ନୂଆଦିଲ୍ଲୀ, ୧୩/୧୨ : ଖାଦ୍ୟକୁ ଅଧିକ ସ୍ଵାଦିଷ୍ଟ କରିବାକୁ ବ୍ୟବହାର ହୁଏ ଖାଇବା ତେଲ । ବିଶେଷ କରି ନନଭେଜ୍ ଆଇଟମ୍ରେ ଟିକେ ତେଲ ସରସର କରି ମସଲା କଷା ନହେଲେ ପାଟିକୁ ରୁଚେନା । ତେବେ ଯେକୌଣସି ଆଇଟମ୍ ହେଉ ନା କାହିଁକି, ଅଧିକ ତେଲ ଦେଇ ରାନ୍ଧିଲେ ଏହା ପାଟିକୁ ସୁଆଦିଆ ଲାଗିବା ସହ ଆଙ୍ଗୁଳି ଚାଟି ଚାଟି ପ୍ଲେଟ୍ ସଫା ହୋଇଯାଏ। ହେଲେ ଆପଣ ଖାଉଥିବା ଖାଇବା ତେଲ କେତେ କ୍ଷତିକାରକ ଜାଣିଛନ୍ତି କି ? ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କୁକିଂ ଅଏଲ୍ ଯୋଗୁଁ ହୋଇପାରେ କ୍ୟାନସର ଭଳି ମାରାତ୍ମକ ରୋଗ । ଅକାଳରେ ଚାଲିଯାଇପାରେ ଜୀବନ । ନିକଟରେ ଏକ ରିପୋର୍ଟରୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ।
ଖାଇବା ତେଲରୁ ହୋଇପାରେ କ୍ୟାନସର। ବିଶେଷ କରି ଯୁବ ବର୍ଗ ହୋଇପାରନ୍ତି ପ୍ରଭାବିତ। ସୂର୍ଯ୍ୟମୁଖୀ, ଅଙ୍ଗୁରୁ ମଞ୍ଜି, ଶୋରିଷ ଏବଂ ମକା ତେଲର ଅଧିକ ସେବନ ଯୋଗୁଁ କ୍ୟାନସର ହେବାର ସମ୍ଭାବନା ରହିଛି। ମେଡିକାଲ ଜର୍ଣ୍ଣାଲ ଗଟ୍ରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶିତ ହୋଇଛି। ଆମେରିକୀୟ ସରକାରଙ୍କ ଦ୍ଵାରା ୮୦ କୋଲନ କ୍ୟାନସର୍ ରୋଗୀ ଏବଂ ୮୧ ଟ୍ୟୁମର ନମୁନାକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। କୋଲନ କ୍ୟାନସର ରୋଗୀଙ୍କ ଶରୀରରେ ବାୟୋଆକ୍ଟିଭ୍ ଲିପିଡ୍ ସ୍ତର ଅଧିକ ଥିବା ଜଣାପଡିଥିଲା। ସେହିପରି କ୍ୟାନସର୍ ଗ୍ରସ୍ତ ଟ୍ୟୁମରରେ ବି ଲିପିଡ୍ ସ୍ତର ଅଧିକ ଥିଲା।
ତେବେ ଏହି ଲିପିଡ୍ କଣ ? ସିଡ୍ସ୍ ଅଏଲ୍କୁ ବ୍ରେକଡାଉନ୍ ପରେ ଏହି ଲିପିଡ୍ ତିଆରି ହୁଏ। ଏହି ବାୟୋଆକ୍ଟିଭ୍ ଲିପିଡ୍ କୋଲନ କ୍ୟାନସରକୁ ତୀବ୍ର ଗତିରେ ବିକଶିତ କରିବାରେ ସାହାଯ୍ୟ କରେ। ଟ୍ୟୁମର ସହ ଲଢିବା ପାଇଁ ପ୍ରତିରୋଧ କରେ। ଏତଦ୍ ବ୍ୟତିତ ସିଡ୍ସ୍ ଅଏଲରେ ଓମେଗା-୬ ଏବଂ ପଲିଅନସେଚୁରେଟେଡ୍ ଫ୍ୟାଟି ଏସିଡ୍ ବି ରହିଛି। ଏନେଇ ଅଧକ ଗବେଷଣା କରାଯାଉଛି। ତେବେ କ୍ୟାନସର ଭଳି ବିପଦକୁ ଟାଳିବାକୁ ହେଲେ ଶସ୍ତା ତେଲ ବଦଳରେ କିଛି ଉତ୍ତମ ମାନର କୁକିଂ ଅଏଲ୍ ବ୍ୟବହାର କରିପାରିବେ। ଯେପରିକି ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଯଦି ଆପଣ ହେଲଦି ଡାଏଟ୍ ଅନୁକରଣ କରୁଛନ୍ତି, ତେବେ କମ୍ ପରିମାଣର ଅଲିଭ୍ କିମ୍ଵା ସୂର୍ଯ୍ୟମୁଖୀ ତେଲ ବ୍ୟବହାର କରିପାରିବେ। ଅଟା କିମ୍ଵା ମଇଦା ଦଳିବା ପାଇଁ ବାଦାମ କିମ୍ଵା ସୋୟାବିନ ତେଲ ବ୍ୟବହାର କରିପାରିବେ। ସାଲାଡ୍ କିମ୍ଵା ହାଲୁକା ଖାଦ୍ୟ ପ୍ରସ୍ତୁତିରେ ଅଲିଭ୍ ଅଏଲ୍ ବ୍ୟବହାର କରିପାରିବେ। ଖାଦ୍ୟର ବାସ୍ନା ବଢାଇବାକୁ ରାଶି କିମ୍ଵା ନଡିଆ ତେଲ ବ୍ୟବହାର କରିପାରିବେ।