ଭୁବନେଶ୍ୱର,୦୪/୧୧: ଯୁବରାଜ ସିଂହ ସେଣ୍ଟର ଅଫ ଏକ୍ସଲେନ୍ସ  (ୱାଇଏସ୍‌ସିଇ) ଏବଂ ମର୍ଲିନ ଗ୍ରୁପ୍‌ କ୍ରୀଡା ବିଭାଗ କ୍ଲବ୍‌ ପାଭିଲିୟନର ସହଯୋଗିତାରେ ପୂର୍ବ ଭାରତରେ ସ୍ୱତନ୍ତ୍ର କ୍ରିକେଟ୍‌ ଟ୍ୟାଲେଣ୍ଟ  ହଣ୍ଟ୍‌ (ପ୍ରତିଭା ଅନ୍ୱେଷେଣ) କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ନେଇ ଘୋଷଣା ହୋଇଛି । ଏକାଧିକ ସହରରେ ହେବାକୁ  ଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୯ରେ  ଭୁବନେଶ୍ୱରରୁ ଆରମ୍ଭ ହେବ । 

ଏଥିରେ  ଓଡ଼ିଶାରୁ ଉଦୀୟମାନ ଯୁବ କ୍ରିକେଟ  ଖେଳାଳିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ  ପରିପୋଷଣ କରାଯିବ । ଏହି ଅନୁସନ୍ଧାନ ପ୍ରକ୍ରିୟା ପାଟନା, ସିଲିଗୁଡି ଏବଂ କୋଲକାତା  ସମେତ ପୂର୍ବ ଭାରତର ବୃହତ୍‌ ସହରଗୁଡିକୁ  ମଧ୍ୟ ପରିବ୍ୟାପ୍ତ କରାଯିବ ଏବଂ ବିଶ୍ୱ ଶ୍ରେଣୀର  ତାଲିମ ଜରିଆରେ ଆକାଂକ୍ଷୀ ଖେଳାଳିମାନଙ୍କୁ  ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା  ଭଳି ସୁଯୋଗ ଯୋଗାଇ ଦିଆଯିବ । 

ଭୁବନେଶ୍ୱରର ସ୍ଥିତ ବିଜେବି ହାଇସ୍କୁଲ ପଡିଆରେ ଆସନ୍ତା ୯ ତାରିଖରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ଏହି  ଏକ ଦିବସୀୟ ଟ୍ରାଏଲରେ ବିଶାଲ ଭାଟିଆ (ବିସିସିଆଇ ଲେବଲ ୧ ପ୍ରମାଣିକୃତ  କୋଚ), ସତ୍ୟେନ୍ଦ୍ର ସିଂ (ବିସିସିଆଇ  ଲେବଲ ୨ ପ୍ରମାଣିକୃତ କୋଚ ଏବଂ  ହେଡ କୋଚ ୱାଇଏସ୍‌ସିଇ ଏଟିପି,  କୋଲକାତା)ଙ୍କ ଦ୍ୱାରା ପରିଚାଳିତ ହେବ ।  କାର୍ଯ୍ୟକ୍ରମରେ ମନୋନୀତ ପ୍ରତିଭାଙ୍କୁ ୱାଇଏସ୍‌ସିଇର ଅଗ୍ରଣୀ ତାଲିମ କାର୍ଯ୍ୟକ୍ରମ  ନିମନ୍ତେ ପୂର୍ଣ୍ଣାଙ୍ଗ ବୃତ୍ତି ପ୍ରଦାନ କରାଯିବ । 

ପ୍ରସିଦ୍ଧ ଅଲରାଉଣ୍ଡର ଯୁବରାଜଙ୍କ ଦ୍ୱାରା ସ୍ଥାପିତ ୱାଇଏସ୍‌ସିଇ ପୂର୍ଣ୍ଣାଙ୍ଗ କ୍ରିକେଟ ତାଲିମ  ଏବଂ ବିକାଶ ସୁଯୋଗ ଯୋଗାଇଦେବାରେ ଉଦାହରଣ ସୃଷ୍ଟି କରିଛି । ପୂର୍ବ ଭାରତର  ୧୦ରୁ ୧୯ ବର୍ଷ ବୟସର ଯୁବ କ୍ରିକେଟ  ଖେଳାଳିକଙ୍କ ନିମନ୍ତେ ସମ୍ପ୍ରତି ପଞ୍ଜୀକରଣ  ଆରମ୍ଭ ହୋଇଛି । ଖେଳାଳିମାନେ http://ysce.clubpavilion.com ରେ  ନିଜ ନାମ ପଞ୍ଜୀକରଣ କରିପାରିବେ ।