ବୌଦ୍ଧ,୧୫/୧୧ : ପୂର୍ବ ଶତ୍ରୁତାରୁ ଜଙ୍ଘନ୍ୟ ହତ୍ୟାକାଣ୍ଡ ଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ବାଲିସାଇ ଗ୍ରାମରେ । ଜଣେ ପୁଲିସ କର୍ମଚାରୀଙ୍କୁ ପଥରରେ ଛେଚି ହତ୍ୟା କରିବାର ୪ ଦିନ ପରେ ଗଳିତ ଶବର ସୁରାକ ପାଇଛି ସ୍ଥାନୀୟ ପୁଲିସ୍ ।

ସୂଚନା ଅନୁସାରେ ବାଲିସାଇ ଗ୍ରାମର ମୃତକ ପୁଲିସ କର୍ମଚାରୀ ଉଦୟ ରଞ୍ଜନ ପଟ୍ଟନାୟକ ପଡୋଶୀ ଘର ସଂଜୟ ନାଏକଙ୍କ ସହ ପୂର୍ବରୁ ମିଳାମିଶା ହେଉଥିଲେ । କୌଣସି କାରଣ ବଶତଃ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା l ଏଥିରେ ସଂଜୟ ଉତକ୍ଷିପ୍ତ ହୋଇ ୪ଦିନ ପୂର୍ବରୁ ଉଦୟ ରଞ୍ଜନଙ୍କୁ ପଥରରେ ଛେଚି ଘର ପଛ ପାଖ ଅଳିଆ ଗଦାରେ ପୋତି ଦେଇଥିଲା l ହତ୍ୟା ପରେ ମୃତକ ପୁଲିସ କର୍ମଚାରୀଙ୍କ ପୁଅକୁ ଧମକ ଦେଇଥିଲା ଅଭିଯୁକ୍ତ ସଞ୍ଜୟ ।

ଏପରିକି ଘଟଣା ପ୍ରକାଶ କଲେ ଜୀବନରୁ ମାରି ଦେବି ବୋଲି ଧମକ ଦେଇଥିଲା । ଚାରି ଦିନ ପରେ ମୃତଦେହ ପଚି ସଢ଼ି ଗନ୍ଧ ହେବାରୁ ଗାଁ ଲୋକ ଜାଣିଥିଲେ । ଏ ନେଇ ଆଜି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ l ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଗଳିତ ଶବକୁ ଜବତ କରିବା ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ସଂଜୟକୁ ଗିରଫ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ, ଡଗ୍ସ ସ୍କୁଆଡ଼ ପୁରୁଣାକଟକ ପୁଲିସ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରୁଛି l ମୃତକ ଉଦୟ ରଞ୍ଜନ ପଟ୍ଟନାୟକ ଫୁଲବାଣୀ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ପୁଲିସ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ସୂଚନା ମିଳିଥିବାବେଳେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ହତ୍ୟା ଘଟଣାର କାରଣ ଜଣାପଡିବ ବୋଲି ବୌଦ୍ଧ ଏସଡିପିଓ ଲରେନ୍ସ ରାଉତ ରାୟ ସୂଚନା ଦେଇଛନ୍ତି ।