ସମ୍ବଲପୁର,୧୦/୦୦୨: ଇ-କମର୍ସ ସାଇଟ୍‌ରୁ ଅର୍ଡର କରିଥିଲେ ଲାପ୍ଟପ୍। ହେଲେ ପାର୍ସଲ ଭିତରୁ ବାହାରିଲା ମାର୍ବଲ ଖଣ୍ଡ। ଯାହାକୁ ଦେଖି ତାଜୁବ୍ ହୋଇଗଲେ ଗ୍ରାହକ।ଅନ୍‌ଲାଇନ ଅର୍ଡର୍‌ରେ ଗ୍ରାହକଙ୍କୁ ଲ୍ୟାପ୍‌ଟପ୍ ବଦଳରେ ମାର୍ବଲ୍ ଖଣ୍ଡ ଡେଲିଭରି ହେବା ଘଟଣାରେ ଖାଉଟି ଅଦାଲତ ଅଭିଯୋଗ କରିଥିଲେ। ସମ୍ପୃକ୍ତ ମାମଲାରେ ଇ-କମର୍ସ କମ୍ପାନୀକୁ ଦଣ୍ଡିତ କରିବା ସହ ଜରିମାନା କରିଛନ୍ତି ଖାଉଟି କୋର୍ଟ ।

ଗତବର୍ଷ ଫେବୃଆରୀ ୨୫ ତାରିଖରେ ଏହି ଘଟଣା ଘଟିଥିଲା । ଗ୍ରହକ ଝାଙ୍କରପାଲି ଅଞ୍ଚଳର ଡ. ଚଉବର୍ଗ ନାୟକ ଏନେଇ ପ୍ରଥମେ ସମ୍ପୃକ୍ତ ଇ-କମର୍ସ ସଂସ୍ଥାରେ ଅଭିଯୋଗ କରିବା ପରେ ଥାନା ଓ ଶେଷରେ ସମ୍ବଲପୁର ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ ।

ଆହୁରି ପଢ଼ନ୍ତୁ :- ଉକୁଣୀକୁ କରନ୍ତୁନି ହେୟ... ମୁଣ୍ଡରେ ରହି ଶୋଷିଦେବ ରକ୍ତ, ନେଇଯିବ ଜୀବନ

ମାମଲାର ବିବରଣୀ ଅନୁସାରେ, ୪୫ ବର୍ଷୀୟ ଡ. ଚଉବର୍ଗ ୨୦୨୫ ମସିହା ଫେବୃଆରୀ ୪ ତାରିଖରେ ଏକ ଇ-କମର୍ସ କମ୍ପାନୀରୁ ୬୦ ହଜାର ୭୯୯ ଟଙ୍କା ମୂଲ୍ୟର ଜଣାଶୁଣା ବ୍ରାଣ୍ଡର ଲ୍ୟାପ୍ଟପ୍ ଅର୍ଡର୍ କରିଥିଲେ । ପ୍ରଡକ୍ଟଟି ପ୍ରିପେଡ୍ ମୋଡ୍ରେ ଥିବାରୁ ଡେଲିଭରି ହେବା ପୂର୍ବରୁ ସେ ଏହାର ଅଗ୍ରୀମ ପେମେଣ୍ଟ କରିଥିଲେ । ୬ ତାରିଖରେ ଏକ ମୁଦା ପାର୍ସଲରେ ଅର୍ଡରଟି ତାଙ୍କ ଠିକଣାରେ ପହଞ୍ଚିଥିଲା । ମାତ୍ର ଏହାକୁ ଖୋଲିବା ପରେ ସେଥିରେ ଲ୍ୟାପଟପ ପରିବର୍ତ୍ତେ ଏକ ମାର୍ବଲ ଖଣ୍ଡ ଥିବା ଦେଖିବାକୁ ମିଳିଥିଲା । ଚଉବର୍ଗ ପ୍ରଥମେ ଉକ୍ତ ଇ-କମର୍ସ ସଂସ୍ଥାର ଅଫିସିଆଲ ୱେବସାଇଟରେ ଅଭିଯୋଗ ପଞ୍ଜିକରଣ କରିଥିଲେ ସୁଦ୍ଧା କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ । ପରେ ସେ ଥାନାରେ ଓ ପରେ ସମ୍ବଲପୁର ଖାଉଟି ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ମାମଲାର ତଦନ୍ତ କରି ଇ-କମର୍ସ ସଂସ୍ଥାକୁ ଜରିମାନା କରିଛନ୍ତି । ଲ୍ୟାପ୍‌ଟପ୍ ବାବଦକୁ ୬୦ ହଜାର ୭୯୯ ଟଙ୍କା, ମାମଲା ସମ୍ପର୍କିତ ଖର୍ଚ୍ଚ ବାବଦକୁ ୨୫ ହଜାର ଓ କ୍ଷତିପୂରଣ ବାବାଦକୁ ୫ ହଜାର ଜରିମାନା ନିର୍ଦ୍ଦେଶ ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ଅଭିଯୋଗକାରୀଙ୍କୁ ପ୍ରଦାନ କରିବାକୁ ରାୟ ଶୁଣାଇଛନ୍ତି । ଉକ୍ତ ମାମଲାକୁ ଆଇନଜୀବୀ ପ୍ରୀତିଶ ଦେବତା ପରିଚାଳନା କରିଥିଲେ ।