କଟକ, ୨୩/୦୫ : ପୁଲିସ୍ ଏସ୍ଆଇ ପ୍ରଶ୍ନପତ୍ର କେଳେଙ୍କାରୀ ମାମଲା। ୧୭ ଜଣ ଅଭିଯୁକ୍ତଙ୍କ ଜାମିନ୍ ଆବେଦନକୁ ଖାରଜ କଲେ ହାଇକୋର୍ଟ। ଅଭିଯୁକ୍ତମାନେ ହେଲେ ଟି. ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲ, ଲୋକନାଥ ସାହୁ, ଶ୍ରୀକାନ୍ତ ମହାରଣା, ବିଶ୍ୱଜିତ୍ ହରିଚନ୍ଦନ, ସାଗର କୁମାର ଗୌଡ଼ା, ତଫିମ୍ ଅହମ୍ମଦ ଖାନ୍, ସୁରେଶ ନାୟକ, ବିରଞ୍ଚି ନାୟକ, ନିମାଇଁ ସାହୁ, ଅର୍ଜୁନ ନାୟକ, ବିଶ୍ୱରଞ୍ଜନ ବେହେରା, ଇପିଲି ସୀତାରାମ, ଅମିତ୍ ଭାରତୀ, ନୀତିଶ କୁମାର, ଅରବିନ୍ଦ ଦାସ । ପ୍ରଶ୍ନପତ୍ର ପ୍ରଘଟ ଭଳି ସଙ୍ଗୀନ ଅଭିଯୋଗରେ ଅଭିଯୁକ୍ତମାନଙ୍କ ସମ୍ପୃକ୍ତି ରହିଥିବାରୁ ଏବଂ ସେମାନେ ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଥିବାରୁ ଅଦାଲତ ଜାମିନ୍ ଦେବା ଲାଗି ମନା କରି ଦେଇଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଏହି ଆଦେଶ ଦେଇଛନ୍ତି ।
ଅପରପକ୍ଷରେ ଏହି ମାମଲାରେ ଚିକିତ୍ସା ପାଇଁ ଜାମିନ୍ରେ ଥିବା ମୁନା ମହାନ୍ତିର ଅନ୍ତରୀଣ ସୁରକ୍ଷା ଆଉ ବଢ଼ାଯିବ ନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଚିକିତ୍ସା ଓ ବିଶ୍ରାମ ନେବାର ୨୧ ଦିନ ପରେ ମୁନା ମହାନ୍ତି ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ୍ ଏସ୍ଆଇ ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ସିବିଆଇ ବହୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନେ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି ପ୍ରାଥମିକ ପ୍ରମାଣ ନାହିଁ । ସେମାନେ ଇତିମଧ୍ୟରେ ୭ରୁ ୮ମାସ ଜେଲ୍ରେ କଟାଇ ସାରିଲେଣି । ଚାର୍ଜସିଟ୍ ମଧ୍ୟ ଦାଖଲ ସରିଛି । ତେଣୁ ଜାମିନ୍ ଦିଆଯାଉ । କିନ୍ତୁ ଏହାକୁ ସିବିଆଇ ବିରୋଧ କରିଥିଲା । ଅଭିଯୁକ୍ତମାନଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ଥିବା ଦର୍ଶାଯାଇଥିଲା । ହାଇକୋର୍ଟ କହିଛନ୍ତି, ଅଭିଯୁକ୍ତମାନେ ଯାହା କରିଛନ୍ତି ତାହା ସମାଜ ବିରୋଧରେ ଅପରାଧ । ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିଲେ ହେଁ ଜାମିନ୍ ପାଇଁ ଯଥେଷ୍ଟ ନୁହେଁ । ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ମାମଲା ପରିଚାଳନା କରୁଥିଲେ ।
ଏହି ଖବରଟିକୁ ପଢନ୍ତୁ- ଖାକି ବାହିନୀରେ ବିଚିତ୍ର ବ୍ୟବସ୍ଥା ! ମୌଖିକ ଆଦେଶରେ ବଦଳି ହୋଇ ବର୍ଷ ବର୍ଷ ହେଲା ଫାଇଲ୍ ବୋହୁଛନ୍ତି ମାଳମାଳ ସିପାହୀ