ବାଲେଶ୍ୱର,୨୮/୦୪; ପଶୁ ହେଲେ ବି ଭୁଲର ଅନୁତାପ କରୁଛି । ଯେଉଁ ଭୁଲ ସେ କରିଛି ସେ ତା ମନକୁ ଏମିତି ଜଖମ ଦେଇଛି ଯେ ଚାହିଁଲେ ବି ଭୁଲି ପାରୁନି । ମନ ମାରି ବସିଛି । ମନର ଯନ୍ତ୍ରଣା ଏମିତି ଯେ ନା ଖାଉଛି ନା ପିଉଛି ଖାଲି ଆଖିଲୁ ଲୁହ ଗଡାଉଛି । ମାଲିକଙ୍କୁ ଜବୀନରୁ ମାରିଦେବା ଅନୁତାପରେ ଜର୍ଜରିତ ବହୁ ଚର୍ଚ୍ଚିତ ଗାଈ ‘ମୁଗେଇ’ ଏବେ ବି ନିଜ ଜିଦ୍ରେ ଅଟଳ ରହିଛି । ମାଲିକ ମୃତ୍ୟୁକୁ ୧୫ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ବି ଏବେ ବି ସେ ଅନ୍ନ ଜଳ ସ୍ପର୍ଶ କରୁନି । ଫଳରେ ଦୁର୍ବଳ ହୋଇଯାଇଥିବା ମୁଗେଇ ଏବେ ଆଉ ଉଠିବାକୁ ବଳ ପାଉନି । ଏହି ଖବର ପ୍ରଚାର ହେବା ପରେ ସୋମବାର ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ତା’ର ଚିକିତ୍ସା ଆରମ୍ଭ କରିଛି ।
ଏହି ଟିମ୍ ପକ୍ଷରୁ ଏବେ ମୁଗେଇକୁ ସାଲାଇନ୍ ଦିଆଯିବା ସହ ଜୀବନ ରକ୍ଷାକାରୀ ଔଷଧ ଦିଆଯାଉଛି । ଶରୀରର ଆହତ ଅପେକ୍ଷା ତା’ ମନର କଷ୍ଟ ଏହି ନିରୀହ ପଶୁଟିକୁ ଅଧିକ ଯନ୍ତ୍ରଣା ଦେଉଛି ବୋଲି ଚିକିତ୍ସିତ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ସପ୍ତାହ ଧରି ଅନ୍ନ ଜଳ ତ୍ୟାଗ କରିବା ଫଳରେ ମୁଗେଇର ସ୍ୱାସ୍ଥ୍ୟାବସ୍ଥା ଏବେ ବିଗିଡ଼ିବାରେ ଲାଗିଛି । ଗୋଟିଏ ପକ୍ଷରେ ମୁଗେଇ ନିଜ ଭୁଲ ପାଇଁ ଅନୁତାପରେ ମ୍ରିୟମାଣ ଥିବାବେଳେ ପୁରୁଣା ମାଲିକ କିମ୍ବା ନୂଆ ମାଲିକ ତାକୁ ନିଜ ଘରକୁ ନେଉନଥିଲେ । ଏହା ଜାଣିବା ପରେ ମୁଗେଇକୁ ଗୋ-ସେବକ ଦଳ ନିଜ ଦାୟିତ୍ୱରେ ରେମୁଣାସ୍ଥିତ ଗୋଶାଳାକୁ ଆଣି ରଖିଛନ୍ତି । ସେଠାରେ ତାକୁ ବିଭିନ୍ନ ସେବା ଯୋଗାଇ ଦିଆଯାଉଛି ।
ଏହା ବି ପଢନ୍ତୁ...ଶିଙ୍ଗରେ କଚାଡ଼ିଦେବାରୁ ମାଲିକଙ୍କ ପ୍ରାଣ ଚାଲିଗଲା, ପଶ୍ଚାତାପରେ ଲୁହ ଝରାଇ ଦାନା ଛୁଉଁନି ମୁଗେଇ
ରେମୁଣା ବ୍ଲକ ଖୁସାଲିଗଞ୍ଜ ଗାଁରେ ପାଳିତ ଗାଈ ମୁଗେଇ ଚଳିତ ମାସ ୧୧ ତାରିଖରେ ତା’ ମାଲିକ ରାମଚନ୍ଦ୍ର ମହାରଣାଙ୍କୁ ଶିଙ୍ଗରେ ଠେଲି ଦେଇଥିଲା । ଏଥିରେ ଗୁରୁତର ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ରାମଚନ୍ଦ୍ରଙ୍କର ଏହି ଘଟଣାର ୨ ଦିନ ପରେ ମୃତ୍ୟୁ ହୋଇଥିଲା । ରାମଚନ୍ଦ୍ରଙ୍କ ମରଶରୀର ମଶାଣିକୁ ନେବାବେଳେ ଦୂରରୁ ମୁଗେଇ ଦେଖିଥିଲା । ସେବେଠାରୁ ସେ ଏକ ପରିତ୍ୟକ୍ତ ଜାଗାରେ ଶୋଇ ରହି ଆଖିରୁ ଲୁହ ଗଡ଼ାଉଛି । ଖାଇବା ପିଇବା ଛାଡ଼ି ଦେଇଥିଲା । ଗ୍ରାମବାସୀ ଯାହା ଦେଲେ ବି ମୁହଁ ମାରୁନଥିଲା ମୁଗେଇ । ମୁଗେଇର ମାଲିକ ପ୍ରତି ଏଭଳି ଭଲପାଇବା ଦେଖି ଲୋକେ ଭାବବିହ୍ୱଳିତ ହୋଇଥିଲେ । ଏବେ ରାମଚନ୍ଦ୍ରଙ୍କ ପରିବାର ମୁଗେଇକୁ ଘରେ ପୂରାଇ ଦେଉନାହାନ୍ତି । ଅପରପକ୍ଷରେ ନୂଆ ମାଲିକ ବି ତାକୁ ଆଉ ନେବାକୁ ଇଚ୍ଛା ପ୍ରକାଶ କରୁନଥିବା ଜଣାପଡ଼ିଛି । ଏହା ଜାଣିବା ପରେ ମୁଗେଇ ନିଜ କଲା କର୍ମର ପଶ୍ଚାତାପ କରିବା ସହ ଅନ୍ନଜଳ ସ୍ପର୍ଶ କରୁନଥିଲା । ଏହି ଖବର ‘ପ୍ରମେୟ’ରେ ପ୍ରକାଶିତ ହେବା ପରେ ମୁଗେଇକୁ ନେଇ ତମାମ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ।