ଭୁବନେଶ୍ୱର, ୧୮।୨: ୧୧ ବର୍ଷ ହେଲା ଦୁଆର ପଡ଼ିଛି । ମନସ୍ତାପରେ ଏକାମ୍ରର ଦୁଇ ଆରାଧ୍ୟ ଶ୍ରୀଲିଙ୍ଗରାଜ ଏବଂ କପିଳେଶ୍ୱର । ମାନବ କଳିରୁ ଦେବ ସମ୍ପର୍କରେ ଉଠିଛି ପାଚେରି । ଯାହାକୁ ସ୍ୱାଭାବିକ କରି ଦେବ ନୀତି ଆଗେଇବାକୁ ବାଟ ଫିଟୁନି । ତେବେ କୌଣସି ପ୍ରକାରେ ଏହି ଦେବନୀତି ସମ୍ପନ୍ନ କରାଇବାକୁ ପ୍ରଶାସନ ଉଦ୍ୟମ ଜାରି ରଖିଛି । ଏଥର ଶ୍ରୀଲିଙ୍ଗରାଜଙ୍କ ସବୁ ସେବାୟତ ନିଯୋଗର ମିଳିତ ପ୍ରୟାସରେ ମହାଶିବରାତ୍ରୀ ନୀତି ସଅଳ ହୋଇଛି । ତେଣୁ ସମସ୍ତେ ହାଣ୍ଡିଭଙ୍ଗା ଯାତ ମଧ୍ୟ ସୁଚାରୁ ରୂପେ କରାଇବାକୁ ପ୍ରଶାସନକୁ କହୁଛନ୍ତି । ସେବାୟତମାନେ କହିଛନ୍ତି, ଠାକୁର ହାଣ୍ଡିଭଙ୍ଗା ଯାତକୁ ଯିବା ପାଇଁ ଗୋଡ଼ ଟେକି ବସିଛନ୍ତି । ଆମେ ମଧ୍ୟ ଏହି ଉଦ୍ଦେଶ୍ୟରେ ତାଙ୍କୁ ଶନିବାର ଉଭୟ କପିଳେଶ୍ୱର ଏବଂ ଐଶାନେଶ୍ୱରଙ୍କ ମନ୍ଦିରକୁ ବିଜେ କରାଇବାକୁ ମନସ୍ତ କରିଛୁ । ସବୁଜ ସଙ୍କେତ ଆସିଲେ ଆମେ ଠାକୁରଙ୍କ ଯାତ୍ରା ପାଇଁ ନେବୁ ।
ଏହା ବି ପଢ଼ନ୍ତୁ... ଶ୍ରୀମନ୍ଦିରରେ ନୀତି ଅନିୟମିତା ବେଲଗାମ୍; ସ୍ବତ୍ତଲିପି ସମୟ ସାରଣୀକୁ ସେବାୟତଙ୍କ ଆଖିଠାର
ମଙ୍ଗଳବାର ସ୍ୱତନ୍ତ୍ର ସର୍କିଟ ହାଉସରେ ଜିଲ୍ଲାପାଳ ଅମ୍ରୀତ ଋତୁରାଜ ଓ ଦେବୋତ୍ତର କମିସନର ଲଲାଟେନ୍ଦୁ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏକ ଜରୁରି ବୈଠକ ହୋଇଥିଲା । ଏଥିରେ ମୁଖ୍ୟତଃ ଖୁଣ୍ଟିଆ ସେବାୟତ କିପରି କପିଳେଶ୍ୱର ମନ୍ଦିରରେ ସେବା ଅଧିକାର ପାଇବେ ଓ ହାଣ୍ଡିଭଙ୍ଗା ଯାତ ସ୍ୱାଭାବିକ ହେବ ଆଲୋଚନା ହୋଇଥିଲା ବୋଲି ସହକାରୀ ଦେବୋତ୍ତର କମିଶନର ରୋହିତ ରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା କାଲି ଖୁଣ୍ଟିଆ ସେବାୟତମାନେ ସେମାନଙ୍କ କେଉଁ ସେବା ଅଛି, ତତ୍ ସଂଲଗ୍ନ ବୈଧ କାଗଜ ଆଣି ଦାଖଲ କରିବେ । ସେହି ତଥ୍ୟକୁ ଅନୁଧ୍ୟାନ କରି ବୁଧବାର ଟ୍ରଷ୍ଟ ବୋର୍ଡ ବୈଠକରେ ହାଣ୍ଡିଭଙ୍ଗା ଯାତ, ଖୁଣ୍ଟିଆ ସେବାୟତଙ୍କ ସେବା ସ୍ୱତ୍ତ୍ୱ ସମେତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯିବ ।
ସୂଚନାଯୋଗ୍ୟ, କପିଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡର ଶେଷ ବୈଠକ ଗତ ନଭେମ୍ବର ୨୦୨୪ରେ ହୋଇଥିଲା । ଅର୍ଥାତ ପ୍ରାୟ ୧୫ ମାସ ପୂର୍ବେ । ଏମିତିରେ ମନ୍ଦିରରେ କେମିତି ଶୃଙ୍ଖଳିତ ପୂଜା ନୀତି ଆଉ ଠାକୁରଙ୍କ ଆୟ ବଢିବା ସମ୍ଭବ ହେବ ବୋଲି ବିଭିନ୍ନ ନିଯୋଗର ସେବାୟତ କହିଛନ୍ତି । ସେମାନେ କହିଛନ୍ତି ପ୍ରଶାସନ ମନ୍ଦିରକୁ ସାବତ ପୁଅ ନଜରରେ ଦେଖୁଛନ୍ତି । ଆଜିର ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟ ନିର୍ବାହୀ ରମେଶ ଚନ୍ଦ୍ର ଜେନା, ଉପଜିଲ୍ଲାପାଳ ତଥା କପିଳେଶ୍ୱର ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ, ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଧା ସଙ୍ଗୀତା ସାହୁ, ଭୂଅଧିକାରୀ ହରିହର ମଲିଆ, ବଡୁ ନିଯୋଗ ସଭାପତି ଅଞ୍ଚଳ ବଡୁ, ସମ୍ପାଦକ କମଳାକାନ୍ତ ବଡୁ, ବ୍ରାହ୍ମଣ ନିଯୋଗ ସଭାପତି ନାରାୟଣ ମହାପାତ୍ର, ସମ୍ପାଦକ ହେମାଦ୍ରୀ ମହାପାତ୍ର, ବିରଞ୍ଚି ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।
ବଣ ବୁଦା ଘେରା ଐଶାନେଶ୍ୱର, ଶ୍ରୀଲିଙ୍ଗରାଜ ବିଜେ କରିବେ କେମିତି ?
ପରମ୍ପରା ମୁତାବକ ହାଣ୍ଡିଭଙ୍ଗା ଯାତରେ କପିଳେଶ୍ୱର ମନ୍ଦିରରୁ ପୂଜାବିଧି ବଢ଼ିବା ପରେ ଶ୍ରୀଲିଙ୍ଗରାଜ ଐଶାନେଶ୍ୱରଙ୍କ ମନ୍ଦିରକୁ ବିଜେ କରିଥାନ୍ତି । ସେଠାରେ ଭେଟ ଆଳତୀ ଓ ଭୋଗ ଲାଗି ହେଲା ପରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପ୍ରଥା ଅଛି । ତେଣୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ଏହି ମନ୍ଦିରକୁ ଯାତ୍ରାର ଅବ୍ୟବହିତ ପୂର୍ବରୁ ସଫାସୁତରା ରଖିବା କଥା । ଯାତ୍ରା ଅନୁଷ୍ଠିତ ହେଉ ବା ନ ହେଉ ତାହା ଭିନ୍ନ ପ୍ରସଙ୍ଗ । କିନ୍ତୁ ପୂଜା ବିଧି ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଆଗୁଆ ସକ୍ରିୟ ହେବା କଥା ବୋଲି କିଛି ସେବାୟତ କହିଛନ୍ତି । ଏ ନେଇ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ନାହିଁ ।