ଭୁବନେଶ୍ୱର, ୨୯/୦୫ : ଭୁବନେଶ୍ୱର ସାଇବର ଥାନା ପୁଲିସ୍ ୩ଟି ମାମଲାରେ ୪ ଜଣ ସାଇବର ଠକଙ୍କୁ ଗିରଫ କରିଛି । ୩ ଜଣ ଜମତାର ଗ୍ୟାଙ୍ଗର ସଦସ୍ୟ ଥିବା ବେଳେ ଜଣେ ପଶ୍ଚିମବଙ୍ଗର । ଗିରଫ ଅଭିଯୁକ୍ତମାନେ ହେଲେ ଝାରଖଣ୍ଡ ଜାମତରାର ଆଲାଉଦ୍ଦିନ ଅନସାରୀ ଓରଫ କିଙ୍କ୍ ଖାନ୍, ବୀରେନ୍ଦ୍ର ଦାସ, ଅଭିଷେକ କୁମାର ଦାସ ଓ ପଶ୍ଚିମବଙ୍ଗ ନଦିଆ ଅଞ୍ଚଳର ଆୟାନ୍ ନନ୍ଦୀ । ଏମାନଙ୍କଠାରୁ ମୋବାଇଲ, ଲାପଟପ୍ ଓ ଅନ୍ୟ କାଗଜ ପତ୍ର ଜବତ କରିଛି ପୁଲିସ୍ । ଅଭିଷେକ ହେଉଛି ଜଣେ ପୁଲିସ୍ କର୍ମଚାରୀଙ୍କ ପୁଅ ।
୨୦୨୫ ସେପ୍ଟେମ୍ବର ୧୨ରେ ଜଣେ ଯୁବକଙ୍କ ମୋବାଇଲ୍କୁ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ଆରଟିଓ ପକ୍ଷରୁ ଏକ ମେସେଜ୍ ଆସିଥିଲା । କେଉଁଠି ଫାଇନ୍ କଟିଛି ବୋଲି ଉକ୍ତ ଲିଙ୍କ୍ ଓପନ୍ କରି ସବୁ କିଛି ତଥ୍ୟ ଦେଲା ପରେ ଆକାଉଣ୍ଟରୁ ଉଡ଼ି ଯାଇଥିଲେ ୭ ଲକ୍ଷ ଟଙ୍କା । ଏନେଇ ଯୁବକ ଜଣଙ୍କ ସାଇବର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ଗତ ଏପ୍ରିଲ୍ରେ ଜାମତରାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ହେଲେ ମାମଲାର ମାଷ୍ଟରମାଇଣ୍ଡ୍ ଆଲାଉଦ୍ଦିନ ଓ ପୁଲିସ୍ ପୁଅ ଅଭିଷେକ ଫେରାର ଥିଲେ । ତାଙ୍କୁ ଧରିବାକୁ ପୁଲିସ୍ ଗତ ୧୯ ତାରିଖରେ ଇନ୍ସପେକ୍ଟର ଓମ୍ ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ ହୋଇଥିଲା । ଉକ୍ତ ଟିମ୍ ଜାମତରା ଜିଲ୍ଲାରେ ୭ ଦିନ ଡେରା ପକାଇବା ପରେ ଆଲାଉଦ୍ଦିନ, ବୀରେନ୍ଦ୍ର ଓ ଅଭିଷେକଙ୍କୁ ଗିରଫ କରିଥିଲା । ତଦନ୍ତ ସମୟରେ ପୁଲିସ୍ ଜାଣିବାକୁ ପାଇଛି ଖାଲି ଟ୍ରାଫିକ୍ ଚାଲାଣ ନୁହେଁ ଏହି ଗ୍ୟାଙ୍କ୍ ଏପିକେ ଫାଇଲ୍ ତିଆରି କରୁଥିଲେ । ଉକ୍ତ ଫାଇଲ୍ ଯଦି କୌଣସି ବ୍ୟକ୍ତି ଡାଉନ୍ଲୋଡ୍ କରୁଥିଲା ତା ଫୋନ୍ର ସାଇବର ଅପରାଧୀଙ୍କ ନିୟନ୍ତ୍ରଣକୁ ଚାଲି ଯାଉଥିଲା । ଫଳରେ ସାଇବର ଅପରାଧୀମାନେ ଆକାଉଣ୍ଟ ଖାଲି କରି ଦେଉଥିଲେ । ଖାଲି ସେତିକି ନୁହେଁ ଗତ କିଛି ଦିନ ହେବ ଏମାନେ କକ୍ରୋଚ୍ ଜନତା ପାର୍ଟି ନାଁରେ ବି ଲୋକଙ୍କୁ ଲୁଟିବା ଆରମ୍ଭ କରି ଦେଇଥିଲେ । ଦେଶର ବିଭିନ୍ନ ରାଜ୍ୟର ଲୋକମାନଙ୍କୁ କକ୍ରୋଚ୍ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ହେବାକୁ ଲିଙ୍କ୍ ପଠାଉଥିଲେ । ଲିଙ୍କ୍ ଓପନ୍ କରି ସେଥିରେ ତଥ୍ୟ ଦେଲା ପରେ ଆକାଉଣ୍ଟ ଖାଲି କରିଦେଉଥିଲେ ଏହି ଗ୍ୟାଙ୍ଗ । ନିବେଶ ଆଳରେ ମଧ୍ୟ ଠକେଇ କରୁଥିଲେ ।
ଆହୁରି ପଢନ୍ତୁ- Cyber Crime : ‘କକ୍ରୋଚ ଜନତା ପାର୍ଟି’ ନାଁରେ ମେସେଜ୍ ଆସୁଛି କି ? ସାବଧାନ୍ ! ଏପିକେ ଫାଇଲ୍ ପଠାଇ ସବୁ ଫୋଛିନେବେ...
ଗତ ଜାନୁଆରୀ ୭ ତାରିଖରେ ଏହି ଜାମତରା ଗ୍ୟାଙ୍ଗ୍ର ଶିକାର ହୋଇଥିଲେ ଜଣେ ମହିଳା । ଏପିକେ ଫାଇଲ୍ ଡାଉନଲେଡ୍ ମାଧ୍ୟମରେ ଏହି ଗ୍ୟାଙ୍ଗ୍ ୩୯ ଲକ୍ଷ ୨୧ ହଜାର ଟଙ୍କା ଚଳୁ କରି ନେଇଥିଲେ । ଏନେଇ ସେ ଥାନରେ ଏତଲା ଦେଇଥିଲେ । ଅଭିଷେକ ‘ପ୍ରୋଟେକ୍ଟ ବଟ୍’ ଏକେ ଆପ୍ ବ୍ୟବହାର କି ଏପିକେ ଫାଇଲ୍ ତିଆରି କରୁଥିଲେ । ସେହିଭଳି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ୨୦୨୩ରେ ଅନ୍ଲାଇନ୍ରେ ୨୬ ଲକ୍ଷ ଟଙ୍କା ନିବେଶ କରିଥିଲେ । ତେବେ କିଛି ଦିନ ପରେ ଜାଣିବାକୁ ପାଇଥିଲେ ସେ ଠକାମିର ଶିକାର ହୋଇଛନ୍ତି । ଏନେଇ ସେ ଗତ ୨୦୨୪ ଜୁଲାଇ ମାସରେ ସାଇବର ଥାନାରେ ଏତଲା ଦେଇଥିଲେ । ପୁଲିସ୍ ଏକ ମାମଲା ରୁଜୁ କରିଥିଲା । ହେଲେ ଅଭିଯୁକ୍ତଙ୍କ ବିଷୟରେ କିଛି ଟେର ମିଳିନଥିଲା । ଗତ ମାସରେ ସାଇବର ଥାନା ଏସ୍ଆଇ ଏସ୍ ଶୁଭଶ୍ରୀ ଉକ୍ତ ମାମଲାର ଖୋଳତାଡ଼ କରିଥିଲେ । ଏହି ସମୟରେ ପଶ୍ଚିମବଙ୍ଗ ନଦିଆ ଅଞ୍ଚଳର ଆୟାନ୍ ଲିଙ୍କ୍ ମିଳିଥିଲା । ପୁଲିସ୍ ତାଙ୍କୁ ଗିରଫ କରିଥିଲା । ଆଜି ୩ଟି ମାମଲାରେ ଏହି ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।