ନୂଆଦିଲ୍ଲୀ, ୦୫/୧୨: ଏଥର ଶୀତ ଋତୁରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା  ରହିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ  ଏହି ଆକଳନ କରାଯାଇଛି । ୧୯୦୧ରୁ ସବୁଠୁ  ଉତ୍ତପ୍ତ ନଭେମ୍ବର ଥିଲା ୨୦୨୪ ନଭେମ୍ବର ।  ତେବେ ଏଭଳି ସ୍ଥିତିରେ ଗହମ ଏବଂ ସୋରିଷ  ଭଳି ଫସଲ ଉତ୍ପାଦନ ପ୍ରଭାବିତ ହେବାର  ଆଶଙ୍କା ରହିଛି । ଆଇଏମ୍‌ଡି ଅନୁସାରେ,  ଡିସେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ସର୍ବନିମ୍ନ  ଏବଂ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ  ରହିବ । ଏ ସମୟରେ ଶୀତଲହର ଦିନ ମଧ୍ୟ  କମ୍‌ ରହିବ । ଗହମ, ସୋରିଷ ଏବଂ ଚଣା  ଭଳି ରବି ଫସଲ ଅକ୍ଟୋବରରୁ ଡିସେମ୍ବର  ମଧ୍ୟରେ ବୁଣାଯାଇଥାଏ । ଭଲ ଉତ୍ପାଦନ  ପାଇଁ ଫସଲ ବଢ଼ିବା ଏବଂ ପାକଳ ହେବା  ସମୟରେ ଥଣ୍ଡା ପାଗ ଦରକାର ପଡ଼ିଥାଏ ।  

ଆଇଏମ୍‌ଡିର ଆକଳନ ଅନୁସାରେ, ଥଣ୍ଡା  କମ୍‌ ରହିବା କାରଣରୁ ଉତ୍ପାଦନ କମିଯିବ ।  କମ୍‌ ଉତ୍ପାଦନ ଯୋଗୁ ଚୀନ୍‌ ପରେ ବିଶ୍ୱର ସର୍ବବୃହତ୍‌ ଗହମ ଉତ୍ପାଦକ ଭାରତ ଆଗରେ  ସମସ୍ୟା ଆସିପାରେ । ନିଜର ୧୪୦ କୋଟି  ଜନତାଙ୍କ ପାଇଁ ଶସ୍ତା ଯୋଗାଣ ସୁନିଶ୍ଚିତ କରିବା ଲାଗି ଭାରତକୁ ଗହମ ଆମଦାନି  କରିବାକୁ ପଡ଼ିପାରେ । ଡାଲି ଏବଂ ଖାଇବା  ତେଲ ଆମଦାନି ବି ବଢ଼ିପାରେ ।  

ଚାଷୀଙ୍କୁ ଅସନ୍ତୁଷ୍ଟ ନ କରିବା ପାଇଁ  ରେକର୍ଡ ଉଚ୍ଚ ଦର ସତ୍ତେ୍ୱ ଏଯାବତ୍‌ ସରକାର  ଗହମ ଆମଦାନି ପାଇଁ ହୋଇଥିବା ଚାପକୁ ବିରୋଧ କରିଆସିଥିଲେ । ଏକ ବିଶ୍ୱସ୍ତରୀୟ ଟ୍ରେଡିଂ କମ୍ପାନିର ମୁମ୍ବାଇସ୍ଥିତ ବ୍ୟବସାୟୀଙ୍କ  କହିବାନୁସାରେ,ଗତ କିଛି ବର୍ଷରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଗହମ ଉତ୍ପାଦନ କ୍ଷେତ୍ରରେ  ତାପମାତ୍ରା ଅନ୍ୟ କାରକଗୁଡ଼ିକ ତୁଳନାରେ  ଅନେକ ମାତ୍ରାରେ ଗୁରୁତ୍ୱ ବହନ କରିଥାଏ । ତାପମାତ୍ରା ବିଗିଡ଼ିବା ଦ୍ୱାରା ଉତ୍ପାଦନ ବ୍ୟାହତ  ହେବା ସ୍ୱାଭାବିକ ।  

ତାତି ଏବଂ ଅସାମାନ୍ୟ ତାତି ଯୋଗୁ  ୨୦୨୨ ଏବଂ ୨୦୨୩ରେ ଭାରତରେ ଗହମ  ଉତ୍ପାଦନ ପ୍ରଭାବିତ ହୋଇଛି । ଏହାଦ୍ୱାରା  ସରକାର ଭଣ୍ଡାରରେ ହ୍ରାସ ଦେଖାଦେଇଛି ।  ଦିଲ୍ଲୀରେ ଗତ ସପ୍ତାହରେ ଗହମ ଦର ଟନ୍‌  ପିଛା ରେକର୍ଡ ସ୍ତର ୩୨,୦୦୦ ଟଙ୍କାରେ  ପହଞ୍ଚିଛି । ଏହା ଏପ୍ରିଲରେ ୨୫,୦୦୦ ଟଙ୍କା  ଥିଲା । ଗହମ ଦର ଗତ ସିଜନ୍‌ର ଅମଳ  ପାଇଁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସର୍ବନିମ୍ନ  ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୨,୭୫୦  ଟଙ୍କାରୁ ଅନେକ ମାତ୍ରାରେ ଅଧିକ । ଯୋଗାଣ  ବଢ଼ାଇ ଦର ଖସାଇବା ଲାଗି ଭାରତ  ସରକାର ନିଜର ସରକାରୀ ଭଣ୍ଡାରରୁ ୨୫  ଲକ୍ଷ ଟନ୍‌ ଗହମକୁ ଅଟାକଳ ଏବଂ ବିସ୍କୁଟ  ନିର୍ମାତା ଭଳି ପାଇକାରୀ ଉପଭୋକ୍ତାଙ୍କୁ ବିକ୍ରି  କରିବାର ଯୋଜନା କରୁଛନ୍ତି । 

ଆଇଏମ୍‌ଡି  ପ୍ରକାଶ କରିଛି ଯେ, ଶୀତରେ ତାପମାତ୍ରା  ସ୍ୱାଭାବିକଠାରୁ ଅଧିକ ରହିବ । ଡିସେମ୍ବରରୁ  ଫେବ୍ରୁଆରୀ ପର୍ଯ୍ୟନ୍ତ ଏହା ଦେଖିବାକୁ ମିଳିବ ।  ଏହାଦ୍ୱାରା ଗହମ, ସୋରିଷ ଭଳି ଫସଲ  ଉତ୍ପାଦନ ପ୍ରଭାବିତ ହେବ । କମ୍‌ ଥଣ୍ଡା ପଡ଼ିବା  ଦ୍ୱାରା ଉତ୍ପାଦନ କମିବ । ଭାରତକୁ ଗହମ  ଆମଦାନି କରିବାକୁ ପଡ଼ିପାରେ । ଡାଲି ଏବଂ  ତେଲ ଆମଦାନି ବି ବଢିପାରେ । ସରକାର  ଏଯାବତ୍‌ ଗହମ ଆମଦାନି କରିନାହାନ୍ତି ।  ଜଣେ ବ୍ୟବସାୟୀଙ୍କ କହିବାନୁସାରେ, ଗହମ  ପାଇଁ ତାପମାତ୍ରା ଅନେକ ମାତ୍ରାରେ ଜରୁରୀ ।  ଫସଲର ଭଲ ଉତ୍ପାଦନ ପାଇଁ ପାଣିପାଗ ଥଣ୍ଡା  ବି ରହିବା ଦରକାର । ଏଭଳି କ୍ଷେତ୍ରରେ ଗହମ  ଉତ୍ପାଦନକୁ ନେଇ ଚିନ୍ତା ଦେଖାଦେଇଛି । ଭାରତ  ଏବେ ବିଶ୍ୱର ଦ୍ୱିତୀୟ ବୃହତ୍‌ ଗହମ ଉତ୍ପାଦକ  ରହିଛି । ପ୍ରଥମ ସ୍ଥାନରେ ରହିଛି ଚୀନ୍‌ ।