ନୂଆଦିଲ୍ଲୀ ୧୧/୦୬: ଗାଡ଼ି ଚୋରି ହେଲେ ଲୋକେ ସର୍ବପ୍ରଥମେ ଥାନାରେ ରିପୋର୍ଟ କରନ୍ତି । ବ୍ରିଟେନର ଜଣେ ଦମ୍ପତି ମଧ୍ୟ ଠିକ୍‌ ସେମିତି କରିଥିଲେ । ଘର ବାହାରେ ରଖିଥିବା ତାଙ୍କର ଏକ ଜାଗୁଆର କାର୍‌ ଚୋରି ହୋଇଥିଲା । ଏହା ପରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ । କିନ୍ତୁ ପୁଲିସ ଅବହେଳା କରିବାରୁ ଦମ୍ପତି ମାମଲାର ନିଜେ ସମାଧାନ କରିଛନ୍ତି ।

ଏହି ଘଟଣା ୱେଷ୍ଟ୍‌ ଲଣ୍ଡନର ବ୍ରୁକ୍‌ ଗ୍ରୀନ୍‌ ଅଞ୍ଚଳର । ଏଠାରେ ଦମ୍ପତିଙ୍କ ଘର ସାମ୍ନାରୁ ଚୋର ଜାଗୁଆର ଇ-ପେସ୍‌ କାର୍‌ ଚୋରି କରିନେଲା । ପୁଲିସକୁ ଏ ବିଷୟରେ ସୂଚନା ଦେବାରୁ ପୁଲିସ ତଦନ୍ତ ନକରି ଅବହେଳା କରିଥିଲା । ଗାଡ଼ି କେବେ ମିଳିବ, ମିଳିବ କି ନାହିଁ ତାହା ସ୍ପଷ୍ଟ କରିନଥିଲେ । ପୁଲିସର ହାବଭାବ ଦେଖି ଦମ୍ପତି ନିଜ ଗାଡ଼ିକୁ ନିଜେ ଖୋଜିବାକୁ ଚିନ୍ତାକଲେ । ଗାଡ଼ିରେ ଏକ ଘୋଷ୍ଟ୍‌ ଇମୋବିଲାଇଜର ଓ ଏୟାରଟ୍ୟାଗ୍‌ ଟ୍ରାକର୍‌ ସିଷ୍ଟମ୍‌ ଲାଗିଥିଲା । ଏହା ସାହାଯ୍ୟରେ ସେମାନେ କାର୍‌ର ଲୋକେସନ୍‌ ଟ୍ରାକ୍‌ କରି ଖୋଜିଥିଲେ  । 

କାର୍‌ଟି ଚିୱିକ ଅଞ୍ଚଳରେ ଥିବା ଜାଣିବାକୁ ପାଇଲେ । ଏ ବିଷୟରେ ଦମ୍ପତି ତୁରନ୍ତ ପୁଲିସକୁ ଜଣାଇଲେ । ଏହା ପରେ ବି ପୁଲିସ କୌଣସି ପ୍ରତିକ୍ରିୟା ଦେଇନଥିଲା । ତେଣୁ ଉଭୟ ଦମ୍ପତି ସେହି ଅଞ୍ଚଳରେ ପହଞ୍ଚିଲେ । କାର୍‌କୁ ଏକ ଶୂନ୍‌ଶାନ ଗଳିରେ ରଖାଯାଇଥିଲା । କାର୍‌ ଭିତର କାର୍‌ପେଟ୍‌ କ୍ଷତିଗ୍ରସ୍ତ ହୋଇଥିଲା । ୱାୟରିଂ ମଧ୍ୟ ବାହାରକୁ ବାହାରିଥିଲା । ଦମ୍ପତି ନିଜ କାର୍‌କୁ ସେଠାରୁ ଉଦ୍ଧାର କରିଥିଲେ । ଦମ୍ପତି ଏହି ଘଟଣାକୁ ଲିଙ୍କଡ୍‌ଇନ୍‌ରେ ଶେୟାର କରିଛନ୍ତି । ଲେଖିଛନ୍ତି- ନିଜ କାର୍‌କୁ ଚୋରି କରି ଆଣିବା ମଜାଦାର ଥିଲା । କିନ୍ତୁ ପୁଲିସର କାମ ଆମକୁ କରିବାକୁ ପଡ଼ିଲା, ଯାହା ଚିନ୍ତାର ବିଷୟ ।