ନୂଆଦିଲ୍ଳୀ,୨୮।୪: ଦିଲ୍ଳୀ ହାଇକୋର୍ଟ ଏକ ମାମଲାରେ ଅନ୍ତରୀଣ ନିର୍ଦେଶ ଜାରି କରି ପ୍ରସିଦ୍ଧ ଟିଭି ଶୋ’ ‘ଶାର୍କ ଟ୍ୟାଙ୍କ’ଫେମ୍ Bacca Bucci ଜୋତା ବିକ୍ରି ଉପରେ ରୋକ ଲଗାଇ ଦେଇଛନ୍ତି। ବାର୍ ଆଣ୍ଡ ବେଞ୍ଚ ରିପୋର୍ଟ ଅନୁଯାୟୀ, ‘ସ୍କେଚର୍ସ’ କମ୍ପାନୀ ପକ୍ଷରୁ ଜୋତା ଡିଜାଇନ୍ କପି କରିବାର ଅଭିଯୋଗ ଆଣିବା ପରେ ଦିଲ୍ଲୀ ହାଇକୋର୍ଟ ଫୁଟୱେୟାର ବ୍ରାଣ୍ଡ ‘ବାକା ବୁଚି’ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ଜୋତା ‘ସ୍କେଚର୍ସ’ କମ୍ପାନୀର ‘ଗୋ ଓ୍ବାକ୍-୫’ ମଡେଲ ଡିଜାଇନ୍ ସହ ସମାନ ରହିଛି।’
ଜଷ୍ଟିସ୍ ତୁଷାର ରାଓ ଗେଡେଲା ‘ସ୍କେଚର୍ସ’ ସପକ୍ଷରେ ଏକତରଫା ଅନ୍ତରୀଣ ନିଷେଧାଜ୍ଞା ଆଦେଶ ଜାରି କରିଥିଲେ ଏବଂ କଥିତ ଉଲ୍ଲଂଘନକାରୀ ଉତ୍ପାଦଗୁଡ଼ିକୁ ଚିହ୍ନଟ ଏବଂ ଜବତ କରିବା ପାଇଁ ସ୍ଥାନୀୟ କମିଶନରଙ୍କ ନିଯୁକ୍ତିକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଏହି ଡିଜାଇନ୍ ପ୍ରାୟ ଏକା ଭଳି/ ଭ୍ରମ ସୃଷ୍ଟି କରୁଥିବା ରୂପରେ ସମାନ ଦେଖାଯାଉଛି। ଏହା ଦ୍ବାରା ଗ୍ରାହକ ଭ୍ରମରେ ପଡିପାରନ୍ତି।
‘ସ୍କେଚର୍ସ ୟୁଏସ୍ଏ’ ଓ ଏହାର ସହଯୋଗୀ କମ୍ପାନୀ ‘ବାକା ବୁଚି ଫ୍ୟାସନ୍’ ବିରୋଧରେ ଦିଳ୍ଳୀ ହାଇକୋର୍ଟରେ ଆବେଦନ ଦାଖଲ କରିଥିଲା। ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ, ‘ବାକା ବୁଚି’ ଏହାର ‘ଗୋ ଓ୍ବାକ ୫’ ଯୋତାର ମିଡ୍ସୋଲ ଓ ଆଉଟ୍ସୋଲ ଡିଜାଇନର ପଞ୍ଜିକରଣ କରିଛି। ଏହି ପ୍ରଡକ୍ଟ ୨୦୧୯ ରେ ଭାରତରେ ଲଞ୍ଚ କରାଯାଇଥିଲା। କମ୍ପାନୀ କହିଛି, ‘ବାକା ବୁଚି’ ଆମ ଜୋତାର ସ୍ବତନ୍ତ୍ର ଫିଚର୍ସକୁ କପି କରିଛି। ଘୋଡାର ନାଳ ଭଳି ଆକୃତି, ସେଗମେଣ୍ଟ ପାର୍ଟନ ଭଳି ଅନେକ କିଛି ଅବିକଳ କପି କରିଛି। ଯାହାଫଳରେ ଉପଭୋକ୍ତଙ୍କ ଭିତରେ ଭ୍ରମ ସୃଷ୍ଟି ହେବ। ‘ସ୍କେଚର୍ସ’ ୨୦୨୫ ରେ ‘ବାକା ବୁଚି’କୁ ନୋଟିସ୍ ପଠାଇଥିଲା ଓ ପରେ ରିମାଇଣ୍ଡର ବି ଦେଇଛି। କିନ୍ତୁ କମ୍ପାନୀ କଥିତ ଭାବରେ ଏହାକୁ ପାଳନ କରିନଥିବାରୁ ମାମଲା କୋର୍ଟ ପର୍ଯ୍ୟନ୍ତ ପହଁଞ୍ଚିଲା। ‘ସ୍କେଚର୍ସ’ର ଅଭିଯୋଗ ପରେ ହାଇକୋର୍ଟ ‘ବାକା ବୁଚି’କୁ ବିବାଦୀୟ ଡିଜାଇ୍ ଜୋତା ତିଆରି ଓ ବିକ୍ରି ତୁରନ୍ତ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଏହାଛଡା ଅନଲାଇନ୍ ପ୍ଳାଟଫର୍ମରେ ଏହାର ପ୍ରଚାର ପ୍ରସାର କରିବାକୁ ମଧ୍ୟ କହିଛନ୍ତି।