ନୂଆଦିଲ୍ଲୀ,୦୧/୧୦:  ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୩ ମସିହାରେ ମହିଳାଙ୍କ ବିରୁଦ୍ଧରେ ପ୍ରାୟ ୪.୫ ଲକ୍ଷ ଅପରାଧ ମାମଲା ପଞ୍ଜିକୃତ ହୋଇଥିଲା। ଏହାର ପୂର୍ବ ଦୁଇ ବର୍ଷ ତୁଳନାରେ ସାମାନ୍ୟ ବୃଦ୍ଧି ଘଟିଛି। ୨୦୨୩ ମସିହାରେ ମହିଳା ବିରୁଦ୍ଧରେ ଅପରାଧର ମୋଟ ୪,୪୮,୨୧୧ ମାମଲା ପଞ୍ଜିକୃତ ହୋଇଥିଲା। ୨୦୨୨ ମସିହାରେ ଏହା ୪,୪୫,୨୫୬ ଏବଂ ୨୦୨୧ ମସିହାରେ ୪,୨୮,୨୭୮ ମାମଲା ଥିଲା। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପୋଲିସ ରେକର୍ଡରୁ ସଂଗୃହିତ ତଥ୍ୟ ଦର୍ଶାଉଛି ଯେ ଜାତୀୟ ଅପରାଧ ହାର ପ୍ରତି ଲକ୍ଷେ ମହିଳାଙ୍କ ମଧ୍ୟରେ ୬୬.୨ ଘଟଣା ଘଟୁଛି, ଯାହା ବର୍ଷର ମଧ୍ୟଭାଗରେ ୬,୭୭୦ ଲକ୍ଷ ମହିଳା ଜନସଂଖ୍ୟା ଉପରେ ଆଧାରିତ। ଏହି ମାମଲାରେ ସାମଗ୍ରିକ ଚାର୍ଜସିଟ୍ ଦାଖଲ ହାର ୨୦୨୩ ମସିହାରେ ୭୭.୬ ପ୍ରତିଶତ ଥିଲା।

ରାଜ୍ୟଗୁଡ଼ିକ ମଧ୍ୟରେ, ଉତ୍ତର ପ୍ରଦେଶରେ ସର୍ବାଧିକ ୬୬,୩୮୧ ମାମଲା ରିପୋର୍ଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪୭,୧୦୧, ରାଜସ୍ଥାନରେ ୪୫,୪୫୦, ପଶ୍ଚିମବଙ୍ଗରେ ୩୪,୬୯୧ ଏବଂ ମଧ୍ୟପ୍ରଦେଶରେ ୩୨,୩୪୨ ମାମଲା ରହିଛି। ତେଲେଙ୍ଗାନା ପ୍ରତି ଲକ୍ଷ ମହିଳା ଜନସଂଖ୍ୟାରେ ୧୨୪.୯ ଅପରାଧ ହାର ସହିତ ତାଲିକାର ଶୀର୍ଷରେ ଅଛି, ଏହା ପରେ ରାଜସ୍ଥାନରେ ୧୧୪.୮, ଓଡିଶାରେ ୧୧୨.୪, ହରିୟାଣାରେ ୧୧୦.୩ ଏବଂ କେରଳରେ ୮୬.୧ ମାମଲା ରହିଛି।

ପାରିବାରିକ ମାମଲା ସବୁଠୁ ଅଧିକ:

ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮ (କ) ଅଧୀନରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଥିଲା, ଯେଉଁଥିରେ ୧୩୩,୬୭୬ ମାମଲା ପଞ୍ଜିକୃତ ହୋଇଥିଲା, ଯାହାର ହାର ୧୯.୭ ଥିଲା। ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ମହିଳାଙ୍କ ପ୍ରତି ୨୮.୮୨୧ ଦୁଷ୍କର୍ମ ମାମଲା ଏବଂ ୧୮ ବର୍ଷରୁ କମ୍ ବୟସର ଝିଅମାନଙ୍କ ପ୍ରତି ୮୪୯ ଦୁଷ୍କର୍ମ ମାମଲା ଥିଲା। ଦୁଷ୍କର୍ମ ଉଦ୍ୟମର ୨୭୯୬ ମାମଲା ଏବଂ ଏସିଡ୍ ଆକ୍ରମଣର ୧୧୩ ମାମଲା ଥିଲା।

ସ୍ୱତନ୍ତ୍ର ଏବଂ ସ୍ଥାନୀୟ ଆଇନ (ଏସ୍‌ଏଲ୍‌ଏଲ୍‌) ଅଧୀନରେ ମହିଳା ବିରୋଧୀ ଅପରାଧର ମୋଟ ୮୭.୮୫୦ ମାମଲା ପଞ୍ଜିକୃତ ହୋଇଛି। ଯୌତୁକ ନିରୋଧ ଆଇନ, ୧୯୬୧ ଅଧୀନରେ ୧୫,୪୮୯ ମାମଲା ପଞ୍ଜିକୃତ ହୋଇଥିବା ବେଳେ ମହିଳା ପୀଡିତାମାନଙ୍କ ସହିତ ଜଡ଼ିତ ୧୭୮୮ ମାମଲା ଅନୈତିକ ଚାଲାଣ (ନିବାରଣ) ଆଇନ, ୧୯୫୬ ଅଧୀନରେ ପଞ୍ଜିକୃତ ହୋଇଛି। ଘରୋଇ ହିଂସାରୁ ମହିଳା ସୁରକ୍ଷା ଆଇନ, ୨୦୦୫ ଅଧୀନରେ ୬୩୨ ମାମଲା ପଞ୍ଜିକୃତ ହୋଇଛି।

୧୯୮୬ ମସିହାର ମହିଳା ଅଶୋଭନୀୟ ପ୍ରତିନିଧିତ୍ୱ (ନିଷେଧ) ଆଇନ ଅନୁଯାୟୀ ୩୧ଟି ମାମଲା, ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ୪୦,୦୪୬ଟି ଶିଶୁ ଦୁଷ୍କର୍ମ ମାମଲା, ୨୨,୧୪୯ଟି ଯୌନ ନିର୍ଯାତନା ମାମଲା, ୨୭୭୮ଟି ଯୌନ ଉତ୍ପୀଡ଼ନ ମାମଲା, ୬୯୮ଟି ପର୍ଣ୍ଣୋଗ୍ରାଫି ପାଇଁ ଶିଶୁମାନଙ୍କୁ ବ୍ୟବହାର କରିବା ମାମଲା ଏବଂ ଆଇନର ଅନ୍ୟାନ୍ୟ ବ୍ୟବସ୍ଥା ଅନୁଯାୟୀ ୫୧୩ଟି ମାମଲା ପଞ୍ଜିକୃତ ହୋଇଥିଲା। ପୋଲିସର ତଥ୍ୟ ଦର୍ଶାଉଛି ଯେ ପୂର୍ବ ବର୍ଷଗୁଡ଼ିକରୁ ୧୮୫,୯୬୧ଟି ମାମଲା ତଦନ୍ତ ପାଇଁ ବିଚାରାଧୀନ ଥିବା ବେଳେ ୪,୪୮,୨୧୧ଟି ନୂଆ ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୯୮୭ଟି ସ୍ଥାନାନ୍ତରିତ ହୋଇଥିଲା, ଏହା ସର୍ବାଧିକ ୬୩୫,୧୫୯ଟି ମାମଲାରେ ପହଞ୍ଚିଥିଲା।