ଭୁବନେଶ୍ୱର,୦୨/୦୬: କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ଅପରିପକ୍ୱ ଶିଶୁ ଜନ୍ମ ହେଲେ ତୁରନ୍ତ ରେଫର କରିଦିଆଯାଉଛି । ସେହିଭଳି କୌଣସି ଜଟିଳ ସମସ୍ୟା ଦେଖାଦେବା ମାତ୍ରେ ହସ୍ପଟାଲରେ ନିଓନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍(ନିକୁ) ନଥିବାରୁ ନବଜାତ ଶିଶୁଙ୍କୁ ରେଫର କରାଯାଉଛି । ହସ୍ପିଟାଲରେ ନିଜୁ ଖୋଲିବା ପାଇଁ ବହୁ ପୂର୍ବରୁ ଯୋଜନା କରିଥିଲେ ବି ଆରମ୍ଭ ହୋଇପାରୁନି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଶେଷଜ୍ଞଙ୍କ କହିବା କଥା, ଯେଉଁଠି ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ ରହିଛି, ସେଠାରେ ନିଶ୍ଚିତ ନିକୁ ରହିବା ନିତ୍ୟାନ୍ତ ଜରୁରି ।
୨୦୧୬ରେ ରାଜ୍ୟ ସରକାର ହସ୍ପିଟାଲରେ ନିକୁ ଖୋଲିବା ପାଇଁ ଘୋଷଣା କରିଥିଲେ । ଏହା ଭିତରେ ୧୦ ବର୍ଷ ବିିତି ଗଲାଣି । ଏହା କେବେ ଖୋଲିବ? କାହିଁକି ବିଳମ୍ବ ହେଉଛି? ଏନେଇ କର୍ତ୍ତୃପକ୍ଷଙ୍କ ପାଖରେ ଉତ୍ତର ନାହିଁ । କର୍ତ୍ତୃପକ୍ଷଙ୍କୁ ପଚାରିଲେ କହୁଛନ୍ତି, ଆମ ହାତରେ କିଛି ନାହିଁ । ସ୍ୱାସ୍ଥ୍ୟ ବିଭାଗକୁ ଏଭଳି ସମସ୍ୟା ନେଇ ଚିଠି ଲେଖି ଜଣାଇ ଦିଆଯାଇଛି ।
ହସ୍ପିଟାଲରେ ୧୫୦ ଶଯ୍ୟା ବିଶିଷ୍ଟ ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ ରହିଛି । ଦୈନିକ ୩୦ରୁ ୩୩ ଜଣ ପ୍ରସୂତି ଭର୍ତ୍ତି ହେଉଛନ୍ତି । ଦୈନିକ ହାରାହାରି ୨୫ରୁ ୩୦ ଶିଶୁ ଜନ୍ମ ନେଉଛନ୍ତି । ଏକ ଆକଳନରୁ ସେଥିରୁ ୧୦% ଅପରିପକ୍ୱ ଶିଶୁ ଜନ୍ମ ହେଉଛନ୍ତି । ସେମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ରହୁଛି । ପିତାମାତା ଯନ୍ତ୍ରଣାଗତ ଅବସ୍ଥାରେ ନବଜାତକଙ୍କୁ ନେଇ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲକୁ ଧାଉଁଛନ୍ତି । ତନ୍ମଧ୍ୟରୁ ବି ମାସକୁ ୬ରୁ ୮ ଜଣ ନବଜାତକଙ୍କ ଜୀବନ ଯାଉଛି ।
ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୈନିକ ୪୦୦ରୁ ୫୦୦ ପାଖାପାଖି ଶିଶୁ ଚିକିତ୍ସା ପାଇଁ ଆସୁଛନ୍ତି । ସେଥିରୁ ଆଖପାଖ ବିଭିନ୍ନ ସ୍ୱାସ୍ଥ୍ୟାକେନ୍ଦ୍ରରୁ ରେଫର ହୋଇ କ୍ୟାପିଟାଲ ହସ୍ପିଟାଲକୁ ଅସୁସ୍ଥ ନବଜାତକ ଆସୁଛନ୍ତି । ନବଜାତ ଶିଶୁଙ୍କୁ ପେଡିଆଟ୍ରିକ୍ କେୟାର ୟୁନିଟ୍(ପିକୁ) ଓ ଆଇସିୟୁରେ ଚିକିତ୍ସା କରାଯାଉଛି । ନିଜୁ ନଥିବାରୁ ମାସକୁ ପ୍ରାୟ ୭୦ ପାଖାପାଖି ନଜଜାତଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ରେଫର କରାଯାଉଛି । ଜନଜାତ ଶିଶୁଙ୍କ ପାଇଁ ଏକ ନିକୁ ଖୋଲିବା ଲାଗି ସ୍ୱାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ନିକୁ ଆରମ୍ଭ ହୋଇନଥିବାରୁ ବର୍ତ୍ତମାନ ପିକୁରେ ଶିଶୁଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି । ପିକୁରେ ୬ଟି ଶଯ୍ୟା ରହିଛି, ଏହାକୁ ୧୦କୁ ବଢ଼ାଯିବ । ଶିଶୁଙ୍କ ପାଇଁ ୭୦ଟି ଶଯ୍ୟା ରହିଛି । ସ୍ପେସିଆଲ ନ୍ୟୁବର୍ଣ୍ଣ କେୟାର ୟୁନିଟ୍(ଏସ୍ଏନ୍ସିୟୁ) ୩୬ଟି ଶଯ୍ୟା ରହିଛି । ୬ଟି ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଛି ବୋଲି ସୂଚନା ଦେଇଛନ୍ତି ।