ନାରାୟଣପାଟଣା,୨୦/୧୧: କୋରାପୁଟ ବିଶାଖାପାଟଣା ଡ଼ିଏମ ୟୁ ଟ୍ରେନ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଜଣ ବୁର୍ଜା ଗାଁର ଦମ୍ପତି ବୁରୁସ ଖରା ଓ ଯମୁନା ଖରା ବୋଲି ଚିହ୍ନଟ ହୋଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ଠାରୁ ୩ କିଲୋମିଟର ଦୂର ଭୂଇଁପାଟଣା ଗାଁ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଏହି ଦମ୍ପତି ଗାଁ ଗାଁ ବୁଲି ବ୍ୟବସାୟ କରୁଥିଲେ । ବୁଧବାର ସକାଳୁ ଦୁହେଁ ଭୂଇଁପାଟଣା ଗାଁରେ ପହଞ୍ଚି ବ୍ୟବସାୟ କରିଥିଲେ । ସେଠାରୁ ବ୍ୟବସାୟ ସାରି ଫେରୁଥିବା ବେଳେ ବାଟରେ ପଡୁଥିବା ରେଳ ଲାଇନ ପାର ହୋଇ ଆସୁଥିଲେ । ଘଟଣା ସ୍ଥଳରେ ଦୁଇଟି ଟ୍ରାକ ରହିଥିବା ବେଳେ ଉଭୟ ଟ୍ରାକରେ ଦମ୍ପତି ପାର ହେବା ସମୟରେ ଦୁଇଟି ଟ୍ରେନ ଦୂଇ ପଟେ ଆସୁଥିଲା । ଉପାୟ ଶୂନ୍ୟ ହୋଇ କେଉଁଆଡେ ଯାଇ ନପାରିବାରୁ ଡ଼ିଏମୟୁ ଟ୍ରେନ୍‌ ଧକ୍କାରେ ଉଭୟ ପ୍ରାଣ ହରାଇଥିଲେ । ପରେ ସ୍ଥାନୀୟଲୋକେ ଉଭୟଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଲକ୍ଷ୍ମୀପୁର ପୋଲିସ ପହଞ୍ଚିଛି । ସେଠାରେ ପହଞ୍ଚି ଦମ୍ପତିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏଭଳି ସ୍ଥିତି ପରେ  ଭୂଇଁପାଟଣା ନିକଟରେ ବ୍ରିଜ କିମ୍ବା ତୁରନ୍ତ ତାର ବାଡ଼ କରିବା ପାଇଁ ଗାଁଲୋକେ ଦାବି କରିଛନ୍ତି ।