ନୂଆଦିଲ୍ଲୀ,୩୦।୧୨:  ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନେଇ ବିଜେପି ଓ କଂଗ୍ରେସ ଭିତରେ ବିବାଦ ଥମିବାର ନାଁ ଧୁରୁନି। ଏହା ଭିତରେ ବିଜେପି ପକ୍ଷରୁ ଏବେ ରାହୁଲ ଗାନ୍ଧିଙ୍କୁ ନେଇ ଆରମ୍ଭ ହୋଇଛି ସମାଲୋଚନା। ବିଜେପି କହିଛି ଗୋଟିଏ ପଟେ ପୁରା ଦେଶ ମନମୋହନ ସିଂଙ୍କ ନିଧନରେ ଶୋକ ମନାଉଛନ୍ତି। ଅନ୍ୟପକ୍ଷେ ରାହୁଲ ନୂଆ ବର୍ଷ ପାଳନ କରିବା ପାଇଁ ଭିଏତନାମକୁ ଉଡାଣ ଭରିସାରିଛନ୍ତି। ଏହା ପୂର୍ବରୁ ବିଜେପି ମନମୋହନ ସିଂହଙ୍କ ଅସ୍ଥି ବିସର୍ଜନରେ ରାହୁଲ ଗାନ୍ଧୀ ଓ ତାଙ୍କ ପରିବାର ନପହଁଞ୍ଚିଥିବା କାରଣରୁ ଟାର୍ଗେଟ କରିଥିଲା। ତେବେ ପରେ କଂଗ୍ରେସ ଏହାକୁ ନେଇ ସଫେଇ ଦେଇଥିଲା ଯେ, ବ୍ୟକ୍ତିଗତ କାର୍ଯ୍ୟକୁ ସମ୍ମାନ ଦେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। 

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ଏକ୍ସରେ ପୋଷ୍ଟ କରିଛନ୍ତି। ଏହା ଉପରେ ସେ ଲେଖିଛନ୍ତି, ପୁରା ଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିଧନରେ ଦୁଃଖି ଅଛି। ହେଲେ ଏଭଳି ସମୟରେ ରାହୁଲ ନୂଆ ବର୍ଷର ସ୍ବାଗତ କରିବାକୁ ଭିଏତନାମ ଚାଲିଗଲେ। କେବଳ ସେତିକି ନୁହେଁ ମାଲବୀୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକରେ ରାଜନୀତି କରିବା ଓ ଏହାର ଫାଇଦା ନେବାର ଅଭିଯୋଗ କରିଛନ୍ତି। ସେ ଲେଖିଛନ୍ତି, ଗାନ୍ଧୀ ପରିବାର ଓ କଂଗ୍ରେସ ଶିଖ୍‌ଙ୍କୁ ଘୃଣାକରେ। ଏହା ଭୁଲିବା ଉଚିତ ନୁହେଁ, ଗାନ୍ଧୀ ପରିବାର ଦରବାର ସାହିବଙ୍କ ଅପମାନ କରିଥିଲା। 

ଏହା ଭିତରେ କଂଗ୍ରେସ ମଧ୍ୟ ବିଜେପିର ଅଭିଯୋଗର ଜବାବ୍ ଦେଇଛି। କଂଗ୍ରେସ କହିଛି, ରାହୁଲ ଗାନ୍ଧୀ ବିଦେଶକୁ ଏକ ବ୍ୟକ୍ତିଗତ ଯାତ୍ରାରେ ଯାଇଛନ୍ତି ଓ କାହାକୁ ଏଥିରେ କୌଣସି ସମସ୍ୟା ନହେବା ଦରକାର। ପାର୍ଟିର କହିବା ଅନୁସାରେ, ଏହା କାହାର ବ୍ୟକ୍ତିଗତ ମାମଲା। କଂଗ୍ରେସ ସାଂସଦ ମଣିକମ୍ ଟାଗୋର କହିଛନ୍ତି, ଏହି ଦଳ କେବେ ରାଜନୀତି ଛାଡିବ ?