ବ୍ରହ୍ମପୁର, ୧।୧୦(ବ୍ୟୁରୋ): ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା । ତଦନ୍ତ ଭାର ହାତକୁ ନେବ କ୍ରାଇମବ୍ରାଞ୍ଚ । ସବୁ ଦିଗକୁ ନେଇ ତଦନ୍ତ କରାଯିବ । ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ୍ (OPRB) ଦ୍ୱାରା ଆୟୋଜିତ ସବ୍-ଇନ୍ସପେକ୍ଟର୍ ପରୀକ୍ଷା ଜାଲିଆତି ମାମଲାରେ ୧୧୭ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୁଲିସ । ବ୍ରହ୍ମପୁର ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ରାଜ୍ୟସ୍ତରୀୟ ପରୀକ୍ଷା ଘୋଟଲା ରାକେଟର ତଦନ୍ତ ଜାରି ରଖିଛି ପୁଲିସ । ଏଥିରେ ବହୁ ବଡ଼ ମୁଣ୍ଡ ସଂପୃକ୍ତ ଥିବା ପୁଲିସ ତଦନ୍ତରେ ଜଣାପଡ଼ିଛି ।

ଗୁପ୍ତ ସୂଚନା ଆଧାରରେ ବ୍ରହ୍ମପୁର ପୁଲିସ ଆନ୍ଧ୍ରପ୍ରଦେଶ ସୀମାରେ ୩ଟି ଏ.ସି. ସ୍ଲିପର୍ ବସ୍‌କୁ ଅଟକାଇଥିଲା । ବ୍ରହ୍ମପୁର ଏସପି ଡ଼ା ସରବଣା ବିବେକ ଏମଙ୍କ ନେତୃତ୍ୱରେ ୩ଟି ଟିମ୍ ଶ୍ରୀକାକୁଲମରେ ପହଞ୍ଚି ସେମାନଙ୍କୁ ବ୍ରହ୍ମପୁର ନେଇ ଆସିଥିଲେ । ଯାଞ୍ଚରୁ ମିଳିଥିଲା ଯେ, ସେଥିରେ ମୋଟ ୧୧୭ ଯାତ୍ରୀ ଥିଲେ, ଯେଉଁଥିରୁ ୧୧୪ ଜଣ OPRB ସବ୍-ଇନ୍ସପେକ୍ଟର୍ ପରୀକ୍ଷା ପାଇଁ ଆବେଦନ କରିଥିଲେ ।

ତଦନ୍ତରେ ଜଣାପଡ଼ିଛି ଯେ, ସେମାନେ ଭୁବନେଶ୍ୱରରୁ ବସ୍‌ରେ ଚଢ଼ି ବିଜୟନଗରମକୁ ଯାଉଥିଲେ । ସେଠାରେ ଗୁପ୍ତଭାବରେ ପ୍ରଶ୍ନପତ୍ର ପାଇବା ପରେ ଭୁବନେଶ୍ୱରକୁ ଫେରି ପରୀକ୍ଷାରେ ବସିବା ସେମାନଙ୍କ ଯୋଜନା ଥିଲା । ପ୍ରତ୍ୟେକ ପ୍ରାର୍ଥୀ ୨୫ ଲକ୍ଷ ଟଙ୍କା ଦେବାକୁ ଚୁକ୍ତି କରିଥିଲେ । ପ୍ରଥମେ ୧୦ ଲକ୍ଷ ଏବଂ ଚାକିରି ନିଶ୍ଚିତ ହେଲେ ଆଉ ୧୫ ଲକ୍ଷ ଦେବାକୁ ଯୋଜନା ହୋଇଥିଲା । ମଙ୍ଗଳବାର ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଆସି ବ୍ରହ୍ମପୁରରେ ଅଭିଯୁକ୍ତଙ୍କୁ ପଚରାଉଚରା କରି ଫେରିଥିଲା । ଏହି ମାମଲାରେ ବ୍ରହ୍ମପୁର ପୁଲିସ ଜିଲ୍ଲାର ଗୋଲନ୍ଥରା ଥାନାରେ ମାମଲା ରୁଜୁ କରାଯାଇଛି । ପୁଲିସ କହିଛି ଯେ, ସମସ୍ତ ୧୧୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ । ଏହି ରାକେଟରେ ଜଡ଼ିତ ଅନ୍ୟାନ୍ୟ ଦୋଷୀଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି ।