଷ୍ୟ ଦର୍ଶାଉଛି । ଘଟଣା ଘଟିବା ପରେ ବିଳମ୍ବରେ ଏଫ୍ଆଇଆର୍ ଦାଏର କରିବାରେ କୌଣସି ସନ୍ତୋଷଜନକ ଉତ୍ତର ଦିଆଯାଇ ପାରି ନାହିଁ । ଅନ୍ୟପକ୍ଷରେ ପୀଡ଼ିତା ନିଜେ ସ୍ୱୀକାର କରିଛନ୍ତି ଯେ ଅଭିଯୁକ୍ତ ଜଣକ ତାଙ୍କ ସ୍ୱାମୀଙ୍କ ପରିଚିତ ଥିଲେ ଏବଂ ସେମାନଙ୍କ ଘରକୁ ପ୍ରାୟତଃ ଯାତାୟାତ କରୁଥିଲେ । ମାମଲାର ସମସ୍ତ ଦିଗ ଏବଂ ସାକ୍ଷ୍ୟ ପ୍ରମାଣକୁ ଅନୁଧ୍ୟାନ କରିବା ପରେ ଅଦାଲତ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ରଦ୍ଦ କରିବା ସହ ଅଭିଯୁକ୍ତଙ୍କୁ ମୁକ୍ତ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ସୁବୋଧ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ ।
ମୁସଲମାନ ଦେଶରେ ତୁଳସୀର ଜୋରଦାର ଚାହିଦା ! ପାକିସ୍ତାନ ଓ UAEକୁ ତୁଳସୀ ପଠାଉଛି ଭାରତ, ବାର୍ଷିକ କୋଟି କୋଟି ଟଙ୍କାର ଲାଭ, ଦେଖନ୍ତୁ ଭିଡିଓ...